ବୈଦେଶିକ ବାଣିଜ୍ୟ ନୀତି ୨୦୨୩ର ଶୁଭାରମ୍ଭ

ନୂଆଦିଲ୍ଲୀ : ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ  ନୂଆଦିଲ୍ଲୀରେ ବୈଦେଶିକ ବାଣିଜ୍ୟ ନୀତି-୨୦୨୩ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀ ଗୋୟଲ୍‍ କହିଛନ୍ତି, ଏହି ନୀତି ଅତ୍ୟନ୍ତ ବ୍ୟାପକ ଓ ସାମ୍ପ୍ରତିକ ଆବଶ୍ୟକତାକୁ ଖାପ ଖୁଆଇବା ଭଳି ଏହାକୁ ଉନ୍ମୁକ୍ତ ରଖାଯାଇଛି । ସେ କହିଛନ୍ତି, ବିଭିନ୍ନ ଅଂଶୀଦାରମାନଙ୍କ ସହ ବ୍ୟାପକ ବିଚାରବିମର୍ଶର୍ ପରେ ଏହି ନୀତି ପ୍ରଣୟନ କରାଯାଇଛି । ମନ୍ତ୍ରୀ କହିଛନ୍ତି, ସେବା ଓ ସାମଗ୍ରୀ ରପ୍ତାନୀ ସମେତ ଭାରତର ମୋଟାମୋଟି ରପ୍ତାନୀ ୭୫ହଜାର କୋଟି ଡଲାରକୁ ଅତିକ୍ରମ କରିଛି ଓ ବର୍ଷ ଶେଷସୁଦ୍ଧା ଏହା ୭୬ ହଜାର ଡଲାରକୁ ଅତିକ୍ରମ କରିଯିବାର ଆଶା କରାଯାଉଛି । ବୈଦେଶିକ ବାଣିଜ୍ୟ ନୀତିରେ ଭାରତର ରପ୍ତାନୀ ୨୦୩୦ ସୁଦ୍ଧା ୨ଲକ୍ଷ କୋଟି ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରପ୍ତାନୀକାରୀମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ଶ୍ରୀ ମୋଦୀ ରପ୍ତାନୀକାରୀଙ୍କୁ ସେମାନଙ୍କ ରପ୍ତାନୀ ବୃଦ୍ଧି କରିବାକୁ ଉତ୍ସାହିତ କରିବା ସହ ବିଶ୍ୱ ଭ୍ୟାଲୁ ଚେନ୍‍ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବାକୁ ପରାମର୍ଶ ଦେଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ଭିିଜନ୍ ଓ ପରାମର୍ଶର ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତୀୟ ଅର୍ଥନୀତିର ଆକାର ଓ ଏହାର ଉତ୍ପାଦନ ଓ ସେବା କ୍ଷେତ୍ର ଭିତ୍ତିଭୂମି ଦୃଷ୍ଟିରୁ ଦେଶ ଅଧିକ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ । ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ଭିତ୍ତିକରି ବୈଦେଶିକ ବାଣିଜ୍ୟ ନୀତି ପ୍ରସ୍ତୁତ କରାଯାଇଛି । ଆଗାମୀ ୪ମାସ ଭିତରେ ରପ୍ତାନୀ ବୃଦ୍ଧି ପାଇଁ ଭାରତ ବିଶ୍ୱର ବିଭିନ୍ନ ଦେଶ ସହ ଅଧିକ ଯୋଗାଯୋଗ କରିବ । ବୈଦେଶିକ ବାଣିଜ୍ୟ ନୀତି ମୁଖ୍ୟତଃ ୪ଟି ମୁଖ୍ୟ ସ୍ତମ୍ଭ ଉପରେ ପର୍ଯ୍ୟବେଶିତ ବୋଲି କହିଛନ୍ତି ଶ୍ରୀ ଗୋୟଲ ।

Related Articles

Leave a Reply

Your email address will not be published.

Back to top button