ଶରଦ ପାୱାରଙ୍କ ଇସ୍ତଫା ଅଗ୍ରାହ୍ୟ

ନୂଆଦିଲ୍ଲୀ : ଏନସିପିର ସଭାପତି ପଦରୁ ହଠାତ୍‌ ଇସ୍ତଫା ଘୋଷଣା କରିଥିବା ଶରଦ ପାୱାରଙ୍କୁ ନେଇ ବଡ଼ ଖବର ଆସିଛି। ସେ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଏହାକୁ ଏନସିପିର ବରିଷ୍ଠ ନେତାମାନଙ୍କୁ ନେଇ ଆୟୋଜିତ ବୈଠକରେ ଅଗ୍ରାହ୍ୟ କରି ଦିଆଯାଇଛି। ଏନସିପି ପ୍ୟାନେଲ ଶରଦ ପାୱାରଙ୍କୁ ଇସ୍ତଫାପତ୍ର ଫେରାଇ ନେବାକୁ କହିଛି। ଶରଦ ପାୱାର ଇସ୍ତଫା ସମ୍ପର୍କରେ ଘୋଷଣା କରିବାରୁ ଆଜି ମୁମ୍ବାଇରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହାପୂର୍ବରୁ ଏନସିପିର କର୍ମକର୍ତ୍ତା ଶରଦ ପାୱାରଙ୍କ ଇସ୍ତଫାକୁ ବିରୋଧ କରି ବିକ୍ଷୋଭ କରିଥିଲେ। ଏଥିସହ କିଛି କର୍ମକର୍ତ୍ତା ଆତ୍ମଦାହ ପାଇଁ ମଧ୍ୟ ଧମକ ଦେଇଥିଲେ। ୧୯୯୯ରେ ଏନସିପି ଗଠନ ହେବା ଦିନ ଠାରୁ ଶରଦ ପାୱାର ଏହାର ମୁଖ୍ୟ ଭାବେ କାମ କରୁଛନ୍ତି। ତେବେ କିଛି ଦିନ ତଳେ ୮୨ ବର୍ଷୀୟ ପାୱାର ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ଘୋଷଣା କରିଥିଲେ। ହେଲେ ଏନସିପି ପ୍ୟାନେଲ ତାଙ୍କର ଇସ୍ତଫାପତ୍ରକୁ ଆଜି ଅଗ୍ରାହ୍ୟ କରି ଦେଇଛି । ୩ ଦିନ ତଳେ ଶରଦ ପାୱାର ଇସ୍ତଫା ବୋମା ପକାଇବା ପରେ ସୁପ୍ରିୟା ଏନସିପିର ଦାୟିତ୍ୱ ନେବେ ଓ ଅଜିତ ପାୱାର ଦଳର ମହାରାଷ୍ଟ୍ର ଚେହେରା ବନିବେ ବୋଲି କୁହାଯାଇଥିଲା। ହେଲେ ଆଜି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଏନସିପି ଉଦ୍ୟମ କରିଛି। ଆଜି ଏନସିପି ପ୍ୟାନେଲ ଶରଦ ପାୱାରଙ୍କ ଇସ୍ତଫାପତ୍ରକୁ ଅଗ୍ରାହ୍ୟ କରିବା ପରେ କର୍ମକର୍ତ୍ତାମାନେ ଉତ୍ସବ ମନାଇଛନ୍ତି। ଏନସିପି କାର୍ଯ୍ୟାଳୟ ବାହାରେ ସେମାନେ ଏକାଠି ହେବା ସହ ଶରଦ ପାୱାରଙ୍କ ସମର୍ଥନରେ ନାରା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button