ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍‌

ଗୌହାଟୀ: ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ । ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଘରୋଇ ଦଳ ଘୋଷଣା ବେଳେ ବାମହାତୀ ପେସର୍ ଜସପ୍ରୀତ୍ ବୁମରାଙ୍କୁ ଆଘାତଜନିତ କାରଣରୁ ବାଦ୍ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଥିବା ଦର୍ଶାଇ ବିସିସିଆଇ ତାଙ୍କୁ ଦଳରେ ସାମିଲ୍ କରିଥିଲା । କିନ୍ତୁ ସିରିଜ୍ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ବିସିସିଆଇ ପୁଣିଥରେ ଏହି ତାରକା ବୋଲର୍ ଜଣକ ସିରିଜ୍‌ରେ ସାମିଲ୍ ହେବେ ନାହିଁ ବୋଲି ସୂଚନା ଦିଆଯାଇଛି । ଗତ ବର୍ଷ ପିଠିରେ ଯନ୍ତ୍ରଣା କାରଣରୁ ବୁମ୍‌ରା ଟି-୨୦ ବିଶ୍ୱକପ୍ ସହ ଏସିଆ କପ୍ ମଧ୍ୟ ଖେଳିପାରି ନ ଥିଲେ । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନ ଥିବାରୁ ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁ ନଥିବା ସ୍ପଷ୍ଟ କରିଛି । ତେବେ ଆସନ୍ତା ୧୮ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ସିରିଜ୍‌ରେ ବୁମ୍‌ରା ଖେଳିପାରିବେ କି ନାହିଁ, ସେନେଇ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟପକ୍ଷରେ ଟି-୨୦ ସିରିଜ୍‌ରୁ ବିଶ୍ରାମ ନେଇଥିବା ଓପନର ତଥା ଅଧିନାୟକ ରୋହିତ ଶର୍ମା ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ଲୋକେଶ ରାହୁଲ୍ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ୍ ଖେଳାଯିବାକୁ ଥିବାରୁ ଘରୋଇ ଦଳ ଏହି ଟୁର୍ଣ୍ଣାମେଣ୍ଟ୍ ସକାଶେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ବିଶ୍ୱକପ୍ ପୂର୍ବରୁ ଦଳକୁ ୧୫ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିବ । ଅବଶ୍ୟ ଏଥିରେ ଏସିଆ କପ୍ ମ୍ୟାଚ୍‌କୁ ସାମିଲ୍ କରାଯାଇନାହିଁ । ତେଣୁ ଏହି ୧୫ଟି ମ୍ୟାଚ୍ ମାଧ୍ୟମରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ପାଖରେ ବିଶ୍ୱକପ୍ ସକାଶେ କମ୍ବିନେସନ୍ ଧାର୍ଯ୍ୟ କରିବାର ସୁଯୋଗ ରହିଛି । ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଈଶାନ୍ କିଶନ୍‌ଙ୍କ ସ୍ଥାନରେ ଅଧିନାୟକ ରୋହିତଙ୍କ ସହ ଅନ୍ୟତମ ଯୁବ ଓପନର୍ ଶୁବମାନ ଗିଲ୍ ଇନିଂସ ଆରମ୍ଭ କରିବେ । ସୋମବାର ଏଠାରେ ଅନୁଷ୍ଠିତ ପ୍ରାକ୍‌-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ଏହି ସୂଚନା ଦେଇଛନ୍ତି । ଗତ ମାସରେ ଚଟ୍ଟୋଗ୍ରାମ୍‌ଠାରେ ବାଂଲାଦେଶ ବିପକ୍ଷରେ ମାତ୍ର ୧୩୧ଟି ବଲ୍‌ରେ ଦ୍ୱିଶତକ ହାସଲ କରି ଦ୍ରୁତତମ ସାବ୍ୟସ୍ତ ହୋଇଥିବା ଈଶାନ୍‌ଙ୍କ ପାଇଁ ଅଧିନାୟକ ଦୁଃଖ ପ୍ରକାଶ କରିଛନ୍ତି । କିନ୍ତୁ ଗିଲ୍‌ଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ସକାଶେ ଟିମ୍ ଚାହୁଁଛି । ଅବଶ୍ୟ ବିଶ୍ୱକପ୍ ପାଇଁ ଦଳ ପ୍ରସ୍ତୁତି ପ୍ରକ୍ରିୟାରେ ଈଶାନ୍ ମଧ୍ୟ ସାମିଲ୍ ରହିବେ । ତାଙ୍କୁ ମଧ୍ୟ ଆଗାମୀ ସିରିଜ୍‌ଗୁଡ଼ିକରେ ସୁଯୋଗ ମିଳିବ ବୋଲି ରୋହିତ କହିଛନ୍ତି । ଉଭୟ ଓପନର ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ମଧ୍ୟ ଈଶାନ୍‌ଙ୍କ ତୁଳନାରେ ଗିଲ୍ ଅଧିକ ସ୍ଥିରତା ଦର୍ଶାଇପାରିଥିବାରୁ ତାଙ୍କୁ ଅଗ୍ରାଧିକାର ଦିଆଯାଉଥିବା ରୋହିତ ସ୍ପଷ୍ଟ କରିଛନ୍ତି । ଗିଲ୍ ଅଦ୍ୟାବଧି ୧୩ଟି ଇନିଂସରେ ୫୭ରୁ ଊର୍ଦ୍ଧ୍ୱ ଆଭରେଜ୍ ଓ ୯୯ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍ ରେଟ୍‌ରେ ୬୮୭ ରନ୍ କରିଛନ୍ତି । ସେହିପରି ଜବରଦସ୍ତ ଫର୍ମ ଦେଇ ଗତି କରୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ରିଜର୍ଭ ବେଞ୍ଚ୍‌ରେ ବସିବାକୁ ପଡ଼ିବ ବୋଲି ରୋହିତ ସଙ୍କେତ ଦେଇଛନ୍ତି । ତାଙ୍କ ସ୍ଥାନରେ ଆଗାମୀ ସିରିଜ୍‌ରେ ଶ୍ରେୟସ୍ ଆୟର୍‌ଙ୍କୁ ଆଉ କିଛି ସୁଯୋଗ ଦେବା ସପକ୍ଷରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ଥିବା ସଙ୍କେତ ମିଳିଛି । ନିକଟରେ ସୂର୍ଯ୍ୟକୁମାର ଶତକ ହାସଲ କରିଥିଲେ ମଧ୍ୟ ଟି-୨୦ ଓ ଦିନିକିଆ ଫର୍ମାଟ୍‌କୁ ଭିନ୍ନ ଭାବେ ଦେଖାଯିବାର ଆବଶ୍ୟକତା ରହିଛି ବୋଲି ରୋହିତ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button