ଘୋଷଣା ହେଲା ଜାତୀୟ ଚଳଚିତ୍ର ପୁରସ୍କାର, ‘ପୁଷ୍ପା’ ପାଇଁ ଆଲୁ ଅର୍ଜ୍ଜୁନ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଫିଚର ଫିଲ୍ମ ଜୁରି କେତନ ମେହେଟ୍ଟା କହିଛନ୍ତି ଯେ ଆର ମାଧବନଙ୍କ ନିର୍ଦ୍ଦେଶିତ ‘ରକେଟ୍ରି- ଦ ନାମ୍ବି ଇଫେକ୍ଟ’ 2021 ବର୍ଷ ପାଇଁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବରେ ବିବେଚିତ ହୋଇଛି। ସେହିପରି ପୁଷ୍ପା ଚଳଚିତ୍ର ପାଇଁ ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି ଯେ ଆଲିଆ ଭଟ୍ଟ ଏବଂ କ୍ରିତି ସାନୋନ୍ ଉଭୟ ‘ଗାଙ୍ଗୁବାଇ କାଠିଆୱାଡି’ ଏବଂ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ସେ କହିଛନ୍ତି, ପଲ୍ଲବୀ ଯୋଶୀ ‘କାଶ୍ମୀର ଫାଇଲ’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପାଇବେ ଏବଂ ପଙ୍କଜ ତ୍ରିପାଠୀଙ୍କୁ ‘ମିମି’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିବ। ଶ୍ରୀ ମେହେଟ୍ଟା କହିଛନ୍ତି, ଶ୍ରେଷ୍ଠ ମନୋରଞ୍ଜନ ଯୋଗାଉଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘ଆରଆରଆର’ ପୁରସ୍କାର ପାଇଛି। ସେହିପରି ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ’ ଜାତୀୟ ଏକତ୍ରୀକରଣ ପାଇଁ ସର୍ବୋତ୍ତମ ଚଳଚ୍ଚିତ୍ର ଭାବେ ନର୍ଗିସ୍ ଦତ୍ତ ପୁରସ୍କାର ପାଇବ। ଅଣ-ଫିଚର ଚଳଚ୍ଚିତ୍ର ଜୁରୀ ଚେୟାରମ୍ୟାନ୍ ବସନ୍ତ ଏସ୍ ସାଇ ଘୋଷଣା କରିଛନ୍ତି ଯେ ଶ୍ରୀକୃଷ୍ଣ ଲାଖେରାଙ୍କ ନିର୍ଦ୍ଦେଶିତ ‘ଏକ ଥା ଗାଁଓ’ ଚଳଚିତ୍ର ଚଳିତ ବର୍ଷର ଶ୍ରେଷ୍ଠ ଅଣ-ଫିଚର ଫିଲ୍ମ ଭାବରେ ସମ୍ମାନିତ ହୋଇଛି। ନିଖିଲ ମହାଜନ ତାଙ୍କ ମରାଠୀ ଚଳଚ୍ଚିତ୍ର ‘ଗୋଦାବରୀ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତାୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ଚଳଚ୍ଚିତ୍ର ‘ଇରାଭିନ ନିଜାଲ’ର ଗୀତ ମାୟାଭା ଛାୟା.. ଗୀତ ପାଇଁ ଶ୍ରେୟା ଘୋଷାଲ ଶ୍ରେଷ୍ଠ କଣ୍ଠଶିଳ୍ପୀ ଏବଂ କାଲା ଭୈରବ ଚଳଚ୍ଚିତ୍ର ‘ଆର ଆର ଆର’ ର ‘କୋମୁରାମ ଭୀମୁଡୋ’ ଗୀତ ପାଇଁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଛନ୍ତି। ଚନ୍ଦ୍ରବୋଷ ତେଲୁଗୁ ଚଳଚ୍ଚିତ୍ର ‘କୋଣ୍ଡା ପାଲାମ’ ପାଇଁ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବେ। ପ୍ରେମ ରକ୍ଷିତ ‘ଆରଆରଆର’ ଚଳଚିତ୍ର ପାଇଁ ଶ୍ରେଷ୍ଠ କୋରିଓଗ୍ରାଫି ପୁରସ୍କାର ପାଇବେ। ଦେବୀ ଶ୍ରୀ ପ୍ରସାଦ ‘ପୁଷ୍ପା ଦି ରାଇଜ୍’ ଏବଂ ‘ଆରଆରଆର’ ପାଇଁ ଏମ୍ ଏମ୍ କେରଭାନି ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପୁରସ୍କାର ପାଇବେ। ସୋଜିତ୍ ସିର୍କରଙ୍କ ଜୀବନୀ ଉପରେ ଆଧାରିତ ଐତିହାସିକ ନାଟକ ‘ସର୍ଦ୍ଦାର ଉଦମ୍ ସିଂ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନିତ ହୋଇଛି। ଏହା ବ୍ୟତୀତ ଏହି ଚଳଚିତ୍ର ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍ ଏବଂ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପୁରସ୍କାର ମଧ୍ୟ ପାଇଛି। ଗୁଜୁରାଟୀ ଚଳଚ୍ଚିତ୍ର ‘ଚେଲୋ ସୋ’ ପାଇଁ ଭବାନୀ ରାବାରୀ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇବେ। ବକୁଲ ମିତିୟାନି ‘ସ୍ମାଇଲ୍ ପ୍ଲିଜ’ ଅଣ-ଫିଚର ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ପାଇବେ। 2021 ମସିହାରେ ପୁରସ୍କାର ପାଇଁ 28 ଟି ଭାଷାରୁ ମୋଟ 280 ଚଳଚ୍ଚିତ୍ର ଦାଖଲ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button