ଟିକାକରଣ ଅବ୍ୟବସ୍ଥାକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟିକାକରଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କୁ ମାଗଣା ଟିକା ଓ ୧୮ରୁ ୪୫ ବର୍ଷ ମଧ୍ୟରେ ଆସୁଥିବା ସାଧାରଣ ଲୋକଙ୍କ ଠାରୁ ଟଙ୍କା ନେଇ ଘରୋଇ ହସ୍ପିଟାଲକୁ ଟିକାଦାନ ଅନୁମତି ଦେବାକୁ ଅଯୌକ୍ତିକ ଓ ସ୍ବେଚ୍ଛାଚାରିତା ବୋଲି କହି ସମାଲୋଚନା କରିଛନ୍ତି। ପ୍ରଥମ ଦୁଇ ପର୍ଯ୍ୟାୟ ଟିକାଦାନକୁ କେନ୍ଦ୍ର ସରକାର ମାଗଣା କରିବା ପରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାଦାନ ଦାୟିତ୍ବ ରାଜ୍ୟମାନଙ୍କୁ ଦେବା ନିଷ୍ପତ୍ତି ବି ଅଯୌକ୍ତିକ ଓ ସ୍ବେଚ୍ଛାଚାରିତା ବୋଲି କହି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ୩ ଜଣିଆ ଖଣ୍ଡପୀଠ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏଲଏନ ରାଓ ଓ ଜଷ୍ଟିସ ଏସଆର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କାଇଁ ଟିକାକରଣ ଏକମାତ୍ର ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଟାସ୍କ ହେବା ଦରକାର।

୨୦୨୧-୨୨ ବଜେଟରେ କେନ୍ଦ୍ର ସରକାର ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର କେତେ ଟଙ୍କା ଟିକାକରଣ ପାଇଁ ଖର୍ଚ୍ଚ କରିଛନ୍ତି, ଯଦି କରି ନାହାନ୍ତି ତାହେଲେ କାହିଁକି କରି ନାହାନ୍ତି ତାହେଲେ କାହିଁକି ଏହି ଅର୍ଥ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ପାଇଁ ଖର୍ଚ୍ଚ ନ ହେବ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ସର୍ବୋଚ୍ଚ କୋର୍ଟ ବର୍ତ୍ତମାନ ସୁଦ୍ଧା କେତେ ପ୍ରତିଶତ ଲୋକ ପ୍ରଥମ ଡୋଜ ଓ କେତେ ପ୍ରତିଶତ ଲୋକ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ ଓ ଗ୍ରାମାଞ୍ଚଳର କେତେ ପ୍ରତିଶତ ଲୋକ ଟିକା ନେଇଛନ୍ତି ତାହାର ତଥ୍ୟ ଦେବାକୁ କହିଛନ୍ତି। ଏଥିସହ କେନ୍ଦ୍ର ସରକାର କୋଭାକ୍ସିନ, କୋଭିଶିଲ୍ଡ ଓ ସ୍ପୁଟନିକ-ଭି ଏଯାବତ କେତେ ଅର୍ଡର କରିଛନ୍ତି, କେତେ ସପ୍ଲାଇ କରିଛନ୍ତି ତାହା ସ୍ପଷ୍ଟ କରିବା ଦ ରକାର। ସେହିପରି ଡିସେମ୍ବର ସୁଦ୍ଧା ଦେଶରେ ଟିକାକରଣ ଶେଷ ହେବା ନେଇ କେନ୍ଦ୍ର ସରକାର ଯାହା କହୁଛନ୍ତି ତାହା କିପରି ସମ୍ଭବ ତାହା ଜଣାଇବାକୁ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button