ବିଶ୍ୱ ପାସପୋର୍ଟ ଇଣ୍ଡେକ୍ସ: ଜାପାନ ଶୀର୍ଷରେ, ଭାରତକୁ ୮୫ତମ ସ୍ଥାନ

ଲଣ୍ଡନ: ବ୍ରିଟେନର ହେନ୍‌ଲେ ଆଣ୍ଡ୍ ପାର୍ଟନର୍ସ ସଂଗଠନ ପକ୍ଷରୁ ବୁଧବାର ୨୦୨୩ ପାଇଁ ପାସପୋର୍ଟ ଇଣ୍ଡେକ୍ସ ଜାରି କରାଯାଇଛି । ଜାପାନ କ୍ରମାଗତ ପଞ୍ଚମ ବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ମାନ୍ୟତା ବଜାୟ ରଖି ତାଲିକାର ଶୀର୍ଷରେ ଥିବାବେଳେ ଭାରତକୁ ୮୫ତମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି । ଅପରପକ୍ଷରେ ଆଫ୍‌ଗାନିସ୍ତାନ ବିଶ୍ୱର ସବୁଠୁ ଦୁର୍ବଳ ପାସପୋର୍ଟ ବିବେଚିତ ହୋଇଥିବାବେଳେ ଇରାକ୍‌, ପାକିସ୍ତାନ ଭଳି ରାଷ୍ଟ୍ର ତାଲିକାର ନିମ୍ନରେ ସ୍ଥାନିତ ହୋଇଛନ୍ତି । ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (ଆଇଏଟିଏ) ତଥ୍ୟକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଜାପାନୀ ପାସପୋର୍ଟଧାରୀ ବ୍ୟକ୍ତିଙ୍କୁ ୧୯୩ଟି ରାଷ୍ଟ୍ରରେ ଭିସାମୁକ୍ତ ପ୍ରବେଶ ଅନୁମତି ମିଳିଥାଏ । ଜାପାନ ପଛକୁ ସିଙ୍ଗାପୁର ଓ ଦକ୍ଷିଣ କୋରିଆ ଯୁଗ୍ମଭାବେ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତିି । ଜର୍ମାନୀ ଓ ସ୍ପେନ୍ ଯୁଗ୍ମଭାବେ ୩ୟ ସ୍ଥାନରେ ଥିବାବେଳେ ସେମାନଙ୍କ ପଛକୁ ଫିନ୍‌ଲାଣ୍ଡ, ଇଟାଲୀ ଓ ଲକ୍‌ଜେମବର୍ଗ (ମିଳିତଭାବେ ୪ର୍ଥ), ଅଷ୍ଟ୍ରିଆ, ଡେନମାର୍କ, ନେଦରଲାଣ୍ଡ୍‌ସ ଓ ସ୍ୱିଡେନ (ମିଳିତଭାବେ ୫ମ), ଫ୍ରାନ୍ସ, ଆୟରଲାଣ୍ଡ, ପର୍ତ୍ତୁଗାଲ ଓ ବ୍ରିଟେନ (ମିଳିତଭାବେ ୬ଷ୍ଠ), ବେଲଜିୟମ, ଚେକ୍ ରିପବ୍ଲିକ୍‌, ନ୍ୟୁଜିଲା. ନରୱେ, ସ୍ୱିଜରଲାଣ୍ଡ ଓ ଆମେରିକା (ମିଳିତଭାବେ ୭ମ), ଅଷ୍ଟ୍ରେଲିଆ, କାନାଡା, ଗ୍ରୀସ ଓ ମାଲଟା (ମିଳିତଭାବେ ୮ମ), ପୋଲାଣ୍ଡ ଓ ହଙ୍ଗେରୀ ଯୁଗ୍ମଭାବେ ୯ମ ଏବଂ ଲିଥୁଆନିଆ, ସ୍ଲୋଭାକିଆ ଯୁଗ୍ମଭାବେ ୧୦ମ ସ୍ଥାନରେ ରହିଛନ୍ତି । ୧୯୨ ରାଷ୍ଟ୍ରରେ ସିଙ୍ଗାପୁର, ଦକ୍ଷିଣ କୋରିଆ ପାସପୋର୍ଟଧାରୀଙ୍କୁ ଭିସାମୁକ୍ତ ପ୍ରବେଶ ଅନୁମତି ମିଳୁଥିବାବେଳେ ୧୯୦ ରାଷ୍ଟ୍ରରେ ୩ୟ, ୧୮୯ ରାଷ୍ଟ୍ରରେ ୪ର୍ଥ, ୧୮୮ ରାଷ୍ଟ୍ରରେ ୫ମ, ୧୮୭ ରାଷ୍ଟ୍ରରେ ୬ଷ୍ଠ, ୧୮୬ ରାଷ୍ଟ୍ରରେ ୭ମ, ୧୮୫ ରାଷ୍ଟ୍ରରେ ୮ମ, ୧୮୪ ରାଷ୍ଟ୍ରରେ ୯ମ ଏବଂ ୧୮୩ ରାଷ୍ଟ୍ରରେ ୧୦ମ ସ୍ଥାନ ରଖିଥିବା ପାସପୋର୍ଟଧାରୀଙ୍କୁ ଏହି ସୁବିଧା ମିଳୁଥିବା ଜଣାପଡିଛି । ଅପରପକ୍ଷରେ ୮୫ତମ ସ୍ଥାନରେ ଥିବା ଭାରତର ପାସପୋର୍ଟକୁ ୫୯ଟି ରାଷ୍ଟ୍ର ଅନୁରୂପ ସୁବିଧା ପ୍ରଦାନ କରିଥାନ୍ତି ।

Related Articles

Leave a Reply

Your email address will not be published.

Back to top button