ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା ୨୦୨୨ର ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୨୭ ସେପ୍ଟେମ୍ବର ୨୦୨୩ରେ ଇନ୍ଦୋର ଠାରେ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତା (ଆଇଏସଏସି) ୨୦୨୨ର ଚତୁର୍ଥ ସଂସ୍କରଣର ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ ଅଧୀନରେ ୨୦୧୮ରୁ ଆଇଏସ୍ଏସି ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ମଧ୍ୟପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦେଶର ସାମଗ୍ରିକ ପୁଞ୍ଜି ନିବେଶ ବୃଦ୍ଧିକୁ ନେଇ ଖୁସି ବ୍ୟକ୍ତ କରିଥିଲେ। ଏହି ପଦକ୍ଷେପକୁ ପ୍ରଶଂସା କରି ସେ କହିଛନ୍ତି ଯେ ଗତ ଏକ ଦଶନ୍ଧି ମଧ୍ୟରେ ସହରାଞ୍ଚଳ ବିକାଶରେ ଆମ ଦେଶର ସାମଗ୍ରିକ ପୁଞ୍ଜି ନିବେଶ ପୂର୍ବ ତୁଳନାରେ ୧୦ ଗୁଣରୁ ଅଧିକ ହୋଇଛି। ଶ୍ରେଷ୍ଠ ଅଭ୍ୟାସ କାର୍ଯ୍ୟକାରୀ କରିବା ଏବଂ କାର୍ଯ୍ୟକ୍ଷମ ବ୍ୟବସାୟ ମଡେଲ୍ ବିକଶିତ କରିବାରେ ସ୍ମାର୍ଟ ସିଟି ମିଶନର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଛନ୍ତି। ନଗର ଉନ୍ନୟନ ସମ୍ବନ୍ଧୀୟ କ୍ଷେତ୍ର ଉପରେ ଜି – ୨୦ର ଗୁରୁତ୍ୱ ବିଷୟରେ ମଧ୍ୟ ରାଷ୍ଟ୍ରପତି ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ଜି- ୨୦ର ଏକ ସବ୍ – ଗ୍ରୁପ୍ ଅର୍ବାନ୍ ୨୦ ସହର ଗୁଡ଼ିକ ମଧ୍ୟରେ ଯୋଗାଯୋଗର ଏକ ସ୍ଥାୟୀ ଅଭ୍ୟାସ ସ୍ଥାପନ କରିବାକୁ ପ୍ରୟାସ କରିଛି । ଏହା ମାଧ୍ୟମରେ ଏକ ସାମୂହିକ ବାର୍ତ୍ତା ମଧ୍ୟ ଦିଆ ଯାଇଥିଲା ଯେ , ନିରନ୍ତର ବିକାଶର ପ୍ରାଥମିକତା ହାସଲ କରିବାରେ ସହର ଗୁଡିକର ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ, ଆମେ ବିଶ୍ୱର ସର୍ବୋତ୍ତମ ପରିଚାଳିତ ସହର ଗୁଡ଼ିକର ସର୍ବୋତ୍ତମ ଅଭ୍ୟାସ ଏବଂ ବ୍ୟବସାୟ ମଡେଲରୁ ଶିକ୍ଷାଲାଭ କରିବା ଉଚିତ ଏବଂ ଆମର ସଫଳ ପ୍ରୟାସକୁ ଅନ୍ୟ ଦେଶ ସହିତ ଅଂଶୀଦାର କରିବା ଉଚିତ୍ । ସାମଗ୍ରିକ ଏବଂ ସ୍ଥାୟୀ ବିକାଶ ପାଇଁ ସ୍ଥାନୀୟ ଏବଂ ବିଶ୍ୱ ସ୍ତରରେ ସହଯୋଗ ଜରୁରୀ ବୋଲି ମଧ୍ୟ ସେ ମତ ଦେଇଛନ୍ତି । ସ୍ମାର୍ଟ ସିଟିରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ୍ ଆଣ୍ଡ ୍ କଣ୍ଟ୍ରୋଲ୍ ସେଣ୍ଟର / ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ଆଇସିସିସି) ର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ସମସ୍ତ ୧୦୦ ସ୍ମାର୍ଟ ସିଟିରେ ଆଇସିସିସି ରହିଛି, ଯେଉଁମାନେ ତଥ୍ୟ ବ୍ୟବହାର କରି ନିଷ୍ପତ୍ତି ନେଉଛନ୍ତି । ସିସିଟିଭି ନିରିକ୍ଷଣକାରୀ କ୍ୟାମେରା ଆଜି ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବାରେ ସହାୟକ ହେଉଛି । କିନ୍ତୁ ବିଶେଷ କରି ମହିଳା ମାନଙ୍କର ସୁରକ୍ଷା ପାଇଁ ଅଧିକ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ମୋର ବିଶ୍ୱାସ ରହିଛି ଯେ, ଏହି ୧୦୦ଟି ସ୍ମାର୍ଟ ସହରରେ କରାଯାଉଥିବା ପ୍ରୟାସ ଆମର ୪୮୦୦ରୁ ଅଧିକ ସହର ଏବଂ ନଗର ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଅବସରରେ ରାଷ୍ଟ୍ରପତି ଦେଶର ବିଭିନ୍ନ ସହରର ମେୟର ଓ ମ୍ୟୁନିସିପାଲିଟି କମିଶନର ମାନଙ୍କୁ ନୂତନ ଆତ୍ମବିଶ୍ୱାସ ଓ ନୂତନ ଶକ୍ତି ସହିତ ଆଗକୁ ବଢ଼ିବାକୁ ଅନୁରୋଧ କରିଥିଲେ । ମୁଁ ଆଶା କରୁଛି ଯେ ଆପଣମାନେ ସମସ୍ତେ ନିଜ ନିଜ ସହରରେ ଏହି ସମ୍ମିଳନୀରେ ଅଂଶୀଦାର ହୋଇଥିବା ସଫଳ ପ୍ରୟାସ ବିଷୟରେ ସୂଚନା ବ୍ୟବହାର କରିବେ । ଏପରି କରିବା ଦ୍ୱାରା ଆପଣମାନେ ସମସ୍ତେ ଏହି କାର୍ଯ୍ୟକ୍ରମକୁ ଅଧିକ ଅର୍ଥପୂର୍ଣ୍ଣ କରି ପାରିବେ ବୋଲି ସେ କହିଥିଲେ । ସଭାକୁ ସମ୍ବୋଧିତ କରି ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଯୋଜନାବଦ୍ଧ ସହରୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତନମୂଳକ ଦୃଷ୍ଟିକୋଣ ବିଷୟରେ କହିଥିଲେ । ସ୍ମାର୍ଟ ସିଟି ମିଶନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ନୂଆ ସହରାଞ୍ଚଳ ଭାରତ’/ ନ୍ୟୁ ଅର୍ବାନ୍ ଇଣ୍ଡିଆ ପରିକଳ୍ପନାର ପ୍ରତୀକ ଏବଂ ଏହା ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଛି, ତାର ଏକ ପ୍ରମୁଖ ଉପାଦାନ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ପୁରୀ କହିଥିଲେ ଯେ, ସ୍ମାର୍ଟ ସିଟି ମିଶନ ଭାରତର ସହରାଞ୍ଚଳ ପାରିବେଶିକ ବ୍ୟବସ୍ଥାରେ ଅଭିନବତା ସୃଷ୍ଟି କରିବା ସହିତ ଭାରତର ୧୦୦ ଟି ବୃହତ୍ ସହରରେ ମୂଳ ଭିତ୍ତିଭୂମି ନିର୍ମାଣ ଏବଂ ସେବାକୁ ସୁଦୃଢ଼ କରିଛି । ଏହା ସରକାର, ବିଶ୍ୱସ୍ତରୀୟ ସଂଗଠନ, ଅଂଶୀଦାର ସହର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ସହିତ ଗଭୀର ଭାଗିଦାରୀକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସପିଭି)/ ସ୍ପେସାଲ୍ ପରପୋଜ୍ ଭେଇକିଲ୍ ମାଧ୍ୟମରେ ଅତ୍ୟନ୍ତ ଆବଶ୍ୟକ ବୈଷୟିକ ଏବଂ ପରିଚାଳନା ସହାୟତା ପ୍ରଦାନ କରି ଦେଶର ତୃତୀୟ ସ୍ତରର ଶାସନକୁ ସଶକ୍ତ କରିଛି ଯାହା ନାଗରିକ – କେନ୍ଦ୍ରିତ, ଭବିଷ୍ୟତ – ପ୍ରସ୍ତୁତ ଉପାୟରେ ସାମାଜିକ, ଅର୍ଥନୈତିକ, ସଂସ୍ଥାଗତ ଏବଂ ଭୌତିକ ଭିତ୍ତିଭୂମି ନିର୍ମାଣରେ ନେତୃତ୍ୱ ନେଇଛି । କ୍ୟାମେରା, ଆଇଓଟି ଡିଭାଇସ, ସେନ୍ସର ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ବାସ୍ତବ ସମୟ ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ କରୁଥିବା ୧୦୦ଟି କାର୍ଯ୍ୟକ୍ଷମ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର (ଆଇସିସିସି) ମହାମାରୀ ସମୟରେ ସହର ନେତାମାନଙ୍କ ପାଇଁ ସୂଚନା ସଂଗ୍ରହ, ରଣନୀତି ବିକଶିତ କରିବା ଏବଂ ନାଗରିକ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦନ ପାଇଁ ‘ୱାର୍ ରୁମ୍’ / ଯୁଦ୍ଧ ଗୃହ ଭାବେ କାର୍ଯ୍ୟ କରିଛି । ସ୍ମାର୍ଟ ସିଟି ମିଶନର ସଫଳତା ପ୍ରତି ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ମିଶନ ଅଧୀନରେ ୧,୭୧,୦୪୪ କୋଟି ଟଙ୍କାର ମୋଟ ୭,୯୩୪ ପ୍ରକଳ୍ପ ମଞ୍ଜୁର କରାଯାଇଛି ଏବଂ ୧,୧୦,୭୯୪ କୋଟି ଟଙ୍କାର ୬,୦୬୯ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ୬୦,୨୫୦ କୋଟି ଟଙ୍କାର ୧୮୬୫ ଟି ପ୍ରକଳ୍ପ ୨୦୨୪ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତୀତ, ପାଖାପାଖି ବର୍ତ୍ତମାନ ସୁଦ୍ଧା ୨୫,୦୦୦ କୋଟି ଟଙ୍କାର ପିପିପି ପ୍ରକଳ୍ପ ପ୍ରଦାନ କରାଯାଇଛି । ଏହି ମିଶନ ଅଧୀନରେ ୨୭୦୦ କିଲୋମିଟରରୁ ଅଧିକ ସ୍ମାର୍ଟ ରାସ୍ତା ନିର୍ମାଣ କରାଯାଇଛି , ପାଖାପାଖି ୭ ହଜାର ସ୍ମାର୍ଟ କ୍ଲାସରୁମ୍ ନିର୍ମାଣ କରାଯାଇଛି ; ୫୦ ଲକ୍ଷରୁ ଅଧିକ ଏଲ୍ଇଡି / ସୋଲାର ଲାଇଟ୍ ଲଗାଯାଇଛି ଏବଂ ୩୦୦ରୁ ଅଧିକ ସ୍ମାର୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ । ଜନସାଧାରଣଙ୍କ ସୁରକ୍ଷାରେ ଉନ୍ନତି ଆଣିବା ପାଇଁ ୧୮୮୪ଟି ଜରୁରୀକାଳୀନ କଲ୍ ବକ୍ସ ଏବଂ ୩୦୦୦ ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା ଓ ଯାନବାହାନ ଚଳାଚଳ ପ୍ରବର୍ତ୍ତନ ବ୍ୟବସ୍ଥା ଲଗାଯାଇଛି । ସହରାଞ୍ଚଳ ଶାସନରେ ଉତ୍କର୍ଷତା ପାଇଁ ଇନ୍ଦୋର ସହରର ପ୍ରଶଂସା କରି ଶ୍ରୀ ହରଦୀପ ଏସ୍ ପୁରୀ କହିଥିଲେ ଯେ ଇନ୍ଦୋର ପୁରସ୍କାର ଏବଂ ପ୍ରଶଂସା ହାସଲ କରିବାର ସମକକ୍ଷ ଅଟେ । ବର୍ଜ୍ୟ ବସ୍ତୁ ପରିଚାଳନା, କାର୍ବନ କ୍ରେଡିଟ୍, ଡିଜିଟାଲ୍ ଟେକ୍ନୋଲୋଜି ଏବଂ ସର୍ବସାଧାରଣ ଖୋଲା ସ୍ଥାନରେ ମଧ୍ୟ ଏହା ଅଭିନବ ସୃଜନଶୀଳତା ବ୍ୟବହାର କରିଛି । ଇନ୍ଦୋର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱର ସହର ଗୁଡିକ ପାଇଁ ସହରୀ ଶାସନ ଏବଂ ନାଗରିକ ଅଂଶଗ୍ରହଣର ଏକ ମଡେଲ ହୋଇଛି । ସେ କହିଛନ୍ତି ଯେ ଏହି ସହର ନିରନ୍ତରତା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିଛି । ପ୍ରକଳ୍ପ ଓ ପଦକ୍ଷେପ ଗୁଡିକ ପାଇଁ ପୁରସ୍କାର ପାଇଥିବା ୩୧ ଟି ସହରକୁ ମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । “ଆପଣ ମାନଙ୍କର ମାନ୍ୟତା ଯୋଗ୍ୟ ଅଟେ; ଏହି ପୁରସ୍କାର ପାଇଁ ଚଳିତ ବର୍ଷ ୮୪୦ ରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି