ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍ କି ବାତ୍”

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡିଓ ଅଭିଭାଷଣର ୧୦୬ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଆସନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍” ର ସଂପୂର୍ଣ୍ଣ ଅଭିଭାଷଣ ପଢିବା…. ମୋର ପ୍ରିୟ ପରିବାରଜନ, ନମସ୍କାର। ‘ମନ୍ କି ବାତ୍’ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। ଏହି ଅଧ୍ୟାୟ ଏଭଳି ସମୟରେ ହେଉଛି, ଯେତେବେଳେ ସାରା ଦେଶରେ ଉତ୍ସବର ବାତାବରଣ ରହିଛି। ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଅଭିନନ୍ଦନ।

ବନ୍ଧୁଗଣ, ଉତ୍ସବର ଏହି ଆନନ୍ଦ ଉଲ୍ଲାସ ମଧ୍ୟରେ ଦିଲ୍ଲୀର ଗୋଟିଏ ଖବରରୁ ହିଁ ମୁଁ ‘ମନ୍ କି ବାତ୍’କୁ ଆରମ୍ଭ କରିବାକୁ ଚାହୁଁଛି । ଏହି ମାସ ଆରମ୍ଭରେ ଗାନ୍ଧି ଜୟନ୍ତୀ ଅବସରରେ ଦିଲ୍ଲୀରେ ରେକର୍ଡ଼ ସଂଖ୍ୟକ ଖଦି ବସ୍ତ୍ର ବିକ୍ରି ହୋଇଛି । ଏଠାରେ କନଟ୍ ପ୍ଲେସ୍ ର ମାତ୍ର ଗୋଟିଏ ଖଦି ଷ୍ଟୋର୍ ରେ ଗୋଟିଏ ଦିନରେ ଲୋକେ ଦେଢ଼ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବସ୍ତ୍ର କିଣିଛନ୍ତି । ଚଳିତ ମାସରେ ଚାଲିଥିବା ଖଦି ମହୋତ୍ସବ ପୁଣିଥରେ ଏହାର ସମସ୍ତ ପୁରୁଣା ରେକର୍ଡ଼ ଭଙ୍ଗ କରିଦେଇଛି । ଆଉ ଗୋଟିଏ କଥା ଜାଣି ଆପଣଙ୍କୁ ବହୁତ ଭଲ ଲାଗିବ, ଦଶବର୍ଷ ଆଗରୁ ଯେଉଁ ଖଦି ଉତ୍ପାଦଗୁଡ଼ିକର ବିକ୍ରି ବଡ଼ କଷ୍ଟରେ ୩୦ ହଜାର କୋଟି ଟଙ୍କାରୁୁ ମଧ୍ୟ କମ ରହୁଥିଲା, ଏବେ ଏହା ବୃଦ୍ଧି ପାଇ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ହୋଇଯାଇଛି । ଖଦି ବିକ୍ରୟ ବୃଦ୍ଧି ପାଇବାର ଅର୍ଥ ହେଲା ଏହାର ଲାଭ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ବିଭିନ୍ନ ଶ୍ରେଣୀର ଲୋକଙ୍କ ପାଖକୁ ପହଂଚୁଛି । ଏହି ବିକ୍ରୟର ଲାଭ ଆମ ବୁଣାକାର, ହସ୍ତଶିଳ୍ପ କାରିଗର, ଆମ ଚାଷୀ, ଆୟୁର୍ବେଦିକ ଗୁଳ୍ମ ଲଗାଉଥିବା କୁଟୀର ଉଦ୍ୟୋଗୀ – ସମସ୍ତଙ୍କୁ ମିଳୁଛି । ଆଉ, ଏହାହିଁ ତ ହେଉଛି, ଭୋକାଲ୍ ଫର୍ ଲୋକାଲ୍ ଅଭିଯାନର ଶକ୍ତି । ଧିରେ ଧିରେ ଆପଣ ସମସ୍ତ ଦେଶବାସୀଙ୍କ ସମର୍ଥନ ଏଥି ପ୍ରତି ବୃଦ୍ଧି ପାଇଚାଲିଛି ।

