ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨୬ ମୃତ, ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ

ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରର ବୈସରନ ଘାଟି ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ପ୍ରାୟ ୨୬ ପର୍ଯ୍ୟଟକ ମୃତ୍ୟୁବରଣ କରିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫/୬ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା କୁହାଯାଇଛି। ତେବେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ମଧ୍ୟ ଥିବା ଜଣାପଡିଛି। ସେ ନିଜ ପରିବାର ସହ ଏଠାକୁ ବୁଲିବାକୁ ଆସିଥିବା ବେଳେ ଆତଙ୍କବାଦୀଙ୍କ ଶିକାର ହୋଇଛନ୍ତି। ମୃତ ଓଡ଼ିଆ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ ପ୍ରଶାନ୍ତ ଶତପଥୀ (୪୩)। ସେ ନିଜ ପତ୍ନୀ ପ୍ରିୟଦର୍ଶିନୀ ଶତପଥୀ ଏବଂ ସେମାନଙ୍କର ୧୧ ବର୍ଷର ପୁଅ ସହିତ ଏପ୍ରିଲ ୧୯ ତାରିଖରେ କାଶ୍ମୀରରେ ପହଞ୍ଚିଥିଲେ। ମଙ୍ଗଳବାର ଅପରାହ୍ଣରେ ସେମାନେ ଯେତେବେଳେ ବୈସାରଣ ଘାଟିରେ ଜିପ୍ଲାଇନ୍ ଯାତ୍ରାର ମଜା ନେଉଥିଲେ ଠିକ୍ ସେତିକିବେଳେ ଆତଙ୍କବାଦୀ ଆକ୍ରମଣ ଆରମ୍ଭ ହୋଇଥିଲା। ତେବେ ମୃତାହତଙ୍କ ମଧ୍ୟରେ ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର ନାଗରିକ ସାମିଲ ରହିଥିବା କୁହାଯାଉଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନୌସେନା ଅଧିକାରୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଭାରତର ସ୍ୱିଜର୍ଲ୍ୟାଣ୍ଡ ଭାବେ ବିବେଚିତ ହେଉଥିବା ବୈସରନ୍ ଘାଟି ଏକ ମନୋରମ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏଠାକୁ ସ୍ଥାନକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାଆନ୍ତି। ଏଠାରେ ପ୍ରାୟତଃ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଥାଏ। ଗ୍ରୀଷ୍ମଋତୁ ସମୟରେ ଏଠାରେ ଥଣ୍ଡା ପରିବେଶ ତଥା ପ୍ରାକୃତିକ ମନୋରମ ଦୃଶ୍ୟର ମଜା ନେବା ପାଇଁ ଏହି ସମୟ ପ୍ରକୃଷ୍ଟ ବୋଲି ବିବେଚନା କରାଯାଉଥିବା ବେଳେ ଦେଶର କୋଣ ଅନୁକୋଣରୁ ୫୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଏଠାରେ ପହଞ୍ôଚଥିôଲେ। ତେବେ ମଙ୍ଗଳବାର ବୈସରନ ଘାଟି ଉପର ଅଞ୍ଚଳରେ ଆତଙ୍କବାଦୀମାନେ କେହି କିଛି ବୁଝିବା ପୂର୍ବରୁ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିବା ଆରମ୍ଭ କରି ଦେଇଥିଲେ। ଘଟଣା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ତେବେ ଏହି ଆତଙ୍କୀ ଘଟଣାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀ (ଯେଉଁମାନେ ଭାଗ୍ୟବଶତଃ ବଞ୍ôଚଯାଇଛନ୍ତି)ଙ୍କ କହିବାନୁସାରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ପ୍ରଥମେ ସେମାନଙ୍କ ଧର୍ମ କ’ଣ ବୋଲି ପଚାରିଥିଲେ। ଯେଉଁମାନେ ମୁସଲିମ୍ ଧର୍ମାବଲମ୍ବୀ ବୋଲି କହିଥିଲେ ସେମାନଙ୍କୁ ଛାଡ଼ି ଦେଇଥିଲେ ଏବଂ ଯେଉଁମାନେ ଅନ୍ୟ ଧର୍ମ ବୋଲି କହିଥିଲେ ସେମାନଙ୍କ ଉପରେ ସେମାନେ ଗୁଳିବର୍ଷା କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାମର ଅବଦ୍ଦୁଲ୍ଲାଙ୍କ ସମେତ ଦେଶର ଅନେକ ବଡ଼ ବଡ଼ ନେତାମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ମୃତାହତଙ୍କ ପରିବାର ପାଇଁ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ, କୌଣସି ପରିସ୍ଥିତିରେ ମଧ୍ୟ ଏଭଳି ବର୍ବୋରୋଚିତ କାଣ୍ଡ ଭିଆଇଥିବା ଲୋକଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକ ଡକାଇଥିବା ଜଣାପଡ଼ିଛି। ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି। ଶାହ ସମସ୍ତ ଏଜେନ୍ସି ସହିତ ଏକ ଜରୁରୀ ସୁରକ୍ଷା ସମୀକ୍ଷା ବୈଠକ କରିବା ପାଇଁ ଶ୍ରୀନଗର ଗସ୍ତ କରିଛନ୍ତି। ଅନନ୍ତନାଗ ପୁଲିସ୍ ପକ୍ଷରୁ ହେଲ୍ପଲାଇନ୍ ନଂ ଜାରି କରାଯାଇଛି। ତେବେ କିଛି ଦିନ ମଧ୍ୟରେ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ଏପ୍ରକାର ଆକ୍ରମଣ ସମଗ୍ର ଦେଶରେ ତୀବ୍ର ଆଲୋଡନ ସୃଷ୍ଟି କରିଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।