ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କଲେ ଋଷି ସୁନକ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ଭାରତରେ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି(ରବିବାର) ସକାଳେ ଦିଲ୍ଲୀ ସ୍ଥିତ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଛନ୍ତି । ସକାଳୁ ସକାଳୁ ସୁନକ ନିଜର ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ମନ୍ଦିରରେ ପହଞ୍ଚିଥିଲେ । ତାଙ୍କର ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ମନ୍ଦିରରେ ସ୍ବାମୀ ନାରାୟଣଙ୍କ ଦର୍ଶନ କରିଥିଲେ । ଦୁହେଁ ପ୍ରଭୁଙ୍କୁ ଜଳାଭିଷେକ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଅକ୍ଷରଧାମ ମନ୍ଦିରରେ ସୁନକ ପାଖାପାଖି ୧ ଘଣ୍ଟା ସମୟ ବିତାଇଥିବା ସୂଚନା ମିଳିଛି । ଏହାପରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜଘାଟ ଅଭିମୁଖେ ବାହାରି ଯାଇଥିଲେ ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଅକ୍ଷରଧାମ ମନ୍ଦିର ଗସ୍ତ କାର୍ୟ୍ୟକ୍ରମ ସୂଚନା ମିଳିବା ପରେ ଗତକାଲି ଠାରୁ ମନ୍ଦିରରେ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସୁରକ୍ଷା ସହ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଆଜି ମନ୍ଦିର ବାହାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ଆଖପାଖ ଅଞ୍ଚଳରେ ଚେକିଂ କଡାକଡି ହୋଇଥିଲେ । ତେବେ ସ୍ବାମୀ ନାରାୟଣଙ୍କ ଦର୍ଶନ ସାରି ସୁନକ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସମେତ ଅନ୍ୟାନ୍ୟ ବିଶ୍ବନେତାମାନେ ମଧ୍ୟ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ତାଙ୍କ ସହିତ ପତ୍ନୀ ଅକ୍ଷତା ମୂର୍ତ୍ତି ମଧ୍ୟ ଦିଲ୍ଲୀ ଆସିଛନ୍ତି ।

Related Articles

Leave a Reply

Your email address will not be published.

Back to top button