ମୁସଲମାନଙ୍କ ବିରୋଧରେ ହିଂସା : କେନ୍ଦ୍ର ଓ ଓଡ଼ିଶା ସମେତ ୬ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ମୁସଲମାନମାନଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ଭିଡ଼ ହିଂସା ମାମଲା ଚିନ୍ତାଜନକଭାବେ ବୃଦ୍ଧି ପାଉଥିବା ନେଇ ଜାତୀୟ ଭାରତୀୟ ମହିଳା ମହାସଂଘ (ଏନଏଫଆଇଡବ୍ଲ୍ୟୁ) ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସହ ୬ଟି ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି। ଏଥିରେ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ ଓ ହରିୟାଣା ରହିଛି। ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ତେହସିନ ପୁନାୱାଲା ରାୟ (୨୦୧୮)ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ମୁସଲମାନମାନଙ୍କ ବିରୋଧରେ ଲିଞ୍ଚିଂ ଏବଂ ଭିଡ଼ ହିଂସା ମାମଲାଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଆବେଦନକାରୀଙ୍କ ଓକିଲ କପିଲ ସିବଲ ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ ଜେ ବି ପାର୍ଡିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠକୁ କହିଛନ୍ତି, ବିଭିନ୍ନ ହାଇକୋର୍ଟର ଅଧିକାର ବ୍ୟବହାର କରିବା ନିରର୍ଥକ ହେବ। ଯଦି ଆବେଦନକାରୀଙ୍କୁ ସଂପୃକ୍ତ ହାଇକୋର୍ଟକୁ ଯିବାକୁ କୁହାଯାଏ, ତେବେ କିଛି ହେବ ନାହିଁ ଏବଂ ଏହି ପ୍ରକ୍ରିୟାରେ ପୀଡ଼ିତାଙ୍କୁ କିଛି ମିଳିବ ନାହିଁ। ତେହସିନ ପୁନାୱାଲାଙ୍କ ରାୟ ସତ୍ତ୍ୱେ ଘଟଣା ଘଟୁଛି। ଆମେ କୁଆଡ଼େ ଯିବୁ ? ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ୨୦୧୮ ର ପୁନାୱାଲା ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଲିଞ୍ଚିଂ ଏବଂ ଭିଡ଼ ହିଂସାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବ୍ୟାପକ ମାର୍ଗଦର୍ଶିକା ଜାରି କରିଥିଲେ । ଆଇନଜୀବୀ ସୁମିତା ହଜାରିକା ଏବଂ ରଶ୍ମି ସିଂହଙ୍କ ଜରିଆରେ ଦାୟର ହୋଇଥିବା ଏନଏଫଆଇଡବ୍ଲୁର ପିଟିସନରେ ଅନେକ ଘଟଣା ଉପରେ ଆଲୋକପାତ କରାଯାଇଛି ଯାହା ଲିଞ୍ଚିଂ ଏବଂ ଭିଡ଼ ହିଂସାକୁ ରୋକିବାରେ ସରକାରୀ କଳର କ୍ରମାଗତ ବିଫଳତାକୁ ପ୍ରତିଫଳିତ କରୁଛି । ପିଟିସନରେ କୁହାଯାଇଛି ଯେ ବର୍ତ୍ତମାନର ଲିଞ୍ଚିଂ ଏବଂ ଭିଡ଼ ହିଂସା ଘଟଣାକୁ ମିଥ୍ୟା ପ୍ରଚାର ମାଧ୍ୟମରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ବାଦ୍ ଦେବାର କାହାଣୀର ପରିଣାମ ଭାବରେ ଦେଖାଯିବା ଉଚିତ । ଆବେଦନରେ କୁହାଯାଇଛି ଯେ ଭିଡ଼ ହିଂସା ଓ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ତୁରନ୍ତ ରିଲିଫ ପ୍ରଦାନ କରିବା ପାଇଁ ଘଟଣା ପରେ ପୀଡ଼ିତା କିମ୍ବା ସେମାନଙ୍କ ପରିବାରକୁ ଦିଆଯାଇଥିବା ମୋଟ କ୍ଷତିପୂରଣ ରାଶିର ଏକ ଅଂଶ ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ଭାବରେ ପ୍ରଦାନ କରାଯାଉ।

Related Articles

Leave a Reply

Your email address will not be published.

Back to top button