ବନ୍ଧୁଗଣ, ଆଜି ମୁଁ ମୋର ଆଉ ଗୋଟିଏ ଅନୁରୋଧ ଆପଣମାନଙ୍କ ଆଗରେ ଦୋହରାଇବାକୁ ଚାହୁଁଛି । ଅତ୍ୟନ୍ତ ଆନ୍ତରିକତାର ସହ ଦୋହରାଇବାକୁ ଚାହୁଁଛି । ଆପଣ ଯେତେବେଳେ ବି କୌଣସି ପର୍ଯ୍ୟଟନ, ତୀର୍ଥାଟନ ଉଦ୍ଦେଶ୍ୟରେ ଯାଉଛନ୍ତି, ସେତେବେଳେ ସେଠାକାର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଜିନିଷମାନ ନିଶ୍ଚୟ କିଣନ୍ତୁ । ଆପଣ ନିଜର ସେହି ଯାତ୍ରାର ସମୁଦାୟ ବଜେଟ୍ରୁ ସ୍ଥାନୀୟ ଉତ୍ପାଦଗୁଡ଼ିକୁ କିଣିବା ପାଇଁ କିଛି ଅଂଶ ନିର୍ଦ୍ଧାରିତ କରିବାକୁ ଅଗ୍ରାଧିକାର ଦିଅନ୍ତୁ । ୧୦ ପ୍ରତିଶତ ହେଉ, ୨୦ ପ୍ରତିଶତ ହେଉ, ଯେତିକି ଆପଣଙ୍କୁ ସୁବିଧା ହେଉଛି, ଲୋକାଲ୍ ଉତ୍ପାଦ କିଣିବାରେ ଏହାକୁ ଖର୍ଚ୍ଚ କରନ୍ତୁ ଏବଂ ସେହି ସ୍ଥାନରେ ହିଁ ଖର୍ଚ୍ଚ କରନ୍ତୁ ।

ବନ୍ଧୁଗଣ, ପ୍ରତିଥର ପରି ଏଥର ମଧ୍ୟ, ଆମ ପର୍ବପର୍ବାଣୀରେ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଆମ ଅଗ୍ରାଧିକାର ରହୁ । ଆମେ ମିଶିକରି ସେହି ସ୍ୱପ୍ନକୁ ପୂରଣ କରିବା । ଆମର ସ୍ୱପ୍ନ ହେଉଛି ଆତ୍ମନିର୍ଭର ଭାରତ । ଏଥର ସେହିଭଳି ବସ୍ତୁ ଦ୍ୱାରା ଘରକୁ ଆଲୋକିତ କରନ୍ତୁ, ଯେଉଁଥିରେ ମୋର କୌଣସି ଦେଶବାସୀର ସ୍ୱେଦର ମହକ ଥିବ, ମୋ ଦେଶର କୌଣସି ଯୁବକର ପ୍ରତିଭା ଥିବ, ସେହି ଜିନିଷ ତିଆରି ହେବାରେ ମୋ ଦେଶବାସୀ ରୋଜଗାର ପାଇଥିବେ! ଆମ ଦୈନନ୍ଦିନ ଆବଶ୍ୟକତାର ଯେକୌଣସି ଜିନିଷ ହେଉ, ଆମେ କେବଳ ଲୋକାଲ୍ ହିଁ କିଣିବା । କିନ୍ତୁ ଆଉ ଗୋଟିଏ କଥା ଉପରେ ଆପଣଙ୍କୁ ଦୃଷ୍ଟି ଦେବାକୁ ହେବ ।

ଭୋକାଲ୍ ଫର୍ ଲୋକାଲ୍ ର ଏହି ଭାବନା କେବଳ ଉତ୍ସବ ସମୟର କିଣାକିଣି ମଧ୍ୟରେ ସୀମିତ ନୁହେଁ, କାରଣ ମୁଁ ଦେଖିଛି ଯେ, ଦୀପାବଳୀ ପାଇଁ ମାଟି ଦୀପ କିଣି ସେ କଥାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖନ୍ତି ଭୋକାଲ୍ ଫର୍ ଲୋକାଲ୍ । ଆରେ ନା! ଇଏ ତ କେବଳ ଆରମ୍ଭ ମାତ୍ର । ଆମକୁ ଆହୁରି ବହୁତ ଆଗକୁ ଯିବାକୁ ହେବ । ଜୀବନର ପ୍ରତ୍ୟେକ ଆବଶ୍ୟକତା – ଏବେ ଆମ ଦେଶରେ ସବୁ କିଛି ଉପଲବ୍ଧ । ଏହି ଦୃଷ୍ଟିଭଙ୍ଗୀ କେବଳ ଉଠାଦୋକାନୀ ଏବଂ ଛୋଟ ବ୍ୟବସାୟୀଙ୍କ ଠାରୁ ଜିନିଷ କିଣିବା ଯାଏଁ ସୀମିତ ନୁହେଁ ।

ଭାରତ ଆଜି ବିଶ୍ୱର ସବୁଠାରୁ ବଡ଼ ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାକୁ ଯାଉଛି । ଅନେକ ବଡ଼ ବଡ଼ ବ୍ରାଣ୍ଡ ଏଠାରେ ହିଁ ତାଙ୍କ ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି । ଆମେ ଯଦି ସେହି ପ୍ରଡକ୍ଟଗୁଡ଼ିକୁ ଆପଣାଇବା ତାହେଲେ ମେକ୍ ଇନ୍ ଇଣ୍ଡିଆ ଚିନ୍ତାଧାରା ପ୍ରୋତ୍ସାହିତ ହେବ । ଏହା ମଧ୍ୟ ପ୍ରକାରାନ୍ତରେ ଭୋକାଲ୍ ଫର୍ ଲୋକାଲ୍ର ଅନୁସରଣ । ଆଉ ହଁ, ଏଭଳି ପ୍ରଡକ୍ଟ କ୍ରୟ କରିବା ସମୟରେ ଆମ ଦେଶର ଗୌରବ ୟୁ.ପି.ଆଇ. ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଦ୍ୱାରା ନେଣଦେଣ କରିବା ପାଇଁ ଆଗ୍ରହୀ ହେବେ, ଏହାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବେ । ଆଉ, ସେହି ବସ୍ତୁ କିମ୍ବା ସେହି କାରିଗର ସହିତ ଉଠାଇଥିବା ସେଲ୍ଫିକୁ ନମୋ ଆପ୍ରେ ମୋ ସହ ଶେୟାର କରିବେ, ଆଉ ତାହା ବି ମେଡ୍ ଇନ୍ ଇଣ୍ଡିଆ- ସ୍ମାର୍ଟଫୋନ ଦ୍ୱାରା । ସେହି ପୋଷ୍ଟଗୁଡ଼ିକ ମଧ୍ୟରୁ କିଛିକୁ ମୁଁ ସାମାଜିକ ଗଣମାଧ୍ୟମରେ ଶେୟାର କରିବି, ଯାହାଫଳରେ ଅନ୍ୟମାନେ ମଧ୍ୟ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଅନୁପ୍ରାଣିତ ହେବେ ।

ବନ୍ଧୁଗଣ, ଯଦି ଆପଣ ଭାରତରେ ନିର୍ମିତ, ଭାରତୀୟମାନଙ୍କ ଦ୍ୱାରା ନିର୍ମିତ ଦ୍ରବ୍ୟଗୁଡ଼ିକ ସହିତ ଦୀପାବଳୀ ପାଳନ କରିବେ, ନିଜ ପରିବାରର ପ୍ରତ୍ୟେକ ଛୋଟ-ବଡ଼ ଆବଶ୍ୟକତା ଲୋକାଲ୍ ଜିନିଷ ଦ୍ୱାରା ପୂରଣ କରିବେ, ତାହେଲେ ଦୀପାବଳୀର ଚମକ ତ ଆହୁରି ବଢ଼ିଯିବ, ତା ସହିତ ସେହି କାରିଗରମାନଙ୍କ ଜୀବନରେ ଗୋଟିଏ ନୂତନ ଦୀପାବଳୀ ଆସିବ, ଜୀବନରେ ଏକ ନବପ୍ରଭାତ ଆସିବ, ସେମାନଙ୍କ ଜୀବନ ସରସ-ସୁନ୍ଦର ହେବ । ଭାରତକୁ ଆତ୍ମନିର୍ଭର କରନ୍ତୁ । ମେକ୍ ଇନ୍ ଇଣ୍ଡିଆ ହିଁ ବାଛନ୍ତୁ, ଯାହାଫଳରେ ଆପଣଙ୍କ ସହିତ ଆହୁରି କୋଟି କୋଟି ଲୋକଙ୍କ ଦୀପାବଳୀ ମଧ୍ୟ ସୁନ୍ଦର ହେବ, ଆନନ୍ଦଦାୟକ ହେବ, ଉଜ୍ଜ୍ୱଳ ହେବ, ଉତ୍ସାହଜନକ ହେବ ।

ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ୩୧ ତାରିଖ ହେଉଛି ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ । ସେହିଦିନ ଆମେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ପାଳନ କରିଥାଉଁ । ଆମେ ଭାରତବାସୀ, ଅନେକ କାରଣରୁ ତାଙ୍କୁ ସ୍ମରଣ କରିଥାଉଁ ଏବଂ ସଶ୍ରଦ୍ଧ ପ୍ରଣାମ କରିଥାଉଁ । ସବୁଠାରୁ ବଡ଼ କାରଣ ହେଉଛି ଦେଶର ୫୮୦ରୁ ଅଧିକ ଦେଶୀୟ ରାଜ୍ୟଗୁଡ଼ିକୁ ଯୋଡ଼ିବାରେ ତାଙ୍କର ଅତୁଳନୀୟ ଭୂମିକା ରହିଛି । ଆମେ ଜାଣୁ ଯେ, ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଏକତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଏଥର ଏହି ସମାରୋହ ବ୍ୟତୀତ, ଦିଲ୍ଲୀଠାରେ କର୍ତ୍ତବ୍ୟପଥରେ ଗୋଟିଏ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

Related Articles

Leave a Reply

Your email address will not be published.

Back to top button