“ଭାରତ ଲାଲଫିତାରୁ ଦୂରେଇ ରେଡ୍ କାର୍ପେଟକୁ ଯାଇଛି”: ଜି-୨୦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜି-୨୦ ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ବୈଠକକୁ ଭିଡିଓ ଲିଙ୍କ୍ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପିଙ୍କ ସିଟି ଜୟପୁରକୁ ଭବ୍ୟ ସ୍ୱାଗତ କରିବା ସହ କହିଥିଲେ ଯେ ଏହି ଅଞ୍ଚଳ ଏହାର ଗତିଶୀଳ ଏବଂ ଉଦ୍ୟୋଗୀ ଲୋକଙ୍କ ପାଇଁ ଜଣାଶୁଣା। ଭାରତ ବାଣିଜ୍ୟ ଚିନ୍ତାଧାରା, ସଂସ୍କୃତି ଏବଂ ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ କରିବା ସହିତ ସମଗ୍ର ଇତିହାସରେ ଲୋକଙ୍କୁ ନିକଟତର କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବାଣିଜ୍ୟ ଓ ଜଗତୀକରଣ ମଧ୍ୟ କୋଟି କୋଟି ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟରୁ ମୁକ୍ତ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଭାରତୀୟ ଅର୍ଥନୀତିର ବିଶ୍ୱସ୍ତରୀୟ ବିଶ୍ୱାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତକୁ ଖୋଲାପଣ, ସୁଯୋଗ ଏବଂ ବିକଳ୍ପର ମିଶ୍ରଣ ଭାବରେ ଦେଖାଯାଉଛି। ବିଗତ ୯ ବର୍ଷ ମଧ୍ୟରେ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଭାରତ ପଞ୍ଚମ ବୃହତ୍ତମ ବିଶ୍ୱ ଅର୍ଥନୀତିରେ ପରିଣତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆମେ ୨୦୧୪ରେ “ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର”ର ଯାତ୍ରା ଆରମ୍ଭ କରିଥିଲୁ”। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଏବଂ ସ୍ୱଚ୍ଛତା ବୃଦ୍ଧି, ଡିଜିଟାଇଜେସନ୍ ର ପ୍ରସାର ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ସ୍ଥାପନ କରିଛି ଏବଂ ଶିଳ୍ପ ଜୋନ୍ ନିର୍ମାଣ କରିଛି। “ଆମେ ଲାଲଫିତା ଠାରୁ ଦୂରେଇ ରେଡ୍ କାର୍ପେଟ୍ କୁ ଯାଇଛୁ ଏବଂ ଏଫଡିଆଇକୁ ଉଦାର କରିଛୁ” ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଭଳି ପଦକ୍ଷେପ ବିଷୟକୁ ମଧ୍ୟ ସ୍ପର୍ଶ କରିଥିଲେ ଯାହା ଉତ୍ପାଦନକୁ ପ୍ରୋତ୍ସାହିତ କରିଛି ଏବଂ ଦେଶରେ ନୀତି ସ୍ଥିରତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତକୁ ତୃତୀୟ ବୃହତ୍ତମ ବିଶ୍ୱ ଅର୍ଥନୀତି ରେ ପରିଣତ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମହାମାରୀଠାରୁ ଆରମ୍ଭ କରି ଭୂ-ରାଜନୈତିକ ଉତ୍ତେଜନା ପର୍ଯ୍ୟନ୍ତ ସାମ୍ପ୍ରତିକ ବୈଶ୍ୱିକ ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ୱ ଅର୍ଥନୀତିକୁ ପରୀକ୍ଷା କରିଛି ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଉପରେ ବିଶ୍ୱାସ ପୁନରୁଦ୍ଧାର କରିବା ଜି-୨୦ ରାଷ୍ଟ୍ର ଭାବରେ ଆମର ଦାୟିତ୍ୱ। ଭବିଷ୍ୟତର ବିପଦକୁ ସହ୍ୟ କରିପାରୁଥିବା ସ୍ଥିର ଏବଂ ଅନ୍ତର୍ଭୁକ୍ତ ବୈଶ୍ବିକ ମୂଲ୍ୟ ଶୃଙ୍ଖଳା ନିର୍ମାଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ, ଦୁର୍ବଳତା ଆକଳନ, ବିପଦକୁ ହ୍ରାସ କରିବା ଏବଂ ସ୍ଥିରତା ବୃଦ୍ଧି କରିବା ପାଇଁ ମ୍ୟାପିଂ ଗ୍ଲୋବାଲ ଭାଲ୍ୟୁ ଚେନ୍ ପାଇଁ ଏକ ଜେନେରିକ ଫ୍ରେମୱାର୍କ ପ୍ରସ୍ତୁତ କରିବା ପାଇଁ ଭାରତର ପ୍ରସ୍ତାବର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

