ସୁପ୍ରିମ୍ ଜୁଡିସିଆଲ ବ୍ୟାକ୍‌ ଲଗ୍: ଭାରତୀୟ ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟା ଟପିଲା ୫ କୋଟି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ୫ କୋଟିରେ ପହଞ୍ଚିଥିବାବେଳେ ଅଧସ୍ତନ ଅଦାଲତରେ ୪.୩୨ କୋଟିରୁ ଅଧିକ ବ୍ୟାକ୍‌ ଲଗ୍ ରହିଛି ବୋଲି ଗୁରୁବାର ରାଜ୍ୟସଭାରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଏହି ତଥ୍ୟ ଅନୁସାରେ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଜିଲ୍ଲା ଓ ଅଧୀନ ଅଦାଲତରେ ମୋଟ ବିଚାରାଧୀନ ମାମଲା ୪.୩୨ କୋଟିରୁ ଅଧିକ ରହିଛି। ଦେଶର ୨୫ଟି ହାଇକୋର୍ଟରେ ୫୯ ଲକ୍ଷରୁ ଅଧିକ ମାମଲା ରହିଥିବାବେଳେ ସୁପ୍ରିମକୋର୍ଟରେ ୬୯ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି। ସୁପ୍ରିମକୋର୍ଟ ୱେବସାଇଟରେ ଉପଲବ୍ଧ ବିବରଣୀ ଅନୁସାରେ ଫେବ୍ରୁଆରି ୧ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୬୯,୫୧୧ଟି ମାମଲା ବିଚାରାଧୀନ ରହିଛି। ୨୦୨୩ ଫେବ୍ରୁଆରି ପହିଲାରେ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜି)ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ହାଇକୋର୍ଟରେ ୫୯ ଲକ୍ଷ ୮୭ ହଜାର ୪୭୭ଟି ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ ଦେଶର ସର୍ବବୃହତ ହାଇକୋର୍ଟ ଆହ୍ଲାବାଦ ହାଇକୋର୍ଟରେ ୧୦.୩୦ ଲକ୍ଷ ମାମଲା ବିଚାରାଧୀନ ରହିଛି। ସିକ୍କିମ ହାଇକୋର୍ଟରେ ସର୍ବନିମ୍ନ ୧୭୧ଟି ମାମଲା ରହିଛି। ସମୁଦାୟ ବିଚାରାଧୀନ ମାମଲା ୪,୯୨,୬୭,୩୭୩ ବା ୪.୯୨ କୋଟିରୁ ଅଧିକ ରହିଛି।

Related Articles

Leave a Reply

Your email address will not be published.

Back to top button