ରାହୁଲ ଗାନ୍ଧୀଙ୍କୁ ପାଟନା କୋର୍ଟର ସମନ; ଏପ୍ରିଲ୍ ୧୨ରେ ହାଜର ହେବାକୁ ନିର୍ଦ୍ଦେଶ

ପାଟନା : ମୋଦୀ ସାଙ୍ଗିଆକୁ ନେଇ ଆପତ୍ତିଜନକ ବୟାନ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାଟନାର ଏକ କୋର୍ଟ ସମନ ଜାରି କରିଛି । ମାନହାନି ମାମଲାରେ ଏପ୍ରିଲ୍ ୧୨ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛି । ବିଜେପି ନେତା ଏବଂ ରାଜ୍ୟସଭା ସାଂସଦ ସୁଶୀଲ ମୋଦୀଙ୍କ ପିଟିସନ୍ ଉପରେ ରାହୁଲଙ୍କୁ ବୟାନ ରେକର୍ଡ କରାଇବାକୁ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟର ସ୍ପେଶାଲ ଜଜ୍ ତଲବ କରିଛନ୍ତି । ତେବେ ରାହୁଲ ଏପ୍ରିଲ୍ ୧୨ରେ ହାଜର ହୋଇପାରିବେ ନାହିଁ ବୋଲି ତାଙ୍କ ଓକିଲ କହିଛନ୍ତି । କୋର୍ଟରେ ବୟାନ ରେକର୍ଡ ପାଇଁ ସମୟ ମଗାଯିବ ବୋଲି ସେ କହିଛନ୍ତି । ଏହି ମାମଲାରେ ରାହୁଲ ଜାମିନରେ ଅଛନ୍ତି । ଏହି ମାମଲା ସୁଶୀଲ ମୋଦୀ ୨୦୧୯ରେ ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ରାହୁଲ ମୋଦୀ ସମୁଦାୟକୁ ଚୋର କହି ଅପମାନିତ କରିଛନ୍ତି । ଏହାପରେ କଂଗ୍ରେସ ନେତା କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏବଂ ତାଙ୍କୁ ଜାମିନ ମିଳିଥିଲା । ଅନ୍ୟପକ୍ଷରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ପୂର୍ବତନ କମିଶନର ଲଳିତ ମୋଦୀ ତାଙ୍କ ବିରୋଧରେ କରିଥିବା ଟିପ୍ପଣୀକୁ ନେଇ ଲଣ୍ଡନ କୋର୍ଟରେ ରାହୁଲଙ୍କ ନାମରେ ମୋକଦ୍ଦମା କରିବେ । ଗୁରୁବାର ଟ୍ୱିଟର୍‌ରେ ସେ ଏହି ଘୋଷଣା କରିଛନ୍ତି । ରାହୁଲ ତାଙ୍କ ନାମ ଭ୍ରଷ୍ଟାଚାର ଏବଂ ମନି ଲଣ୍ଡରିଂରେ ଯୋଡ଼ିଥିଲେ । ଆଇପିଏଲ୍‌ରେ ବିତ୍ତୀୟ ଅନିୟମିତତା ଅଭିଯୋଗରେ ଛନ୍ଦିହେବା ପରେ ଲଳିତ ମୋଦୀ ୨୦୧୦ରୁ ଲଣ୍ଡନରେ ବାସ କରୁଛନ୍ତି । ରାହୁଲ ତାଙ୍କୁ ପଳାତକ କହିବା ଉପରେ ପ୍ରଶ୍ନ ଉଠାଇ ଲଳିତ ମୋଦୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସେ କୌଣସି ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ଲଳିତ ମୋଦୀ ଦାବି କରିଛନ୍ତି ଯେ ସେ ବିଶ୍ୱର ସବୁଠୁ ବଡ଼ ସ୍ପୋର୍ଟ୍ସ ଇଭେଣ୍ଟ୍‌ର ଆୟୋଜନ କରିଛନ୍ତି । ଏଥିରୁ ଏବେ ପ୍ରାୟ ୧୦୦ ବିଲିୟନ୍ ଡଲାର ଆୟ ହେଉଛି । ଏହା ବ୍ୟତୀତ ତାଙ୍କ ପରିବାର ଗାନ୍ଧୀ ପରିବାର ତୁଳନାରେ ଭାରତ ପାଇଁ ଅଧିକ କାମ କରିଛି । ସେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଅଭିଯୋଗର ପ୍ରମାଣିତ କରିବାକୁ ଆହ୍ୱାନ ଦେବା ସହିତ ଅଦାଲତରେ ରାହୁଲଙ୍କୁ ସମ୍ପୂର୍ଣ୍ଣ ଭାବେ ମୂର୍ଖ ପ୍ରମାଣିତ କରିବାକୁ ଉତ୍ସୁକ ବୋଲି କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button