ଉମେଶ ପାଲ୍ ଅପହରଣ ମାମଲା; ଆତିକ୍ ଅହମ୍ମଦକୁ ଆଜୀବନ, ଭାଇ ଅଶରଫ୍ ଦୋଷମୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ବିଧାୟକ ରାଜୁପାଲ୍ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ସାକ୍ଷୀ ଉମେଶ ପାଲ୍‌ଙ୍କ ଅପହରଣ ମାମଲାରେ ପ୍ରୟାଗରାଜର ଏମ୍‌ପି/ଏମଏଲ୍‌ଏ କୋର୍ଟ ମଙ୍ଗଳବାର ମାଫିଆ ଆତିକ୍ ଅହମ୍ମଦ ସମେତ ତିନିଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଆତିକ୍‌ର ଭାଇ ଅଶରଫ୍ ସମେତ ସାତଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଅଦାଲତ ଖଲାସ କରିଦେଇଛନ୍ତି । ପୁଲିସ ରେକର୍ଡ ଅନୁସାରେ ଆତିକ୍ ଗ୍ୟାଙ୍ଗ୍ ବିରୋଧରେ ୧୦୧ ମୋକଦ୍ଦମା ରୁଜୁ କରାଯାଇଛି । ତେବେ ଆତିକ୍‌କୁ ଦୋଷୀ ସାବ୍ୟସ୍ତ କରାଯିବା ସହିତ ଦଣ୍ଡାଦେଶ ମିଳିବାରେ ଏହା ପ୍ରଥମ ମାମଲା । ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଜଜ୍ ଦୀନେଶ ଚନ୍ଦ୍ର ଶୁକ୍ଳ ଆତିକ୍ ବ୍ୟତୀତ ଖାନ୍ ସୌଲତ ହନିଫ୍ ଏବଂ ଦିନେଶ ପାସିଙ୍କୁ ଆଇପିସି ଧାରା ୩୬୪-ଏ’ ଅନୁସାରେ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ବ୍ୟତୀତ ତିନି ଜଣଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ କରାଯାଇଛି । ଏହି ଅର୍ଥ ଉମେଶଙ୍କ ପରିବାରକୁ ଦିଆଯିବ । ଅନ୍ୟପକ୍ଷରେ ପ୍ରମାଣ ଅଭାବରୁ ଅଶରଫ୍ ଓରଫ୍ ଖାଲିଦ ଅଜିମ୍ ସମେତ ଫରହାନ୍‌, ଜାଭେଦ୍ ଓରଫ୍ ବଜ୍ଜୁ, ଆବିଦ୍‌, ଇସ୍‌ରାର୍‌, ଆସିଫ୍ ଓରଫ ମଲ୍ଲି, ଏଜାଜ୍ ଅଖ୍‌ତରଙ୍କୁ ଖଲାସ କରାଯାଇଛି । ଏହି ମାମଲାରେ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଇତିମଧ୍ୟରେ ଜଣକର ମୃତ୍ୟୁ ହୋଇସାରିଛି । ଦଣ୍ଡାଦେଶ ଶୁଣାଯିବା ପରେ ଆତିକ୍ ଓ ଅଶରଫ୍‌ଙ୍କୁ ପୁନର୍ବାର ନୈନୀ ଜେଲ୍ ନିଆଯାଇଥିଲା । ମାତ୍ର ଆତିକ୍‌କୁ ଜେଲ୍‌କୁ ନେବା ପାଇଁ କୌଣସି ଆଦେଶ ନଥିବାରୁ ବରିଷ୍ଠ ଜେଲ୍ ଅଧୀକ୍ଷକ ଶଶିକାନ୍ତ ସିଂହ ତାକୁ ଜେଲ୍ ପରିସରକୁ ଛାଡ଼ିବା ପାଇଁ ମନା କରିଦେଇଥିଲେ । ଫଳରେ ଆତିକ୍ ସାଢ଼େ ୩ଟାରୁ ରାତି ପ୍ରାୟ ସାଢ଼େ ୮ଟା ପର୍ଯ୍ୟନ୍ତ ୫ ଘଣ୍ଟା ଭ୍ୟାନ୍‌ରେ ବସି ରହିଥିଲା । ଏହା ମଧ୍ୟରେ ଆତିକ୍‌ର ରକ୍ତଚାପ ବଢ଼ିଯିବାରୁ ତାକୁ ଔଷଧ ଦିଆଯାଇଥିଲା ।

Related Articles

Leave a Reply

Your email address will not be published.

Back to top button