ବିଭିନ୍ନ ବିଭାଗରେ ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନିଯୁକ୍ତି ମେଳା ଆମ ସରକାରର ପରିଚୟ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭିଡିଓ କନ୍‌ଫରେନ୍ସି ଜରିଆରେ ‘ନିଯୁକ୍ତି ମେଳା’ ଜରିଆରେ ସରକାରୀ ବିଭାଗ ଏବଂ ସଂଗଠନରେ ପ୍ରାୟ ୭୧ ହଜାର ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ନିରନ୍ତର ଚାଲିଥିବା ନିଯୁକ୍ତି ମେଳା ଆମର ସରକାରର ପରିଚୟ ହୋଇଯାଇଛି । ଆମ ସରକାର ଯେଉଁ ସଙ୍କଳ୍ପ ନେଇଥାନ୍ତି ତାହା କରି ଦେଖାଇଥାନ୍ତି । ଏହି ନିଯୁକ୍ତି ମେଳା ତାହା ପ୍ରଦର୍ଶିତ କରୁଛି । ସେ ଆହୁରି କହିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ ଆମେ ବ୍ୟାପକ ପରିବର୍ତ୍ତନ କରିଛୁ । କେନ୍ଦ୍ରୀୟ ସେବାଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ପ୍ରଭାବଶାଳୀ ଏବଂ ସମୟବଦ୍ଧ ହୋଇଛି । ନିଯୁକ୍ତି ଏବଂ ପଦୋନ୍ନତିରେ ପାରଦର୍ଶିତା ଯୁବକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛି । ଏହି ପାରଦର୍ଶିତା ସେମାନଙ୍କୁ ଉନ୍ନତ ପ୍ରସ୍ତୁତି ସହିତ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରେରିତ କରିଛି । ଆଜି ଯେଉଁମାନଙ୍କୁ ନିଯୁକ୍ତି ପତ୍ର ମିଳିଛି ସେମାନଙ୍କ ପାଇଁ ଏହା ଜୀବନର ନୂଆ ଯାତ୍ରା । ସେମାନେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ‘ବିକଶିତ ଭାରତ’ରେ ସେମାନଙ୍କ ସକ୍ରିୟ ଭାଗୀଦାରୀ ସହିତ ବିଶେଷ ଦାୟିତ୍ୱବୋଧ ରହିବ । ବାଣିଜ୍ୟ ବ୍ୟବସାୟରେ ‘କଞ୍ଜୁମର୍ ଇଜ୍ ଅଲ୍‌ୱେଜ୍ ରାଇଟ୍‌’ ପରି ଶାସନ ବ୍ୟବସ୍ଥାରେ ‘ସିଟିଜେନ୍ ଇଜ୍ ଅଲ୍‌ୱେଜ୍ ରାଇଟ୍‌’ ଆମ ମନ୍ତ୍ରହେବା ଉଚିତ । ଟେକ୍ନୋଲଜି ଜରିଆରେ ନିଜେ ଶିଖିବା ପାଇଁ ଆଜିର ପିଢ଼ିକୁ ମିଳିଥିବା ସୁଯୋଗ କେବେ ବି ଛାଡ଼ିବା ଉଚିତ ନୁହେଁ । ଜୀବନରେ ଲଗାତାର ଶିଖିବାର ଇଚ୍ଛା ଆମକୁ ଆଗକୁ ବଢ଼ାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି, ଆଜି ଭାରତର ଗାଁରେ ଥିବା ଉଦ୍ୟୋଗୀଙ୍କର ଡିଜିଟାଲ୍ ଟେକ୍ନୋଲଜି ଉପରେ ଉନ୍ନତ ଜ୍ଞାନ ରହିଛି, ଏହା ଜାଣି ମୁଁ ଗର୍ବ ଅନୁଭବ କରୁଛି । ନିଯୁକ୍ତିପତ୍ର ପାଇଥିବା ଯୁବ କର୍ମଚାରୀମାନେ ଦେଶର ବିଭିନ୍ନ ସରକାରୀ ବିଭାଗରେ କନିଷ୍ଠ ଇଞ୍ଜିନିୟର୍‌, ଲୋକେ ପାଇଲଟ୍‌, ଟେକ୍ନିସିଆନ୍‌, ନିରୀକ୍ଷକ, ଉପ-ନିରୀକ୍ଷକ, କନ୍‌ଷ୍ଟେବଳ, ଷ୍ଟେନୋଗ୍ରାଫର୍‌, ଜୁନିୟର୍ ଆକାଉଣ୍ଟାଣ୍ଟ୍‌, ଗ୍ରାମ୍ୟ ଡାକ ସେବକ, ଆୟକର ନିରୀକ୍ଷକ, ଅଧ୍ୟାପକ, ନର୍ସ, ଡାକ୍ତର ଏବଂ ସୁରକ୍ଷା ଅଧିକାରୀ ପଦରେ ନିଯୁକ୍ତ ହେବେ । ନିଯୁକ୍ତି ପତ୍ର ପ୍ରଦାନ ପୂର୍ବରୁ ପଶ୍ଚିମବଙ୍ଗର ସୁପ୍ରଭା, ଶ୍ରୀନଗରର ଫୈଜଲ୍ ଶୌକତ୍ ଶାହା, ବିହାର ଦିବ୍ୟାଙ୍ଗ ରାଜୁ କୁମାର ଏବଂ ତେଲେଙ୍ଗାନାର ବାୟସୀ କୃଷ୍ଣାଙ୍କ ସମେତ କେତେକ ନବନିଯୁକ୍ତ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜ ନିଜ ସଂଘର୍ଷ ଏବଂ ଅନୁଭବ ସମ୍ପର୍କରେ କଥା ହୋଇଥିଲେ ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ଆୟୋଜିତ ନିଯୁକ୍ତି ମେଳା ଅବସରରେ ବିଭିନ୍ନ ପଦ ପାଇଁ ମନୋନୀତ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ନିଯୁକ୍ତି ମେଳା ମାଧ୍ୟମରେ ପ୍ରାୟ ୭୫ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଅନୁସାରେ ନିଯୁକ୍ତି ମେଳା ଦେଶରେ ନିଯୁକ୍ତି ସୃଜନକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧତା ଦିଗରେ ଏକ ବଡ଼ ପଦକ୍ଷେପ ।

Related Articles

Leave a Reply

Your email address will not be published. Required fields are marked *

Back to top button