’ଗଙ୍ଗା ବିଳାସ’ ରିଭର୍ କ୍ରୁଜ୍‌ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକାଶୀରେ ପତାକା ଦେଖାଇ ବିଶ୍ୱର ସବୁଠୁ ଲମ୍ବା ଜଳମାର୍ଗରେ ଯାତ୍ରା କରିଥିବା ‘ଗଙ୍ଗା ବିଳାସ’ କ୍ରୁଜ୍‌ର ଶୁଭାରମ୍ଭ କରିଛନ୍ତି । ଏହା ସହିତ ମୋଦୀ ଫାଇଭ୍ ଷ୍ଟାର୍ ଟେଣ୍ଟ୍ ସିଟିକୁ ଉଦ୍‌ଘାଟନ କରିଛନ୍ତି । ଏମ୍‌ଭି ଗଙ୍ଗା ବିଳାସ କ୍ରୁଜ୍ ବାରାଣସୀରୁ ଆସାମର ଦିବ୍ରୁଗଡ଼ ୩୨୦୦ କିମି ଯାତ୍ରା କରିବ । ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ କହିଥିଲେ ଏହି ଦୀର୍ଘ ନଦୀ ଜଳଯାତ୍ରା ଦ୍ୱାରା ପୂର୍ବ ଭାରତର ଅନେକ ପର୍ଯ୍ୟଟନସ୍ଥଳ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ଭାବେ ସାମିଲ ହେବ । ସମାରୋହରେ ଭିିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିବା ବିହାର ଉପମୁଖ୍ୟମନ୍ତ୍ରୀ ଜେତସ୍ୱୀ ଯାଦବ କହିଥିଲେ, କ୍ରୁଜ୍ ରାଜ୍ୟର ଛଅଟି ସ୍ଥଳ ବକ୍ସର୍‌, ଛପ୍ରା, ପାଟନା, ସମରିୟା, ମୁଙ୍ଗେର, ସୁଲ୍‌ତାନ୍‌ଗଞ୍ଜ ଏବଂ କହଲଗାଓଁରେ ଅଟକିବ । କ୍ରୁଜ୍ ବିହାର ଦେଇ ଯାତ୍ରା କରିବା ଅବସରରେ ପର୍ଯ୍ୟଟକମାନେ ବିହାରର ସଂସ୍କୃତି ଓ ଇତିହାସ ସହିତ ପରିଚିତ ହେବେ । ଯାତ୍ରାକୁ ସୁଗମ ଏବଂ ଗତିମାନ କରିବା ନିମନ୍ତେ ଜିଲ୍ଲାଗୁଡ଼ିକରେ ଜଣେ ଲେଖାଏଁ ନୋଡାଲ୍ ଅଧିକାରୀ ନିଯୁକ୍ତ କରାଯାଇଛନ୍ତି । ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ରିଭର୍ କ୍ରୁଜ୍ ଏମ୍‌ଭି ଗଙ୍ଗା ବିଳାସର ପର୍ଯ୍ୟଟକମାନେ ତିନି ଦିନରେ ବାରାଣସୀ ଏବଂ ଆଖାପାଖ ସ୍ଥାନ ବୁଲି ସଂସ୍କୃତିର ଅନୁଭବ କରିଥିଲେ । କାଶୀ ଆଜି ଏକ ନୂଆ ପରିଚୟ ସହିତ ଆଗକୁ ବଢ଼ୁଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍‌ମା ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ୟୁପିର ଚାରିଟି କମ୍ୟୁନିଟି ଜେଟି ଏବଂ କାଶୀରେ ପର୍ଯ୍ୟଟକଙ୍କ ପାଇଁ ଟେଣ୍ଟ୍ ସିଟିର ଉଦ୍‌ଘାଟନ ମଧ୍ୟ କରିଥିଲେ । ଗାଜିପୁର ଜିଲ୍ଲାର ସୈଦପୁର, ଚୋଚକପୁର, ଜମାନିୟା ଏବଂ ବାଲିଆ ଜିଲ୍ଲାରେ କଂସପୁରରେ ଏହି କମ୍ୟୁନିଟି ଜେଟି ନିର୍ମାଣ କରାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ବିହାରର ପାଟନା ଜିଲ୍ଲାର ଦୀଘା, ନକଟା ଦିୟାରା, ବାଢ଼, ପାନାପୁର ଏବଂ ସମସ୍ତିପୁର ଜିଲ୍ଲାର ହସନପୁରରେ ପାଞ୍ଚ ସାମୂଦାୟିକ ଘାଟର ଶିଳାନ୍ୟାସ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହଳଦିଆରେ ଜଳମାର୍ଗ ବିକାଶ ପରିଯୋଜନା ଅଧୀନରେ ବିକଶିତ ମଲ୍ଟି ମଡେଲ୍ ଟର୍ମିନାଲ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ଟର୍ମିନାଲ୍‌ର କାର୍ଗୋ ହ୍ୟାଣ୍ଡଲିଂ କ୍ଷମତା ପ୍ରତିବର୍ଷ ପାୟ ତିନି ମିଲିୟମ୍ ମେଟ୍ରିକ୍ ଟନ୍ ହୋଇଥିବା ବେଳେ  ବର୍ଥକୁ ପ୍ରାୟ ୩୦୦୦ ଡେଡ୍‌ୱେଟ୍ ଟନେଜ୍ ପର୍ଯ୍ୟନ୍ତ ଜାହାଜକୁ ସମ୍ଭାଳିବା ନିମନ୍ତେ ଡିଜାଇନ୍ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଗୁଆହାଟୀରେ ସାମୁଦ୍ରିକ କୌଶଳ ବିକାଶ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି । ଏହା ଉତ୍ତର-ପୂର୍ବାଞ୍ଚଳରେ ସମୃଦ୍ଧ ପ୍ରତିଭା  ଗଢ଼ିବାରେ ସହାୟତା କରିବ । ଏହା ସହିତ ଦ୍ରୁତ ଭାବେ ବୃଦ୍ଧି ପାଉଥିବା ଲଜିଷ୍ଟିକ୍ ଇଣ୍ଡଷ୍ଟ୍ରିରେ ରୋଜଗାରର ଉନ୍ନତ ସୁଯୋଗ ପ୍ରଦାନ କରିବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଗୁଆହାଟୀରେ ପାଣ୍ଡୁ ଟର୍ମିନାଲ୍‌ରେ ଏକ ଜାହାଜ ମରାମତି ସୁବିଧା ଏବଂ ଏକ ଏଲିଭେଟେଡ୍ ରୋଡ୍‌ର ଶିଳାନ୍ୟାସ ମଧ୍ୟ କରିଥିଲେ ।

Related Articles

Leave a Reply

Your email address will not be published.

Back to top button