ଆଗାମୀ ଦିନରେ କଂଗ୍ରେସକୁ ଟିଏମସି ସମର୍ଥନ ଦେବ:ମମତା ବାନାର୍ଜୀ

କୋଲକାତା : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଘୋଷଣା ପରେ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସକୁ ସର୍ତ୍ତଭିତ୍ତିକ ସମର୍ଥନ ଘୋଷଣା କରିଛନ୍ତି। ସୋମବାର ମମତା କହିଛନ୍ତି ଯେ ଆଗାମୀ ଦିନରେ କଂଗ୍ରେସକୁ ଟିଏମସି ସମର୍ଥନ ଦେବ। ଯେଉଁସବୁ ରାଜ୍ୟରେ କଂଗ୍ରେସର ଅଧିକ ସମର୍ଥନ ରହିଛି ସେଠାରେ କଂଗ୍ରେସକୁ ଟିଏମସି ସମର୍ଥନ ଦେବ। ତେବେ ଟିଏମସିର ଏହି ସମର୍ଥନ ପ୍ରତିବଦଳରେ କଂଗ୍ରେସ ମଧ୍ୟ ଅନୁରୂପ ଆଭିମୁଖ୍ୟ ଦେଖାଇବାକୁ ପଡିବ। ଅର୍ଥାତ୍ ଟିଏମସିର ଯେଉଁ ରାଜ୍ୟରେ ଅଧିକ ସମର୍ଥନ ରହିଛି ସେଠାରେ କଂଗ୍ରେସ ସମର୍ଥନ ଯୋଗାଇ ଦେବା ଦରକାର। ମମତା କହିଛନ୍ତି ଯେଉଁ ରାଜ୍ୟରେ ଆଞ୍ଚଳିକ ଦଳଗୁଡିକର ପ୍ରଭାବ ରହିଛି ସେଠାରେ ଅନ୍ୟ ଦଳଗୁଡିକ ତାକୁ ସମର୍ଥନ କରିବା ଦରକାର। ଯେପରିକି ଦିଲ୍ଲୀରେ ଆପ୍‌କୁ ଓ ବିହାରରେ ଜେଡିୟୁ-ଆରଜେଡି ମେଣ୍ଟକୁ ସମସ୍ତେ ସମର୍ଥନ କରିବା ଦରକାର। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ମମତା ତାଙ୍କ ଆଭିମୁଖ୍ୟରେ ଏପରି ପରିବର୍ତ୍ତନ କରିଛନ୍ତି। ଗତ ମାର୍ଚ୍ଚରେ ମମତା କଂଗ୍ରେସକୁ ଦୃଢ ବିରୋଧ କରିବା ସହିତ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସହ କୌଣସି ପ୍ରକାର ମେଣ୍ଟ କରିବାକୁ ମନା କରିଥିଲେ। ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ଟିଏମସି ବିରୋଧରେ କଂଗ୍ରେସ ଓ ବାମଦଳ ଏକଜୁଟ୍ ହୋଇ ଲଢିବା ପରେ ସେ ଏପରି ବିରୋଧ କରିଥିଲେ।

Related Articles

Leave a Reply

Your email address will not be published.

Back to top button