ଛତିଶଗଡ଼ ସୀମାନ୍ତରେ ନକ୍ସଲ-ପୁଲିସ ମୁହାଁମୁହିଁ: ୪ ନକ୍ସଲ ନିପାତ

ରାୟପୁର : ଛତିଶଗଡ଼ ସୀମାନ୍ତରେ କମ୍ବିଂ ଅପରେସନ ବେଳେ ନକ୍ସଲ-ପୁଲିସ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଗୁଳିରେ ୪ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ପୁଲିସ ବିଜାପୁର ଜିଲ୍ଲାରେ କମ୍ବିଂ ଅପରେସନ କରୁଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଗଙ୍ଗାଲୁର ପୁଲିସ ଅଧୀନରେ କୋବ୍ରା ବାଟାଲିଅନ ଏବଂ ସିଆର୍‌ପିଏଫ୍ ଯବାନ ମିଳିତ ଭାବେ କୋରଚେଲି ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ; ଯେଉଁଥିରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏଥିସହ ଏକାଧିକ ନକ୍ସଲ ଆହତ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଏନେଇ ବିଜାପୁର ଏସପି ଜିତେନ୍ଦ୍ର କୁମାର ଯାଦବ ନିଶ୍ଚିତ କରିଛନ୍ତି । ନକ୍ସଲ ନିପାତ ହେବା ସହ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିବା ସେ କହିଛନ୍ତି । ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ବିଜାପୁର ଜିଲ୍ଲାରେ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ନିକଟରେ ଏହି ଅଞ୍ଚଳରେ ହୋଇଥିବା ଅପରେସନରେ ୬ ଜଣ ନକ୍ସଲ ନିପାତ ହୋଇଥିଲେ । ଆଜି ପୁଣି ଏନକାଉଣ୍ଟର କରାଯାଇଛି । ଘଟଣାସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି । ସୁକୁମା-ବିଜାପୁର ସୀମାବର୍ତ୍ତୀ ଗାଙ୍ଗାଲୁର ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି । ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ସର୍ଚିଂ ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଏକେ-୪୭,ଏଲଏମଜି, ଅଟୋମେଟିକ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଏସପି ଘଟଣା ଉପରେ ନଜର ରଖିଛନ୍ତି ।

Related Articles

Leave a Reply

Your email address will not be published.

Back to top button