ବୋଲି ସେ କହିଥିଲେ । ସହର ମଧ୍ୟରେ ସୁରଟ ଓ ଆଗ୍ରା ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବାରୁ ସେମାନଙ୍କ ପ୍ରଶଂସା କରିବା ସହିତ ତାମିଲନାଡ଼ୁ, ରାଜସ୍ଥାନ ଓ ଉତ୍ତରପ୍ରଦେଶ ରାଜ୍ୟକୁ ମଧ୍ୟ ମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହା ପୂର୍ବରୁ , ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି ପଟେଲ ନିମ୍ନଲିଖିତ ୪ଟି ଦସ୍ତାବିଜ ଜାରି କରିଥିଲେ, ଯଥା (କ) ଆଇଏସଏସି ପୁରସ୍କାର ୨୦୨୨ ସଂକଳନ, (ଖ) ଏସ୍ସିଏମ୍ ନ୍ୟୁଜ୍ଲେଟର ସଂକଳନ, (ଗ) ୟୁଏନ୍ ହାବିଟାଟ୍ର ରିପୋର୍ଟ: ସ୍ମାର୍ଟ ସିଟି ମିଶନ – ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଏବଂ (ଘ) ଆଇଏସ୍ଏସି ପୁରସ୍କାର ୨୦୨୩ ବ୍ରୋସର୍ (ଇ – ରିଲିଜ୍) । ଏହି ସଭାରେ ସମସ୍ତ ୧୦୦ ସ୍ମାର୍ଟ ସିଟିର ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁମାନେ ସହରାଞ୍ଚଳ ନବସୃଜନତାରେ ଅଗ୍ରଣୀ ହୋଇ ସହରର ବିକାଶର ଅଭ୍ୟାସରେ ଏକ ଆଦର୍ଶ ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି । ଏହି କାର୍ଯ୍ୟକ୍ରମ କେବଳ ମିଶନ ଅଧୀନରେ ହୋଇଥିବା ଉଦାହରଣୀୟ କାର୍ଯ୍ୟକୁ ପ୍ରଦର୍ଶିତ କରିବା ପାଇଁ ସହର ମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରି ନଥିଲା, ବରଂ ସହକର୍ମୀ – ସହକର୍ମୀ ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସ ଗୁଡିକର ପ୍ରସାରକୁ ମଧ୍ୟ ସକ୍ଷମ କରିଥିଲା ।ସ୍ମାର୍ଟ ସିଟି ମିଶନ ଅଧୀନରେ ସହର ଗୁଡ଼ିକ ଦ୍ୱାରା ହାତକୁ ନିଆ ଯାଇଥିବା ପୁରସ୍କାରପ୍ରାପ୍ତ ପ୍ରକଳ୍ପ ଗୁଡ଼ିକର ବ୍ୟାପକ ପ୍ରଦର୍ଶନ ଏହି ସମ୍ମିଳନୀରେ କରାଯାଇଥିଲା, ଯେଉଁଥିରେ ୨,୦୦୦ରୁ ଅଧିକ ଲୋକ ପରିଦର୍ଶନ କରିଥିଲେ । ଏଥିରେ ୫ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଷ୍ଟଲ୍, ୧୩ଟି ସିଟି ଷ୍ଟଲ୍ ଏବଂ ୧୫ରୁ ଅଧିକ ପ୍ରକଳ୍ପ ମଡେଲ୍ ରହିଥିଲା । ଏହା ବ୍ୟତୀତ , ଏକ ସ୍ମାର୍ଟ ଷ୍ଟ୍ରିଟ୍ ତିଆରି କରାଯାଇଥିଲା, ଯେଉଁଥିରେ ଚାଲିବା ଯୋଗ୍ୟ ରାସ୍ତା, ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ / ବୌଦ୍ଧିକ ଭିଡ଼ ପରିଚାଳନା ବ୍ୟବସ୍ଥା (ଆଇଟିଏମ୍ଏସ୍) ଏବଂ ସ୍ମାର୍ଟ ପ୍ରତୀକ ରହିଥିଲା । ଇନ୍ଦୋର, ସୁରଟ, ଚଣ୍ଡିଗଡ଼, ଅହମ୍ମଦାବାଦ, ବେଲଗାଭି, ରାଞ୍ଚି ଇତ୍ୟାଦି ସହରର ପୁରସ୍କାର ପ୍ରାପ୍ତ ସହର ସିଇଓଙ୍କ ସହ ଆଲୋଚନାର ଆୟୋଜନ ମଧ୍ୟ କରାଯାଇଥିଲା ଯାହା ଉତ୍ସାହଜନକ ଆଲୋଚନା ଏବଂ ସହକର୍ମୀ – ସହକର୍ମୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲା ।