କୁନାଲଙ୍କୁ ସମନ ପଠାଇଲା ପୋଲିସ, କ୍ଷମା ମାଗିବେନି ବୋଲି କହିଲେ ଷ୍ଟାଣ୍ଡଅପ୍ କମେଡିଆନ୍

ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରାଙ୍କ ବିବାଦ ବଢିବାରେ ଲାଗିଛି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ବିବାଦୀୟ କବିତା ଲେଖି ଆଇନ ଫାଶରେ ପଡିଛନ୍ତି କୁନାଲ । ପୂର୍ବରୁ କୁନାଲଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏବେ ପୋଲିସ ସମନ ପଠାଇଛି । ଏହା ପୂର୍ବରୁ ଏମଆଇଡିସି ପୋଲିସ କୁନାଲଙ୍କ ବିରୋଧରେ ମାମଲା ଦାୟର କରିଥିଲା, ଯାହାକୁ ଆଗକୁ ଯାଞ୍ଚ ପାଇଁ ଖାର ପୋଲିସକୁ ଟ୍ରାନ୍ସଫର କରାଯାଇଛି । କୁନାଲ କାମରାଙ୍କୁ ଖାର ପୋଲିସ ତାଙ୍କ ଘରକୁ ସମନ ପଠାଇଛି । କୁନାଲ ଏବେ ମୁମ୍ବାଇରେ ନାହାନ୍ତି, ତେଣୁ ତାଙ୍କ ବାପାଙ୍କୁ ସମନ ଦିଆଯାଇଛି । ଏହାଛଡା ପୋଲିସ କୁନାଲଙ୍କ ହ୍ବାଟସଆପ୍ ଜରିଆରେ ସମନ ପଠାଇଛି । ପଚରାଉଚରା ପାଇଁ ଯାଞ୍ଚ ଅଧିକାରୀଙ୍କ ସାମ୍ନାରେ ହାଜର ହେବା ପାଇଁ କୁହାଯାଇଛି । ଏକନାଥ ସିନ୍ଦେଙ୍କ ଉପରେ ବିବାଦୀୟ କବିତା ଲେଖିବା ବିବାଦକୁ ନେଇ କୁନାଲ ଗତରାତିରେ ଏକ ମନ୍ତବ୍ୟ ଜାରି କରିଛନ୍ତି । ଯେଉଁଥିରେ କୁନାଲ ଭୁଲ୍ ମାଗିବେ ନାହିଁ ବୋଲି କହିଛନ୍ତି । ମୁଁ କ୍ଷମା ମାଗିବି ନାହିଁ । ମୁଁ ଯାହା କହିଥିଲି, ତାହା ହିଁ ଅଜିତ ପାୱାର ଏକନାଥ ସିନ୍ଦେଙ୍କ ବିଷୟରେ କହିଥିଲେ । ମୁଁ ଏହି ଭିଡ଼କୁ ଭୟ କରେ ନାହିଁ । ମୁଁ ମୋ ବିଛଣା ତଳେ ଲୁଚି ରହି ଘଟଣା ଶାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ନାହିଁ । ମନୋରଞ୍ଜନ ସ୍ଥାନ କେବଳ ଏକ ମଞ୍ଚ, ସମସ୍ତ ପ୍ରକାରର ଶୋ ପାଇଁ ଏକ ସ୍ଥାନ । ହାବିଟାଟ୍ (କିମ୍ବା ଅନ୍ୟ କୌଣସି ସ୍ଥାନ) ମୋର କମେଡି ପାଇଁ ଦାୟୀ ନୁହେଁ । ସୂଚନାଯୋଗ୍ୟ, କାମରା ଲୋକପ୍ରିୟ ହିନ୍ଦୀ ଗୀତ ‘ଦିଲ୍ ତୋ ପାଗଲ୍ ହେ’କୁ ଆଧାର କରି ସିନ୍ଦେଙ୍କୁ ବିଶ୍ବାସଘାତକ ଏବଂ ‘ଗଦ୍ଦର’ କହି ବ୍ୟଙ୍ଗ କରିଥିଲେ । ମହାରାଷ୍ଟ୍ରରେ ନିକଟରେ ହୋଇଥିବା ରାଜନୈତିକ ସ୍ଥିତି ଏବଂ ଶିବସେନା ଓ ଏନସିପି ହୋଇଥିବା ଫାଟ ସଂକ୍ରାନ୍ତରେ ସେ ମଜା କରିଥିଲେ । ସେ କହିଥିଲେ, ‘ ମେରି ନଜର ସେ ତୁମ୍ ଦେଖୋ ତୋ ଗଦ୍ଦର ନଜର ୱ ଆୟେ’। କାମରା କହିଛନ୍ତି, ଶିବସେନା ପ୍ରଥମେ ବିଜେପିରୁ ବାହାରି ଆସିଲା ଏବଂ ପରେ ଶିବସେନାରୁ ବାହାରି ଆସିଲା । ଏନସିପିରୁ ବି ଏନସିପି ବାହାରି ଆସିଲା । ସେମାନେ ଜଣେ ଭୋଟରଙ୍କୁ ୯ଟି ବଟନ୍ ଦେଲେ। ଏହାଦ୍ବାରା ଭୋଟରମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।