“ବାଣିଜ୍ୟରେ ପ୍ରଯୁକ୍ତିବିଦ୍ୟାର ପରିବର୍ତ୍ତନଶୀଳ ଶକ୍ତି ର୍ନିବିବାଦୀୟ”, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଏବଂ ଭାରତର ଅନଲାଇନ୍ ଏକକ ପରୋକ୍ଷ ଟିକସ – ଜିଏସଟି ଆଡକୁ ଅଗ୍ରସର ହେବାର ଉଦାହରଣ ଦେଇଥିଲେ ଯାହା ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହିତ କରିବାରେ ଏକକ ଆଭ୍ୟନ୍ତରୀଣ ବଜାର ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା। ବାଣିଜ୍ୟ ଲଜିଷ୍ଟିକ୍ସକୁ ଶସ୍ତା ଏବଂ ଅଧିକ ସ୍ୱଚ୍ଛ କରିବା ପାଇଁ ଭାରତର ୟୁନିଫାଏଡ୍ ଲଜିଷ୍ଟିକ୍ସ ଇଣ୍ଟର-ଫେସ୍ ପ୍ଲାଟଫର୍ମ କୁ ମଧ୍ୟ ସେ ସ୍ପର୍ଶ କରିଥିଲେ। ସେ ‘ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ’ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହାକୁ ଏକ ଗେମ୍-ଚେଞ୍ଜର ବୋଲି କହିଥିଲେ ଯାହା ଡିଜିଟାଲ୍ ମାର୍କେଟପ୍ଲେସ୍ ଇକୋ-ସିଷ୍ଟମକୁ ଗଣତାନ୍ତ୍ରିକ କରିବ। ପେମେଣ୍ଟ ବ୍ୟବସ୍ଥା ପାଇଁ ଆମେ ଆମର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ସହ ଏହା କରିସାରିଛୁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକ୍ରିୟାକୁ ଡିଜିଟାଇଜ୍ କରିବା ଏବଂ ଇ-କମର୍ସର ବ୍ୟବହାର ବଜାର ପ୍ରବେଶକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଏହି ଗୃପ୍‍ ‘ବାଣିଜ୍ୟ ଦସ୍ତାବିଜର ଡିଜିଟାଲାଇଜେସନ୍ ପାଇଁ ଉଚ୍ଚସ୍ତରୀୟ ନୀତି’ ଉପରେ କାର୍ଯ୍ୟ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏହି ନୀତିଗୁଡ଼ିକ ସୀମାପାର ଇଲେକ୍ଟ୍ରୋନିକ୍ ବାଣିଜ୍ୟ ପଦକ୍ଷେପ କୁ କାର୍ଯ୍ୟକାରୀ କରିବା ରେ ଏବଂ ଅନୁପାଳନ ବୋଝ ହ୍ରାସ କରିବାରେ ଦେଶମାନଙ୍କୁ ସାହାଯ୍ୟ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସୀମାପାର ଇ-କମର୍ସର ଅଭିବୃଦ୍ଧିର ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ବୃହତ ଏବଂ କ୍ଷୁଦ୍ର ବିକ୍ରେତାଙ୍କ ମଧ୍ୟରେ ସମାନ ପ୍ରତିଯୋଗିତା ସୁନିଶ୍ଚିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉପଯୁକ୍ତ ମୂଲ୍ୟ ଆବିଷ୍କାର ଏବଂ ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ଉପଭୋକ୍ତାମାନେ ସମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

Related Articles

Leave a Reply

Your email address will not be published.

Back to top button