ସ୍ୱାଧୀନ ଭାରତର ପ୍ରଥମ ଭୋଟର୍ ଶ୍ୟାମ ସରନ୍ ନେଗୀଙ୍କ ନିଧନ

ସିମ୍‌ଲା: ସ୍ୱାଧୀନ ଭାରତର ପ୍ରଥମ ଭୋଟର୍ ଶ୍ୟାମ ସରନ୍ ନେଗୀଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ୧୦୬ ବର୍ଷ ବୟସରେ ନିଧନ ହୋଇଛି । ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ନିବାସୀ ଶ୍ୟାମ ସରନ୍ ଦେଶ ସ୍ୱାଧୀନ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ସମସ୍ତ ନିର୍ବାଚନରେ ଭାଗ ନେଇଥିଲେ । କେବଳ ଏତିକି ନୁହେଁ, ନିଧନର ତିନିଦିନ ପୂର୍ବେ ନଭେମ୍ବର ୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ନିଜର ମତଦାନ କରିଥିଲେ । ନିର୍ବାଚନ କମିଶନ୍ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇଥିଲା । ସେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ନିଜର ମତଦାନ କରିଥିଲେ । ତାଙ୍କ ନିଧନରେ ନିର୍ବାଚନ କମିଶନ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି । କମିଶନ ଟ୍ୱିଟ୍ କରି ଲେଖିଛି, ‘ଶ୍ୟାମ ସରନ୍ ନେଗୀ ସ୍ୱାଧୀନ ଭାରତର ପ୍ରଥମ ଭୋଟର୍ ନଥିଲେ, ଗଣତନ୍ତ୍ର ଉପରେ ସବୁଠୁ ଅଧିକ ଆସ୍ଥା ରଖିଥିବା ବ୍ୟକ୍ତି ମଧ୍ୟ ଥିଲେ । ଲକ୍ଷ ଲକ୍ଷ ଲୋକଙ୍କୁ ସେ ଭୋଟ୍‌ଦାନ ପ୍ରତି ପ୍ରେରିତ କରିଛନ୍ତି । ଦେଶ ପ୍ରତି ତାଙ୍କ ସେବା ପାଇଁ ଆମେ ସର୍ବଦା କୃତଜ୍ଞ ।’
ଶନିବାର ସନ୍ଧ୍ୟାରେ ନେଗୀଙ୍କ ପାର୍ଥିବ ଶରୀରକୁ ତ୍ରିରଙ୍ଗାରେ ଘୋଡ଼ାଇ ଶେଙ୍ଗ୍‌ଠୋଙ୍ଗ୍‌ସ୍ଥିତ ସତ୍‌ଲୁଜ୍ କୂଳରେ ଥିବା ଶ୍ମଶାନଘାଟକୁ ନିଆଯାଇଥିଲା । ସେଠାରେ ହୋମ୍‌ଗାର୍ଡ ବ୍ୟାଣ୍ଡ୍ ବଜାର ଜାତୀୟ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯାଇଛି । ଏହି ଅବସରରେ କିନ୍ନୌର ପୁଲିସ୍ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲା । ନେଗୀଙ୍କ ଶବଯାତ୍ରାରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ନିର୍ବାଚନ ଅବ୍‌ଜରଭର ମଧ୍ୟ ସାମିଲହୋଇ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ନିର୍ବାଚନ କମିଶନର୍ ସନ୍ଧ୍ୟାରେ କିନ୍ନୌର ପହଞ୍ଚି ଶ୍ୟାମ ସରନ୍ ନେଗୀଙ୍କ ପରିବାର ସଦସ୍ୟଙ୍କ ସାନ୍ତ୍ୱନା ପ୍ରଦାନ କରିଛନ୍ତି ।
ସ୍ୱାଧୀନ ଭାରତରେ ନେଗୀ ୧୯୫୧ ଅକ୍ଟୋବର ୨୩ ତାରିଖରେ କଳ୍ପା ବୁଥ୍‌ରେ ନିଜର ପ୍ରଥମ ଭୋଟ୍ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ସେ ୩୪ ଥର ଭୋଟ୍ ଦେଇଛନ୍ତି । ଏହା ମଧ୍ୟରୁ ଚଳିତ ନଭେମ୍ବର ୨ ତାରିଖରେ ନିଜର ଅନ୍ତିମ ଭୋଟ୍ ଦେଇଥିଲେ । ସ୍ୱାଧୀନ ଭାରତରେ ସର୍ବପ୍ରଥମ ଲୋକସଭା ନିର୍ବାଚନ ୧୯୫୨ ଫେବୃଆରୀରେ ହୋଇଥିଲା । ମାତ୍ର ଭୀଷଣ ବରଫପାତ ଆଶଙ୍କାରେ ହିମାଚଳ ପ୍ରଦେଶର ଲୋକଙ୍କ ପାଇଁ ପାଞ୍ଚମାସ ପୂର୍ବରୁ ହିଁ ମତଦାନର ବ୍ୟବସ୍ଥା କରାଯାଇଥିଲା ଏବଂ ସର୍ବପ୍ରଥମେ ଶ୍ୟାମ ସରନ୍ ନେଗୀ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଶୀତ ଋତୁରେ କଳ୍ପାରେ ଚାରି ପାଞ୍ଚ ଫୁଟ ପର୍ଯ୍ୟନ୍ତ ବରଫ ପଡ଼ୁଥିବା ବେଳେ ତାପମାତ୍ରା ଶୂନ୍ୟରୁ ମାଇନସ୍ ୨୦ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥାଏ ।

Related Articles

Leave a Reply

Your email address will not be published.

Back to top button