ଜି – ୨୦ ସଂସ୍କୃତି ମନ୍ତ୍ରୀ ମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀ ଠାରେ ଆୟୋଜିତ ଜି – ୨୦ ସଂସ୍କୃତି ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। କାଶୀ ନାମରେ ପରିଚିତ ବାରାଣସୀ ଠାରେ ପ୍ରଧାନମନ୍ତ୍ରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ସହର ତାଙ୍କ ସଂସଦୀୟ କ୍ଷେତ୍ର ହୋଇ ଥିବାରୁ ଏଠାରେ ଜି- ୨୦ ସଂସ୍କୃତି ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉ ଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । କାଶୀକୁ ଅନ୍ୟତମ ପୁରାତନ ଜୀବନ୍ତ ସହର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିକଟସ୍ଥ ସାରନାଥ ସହର ବିଷୟରେ କହିଥିଲେ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ। “କାଶୀ ଜ୍ଞାନ, କର୍ତ୍ତବ୍ୟ ଏବଂ ସତ୍ୟର ଭଣ୍ଡାର ଭାବରେ ଜଣାଶୁଣା ଏବଂ ଏହା ପ୍ରକୃତରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ରାଜଧାନୀ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଅତିଥି ମାନଙ୍କୁ ଗଙ୍ଗା ଆରତୀ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ, ସାରନାଥ ପରିଦର୍ଶନ କରିବା ପାଇଁ ଏବଂ କାଶୀର ବ୍ୟଞ୍ଜନର ସ୍ୱାଦ ଚାଖିବା ପାଇଁ ପରାମର୍ଶ ଦେଇଥିଲେ। ସଂସ୍କୃତିର ଅନ୍ତର୍ନିହିତ ସମ୍ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ସଂସ୍କୃତି ମନ୍ତ୍ରୀ ଗୋଷ୍ଠୀର କାର୍ଯ୍ୟ ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତରେ ଆମେ ଆମର ଚିରସ୍ଥାୟୀ ଏବଂ ବିବିଧ ସଂସ୍କୃତି ପାଇଁ ଗର୍ବିତ। ଆମେ ଆମର ଦୃଶ୍ୟମାନ / ସ୍ଥାୟୀ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ବହୁତ ଗୁରୁତ୍ୱ ଦେଉଛୁ” ବୋଲି ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ ଭାରତ ଏହାର ଐତିହ୍ୟସ୍ଥଳୀ ଗୁଡ଼ିକର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ କଠିନ ପରିଶ୍ରମ କରୁଛି। ଦେଶର ସାଂସ୍କୃତିକ ସମ୍ପତ୍ତି ଓ କଳାକାର ମାନଙ୍କୁ ଜାତୀୟ ସ୍ତରରେ ତଥା ଗ୍ରାମ ସ୍ତରରେ ମାନଚିତ୍ରଣ କରିବା ପାଇଁ ସେ ଉଲ୍ଲେଖ କରିଥିଲେ।

ସେ ଭାରତର ସଂସ୍କୃତିକୁ ପାଳନ କରିବା ପାଇଁ ଅନେକ କେନ୍ଦ୍ର ନିର୍ମାଣ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ଆଦିବାସୀ ସଂଗ୍ରହାଳୟ, ଯାହା ଭାରତର ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିକୁ ପ୍ରଦର୍ଶିତ କରେ ତାହାର ଉଦାହରଣ ଦେଇଥିଲେ। ନୂଆଦିଲ୍ଲୀ ଠାରେ ଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏହା ଏକ ପ୍ରକାରର ପ୍ରୟାସ। ସେ “ୟୁଗେ ଯୁଗେ ଭାରତ’ ଜାତୀୟ ସଂଗ୍ରହାଳୟର ବିକାଶ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ସମ୍ପୂର୍ଣ୍ଣ ହେବା ପରେ ଭାରତର ୫,୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ ଭାବରେ ଠିଆ ହେବ। ୨୦୧୪ ମସିହାରୁ ଭାରତ ଏଭଳି ଶତାଧିକ କଳାକୃତିକୁ ଫେରାଇ ଆଣିଛି ଯାହା ଏହାର ପ୍ରାଚୀନ ସଭ୍ୟତାର ଗୌରବକୁ ପ୍ରଦର୍ଶିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଜୀବନ୍ତ ଐତିହ୍ୟ ତଥା ‘କଲଚର୍ ଫର ଲାଇଫ୍’ ପ୍ରତି ଅବଦାନକୁ ସେ ପ୍ରଶଂସା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଂସ୍କୃତିକ ଐତିହ୍ୟ କେବଳ ପଥରରେ ଖୋଦେଇ କରାଯାଏ ନାହିଁ, ବରଂ ପରମ୍ପରା, ରୀତିନୀତି ଏବଂ ପର୍ବପର୍ବାଣୀ ଗୁଡିକୁ ମଧ୍ୟ ପର ପିଢ଼ିକୁ ପ୍ରଦାନ କରାଯାଏ। କାର୍ଯ୍ୟକାରୀ ଗୋଷ୍ଠୀର ପ୍ରୟାସ ନିରନ୍ତର ଅଭ୍ୟାସ ଏବଂ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିବିଧତା ପାଇଁ ଐତିହ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଏବଂ ଏହା ଭାରତର ‘ବିକାଶ ଭି , ବିରାସତ ଭି’ (ବିକାଶ ସହିତ ଐତିହ୍ୟ ମଧ୍ୟ) ମନ୍ତ୍ରରେ ପ୍ରତିଫଳିତ ହୋଇଛି , ଯାହାର ଅର୍ଥ ହେଉଛି ବିକାଶ ସହିତ ଐତିହ୍ୟର ସଂରକ୍ଷଣ। ପ୍ରାୟ ୩,୦୦୦ ଅନନ୍ୟ କଳାକୃତି ଏବଂ ହସ୍ତଶିଳ୍ପ ସହିତ ୨,୦୦୦ ବର୍ଷର ପରୁଣା ଶିଳ୍ପକାରିଗରୀ ଐତିହ୍ୟ ପାଇଁ ଭାରତ ଗର୍ବିତ” ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଯାହା ଏକା ସାଙ୍ଗରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଭାରତୀୟ ଶିଳ୍ପକାରିଗରୀର ସ୍ୱତନ୍ତ୍ରତାକୁ ପ୍ରଦର୍ଶିତ କରେ।

Related Articles

Leave a Reply

Your email address will not be published.

Back to top button