ଇସ୍ରାଏଲ ଆକ୍ରମଣରେ ଗାଜା ପଟ୍ଟିି ଦୁଇ ଭାଗ
ନୂଆଦିଲ୍ଲୀ: ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି । ହମାସର ଆତଙ୍କୀ ହମଲା ପରେ ଗାଜା ପଟ୍ଟି ଉପରେ ଇସ୍ରାଏଲ ତୁହାକୁ ତୁହା ଆକ୍ରମଣ କରି ଚାଲିଛି । ଏପରିକି ଲଗାତାର ଆକ୍ରମଣ କରି ଗାଜା ପଟ୍ଟି ୨ଭାଗରେ ବିଭକ୍ତ ହୋଇ ଯାଇଥିବା ଗତକାଲି ଇସ୍ରାଏଲ ସେନା ଦାବି କରିଛି । ଏହି ଦୁଇ ଭାଗ ମଧ୍ୟରେ ଏକ ଦକ୍ଷିଣ ଗାଜା ଓ ଅନ୍ୟଟି ଉତ୍ତର ଗାଜା ବୋଲି ଜଣାଯାଇଛି । ତଥାପି ଗାଜା ଉପରେ ଥମିନି ଇସ୍ରାଏଲର ଆକ୍ରମଣ । ଏବେବି ଗାଜା ଉପରେ ଇସ୍ରାଏଲ ଲଗାତାର ଭାବେ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଗାଜା ପଟ୍ଟିରେ ଓ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ସ୍ଥିତିକୁ ଦୃଢ କରିବା ଲକ୍ଷ୍ୟରେ ଆଗେଇ ଚାଲିଥିବା ଇସ୍ରାଏଲ ସେନା କହିଛି । ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣକୁ ନେଇ ବିଶ୍ୱ ସମୁଦାୟ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ନିଜ ଜିଦରେ ଅଟଳ। ହମାସ ଆତଙ୍କବାଦୀଙ୍କ କବଳରୁ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ନ କରିବା ପର୍ୟ୍ୟନ୍ତ ଯୁଦ୍ଧରେ ବିରାମ ଲାଗିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ଏପରିକି ଆମ ପାଖେ ଆଉ କିଛି ବିକଳ୍ପ ନ ଥିବା ବେଳେ ନ ଜିତିବା ପର୍ୟ୍ୟନ୍ତ ଆମେ ଯୁଦ୍ଧ କ୍ଷେତ୍ର ଛାଡ଼ି ପାରିବୁନି ବୋଲି ସେ କହିଛନ୍ତି ।