“ଜି-୨୦ କାଳରେ ଭାରତ ବିଶ୍ବମିତ୍ର ଭାବେ ଉଭା ହୋଇଛି”: ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଅବସରରେ ଲୋକସଭାରେ ନିଜର ଅଭିଭାଷଣ ରଖିଛନ୍ତି। ସେପ୍ଟେମ୍ବର ୧୮ରୁ ୨୨, ୨୦୨୩ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଧିବେଶନ ବସୁଛି। ଗୃହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତି ରୋମନ୍ଥନର କ୍ଷଣ। ପୁରୁଣା ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ସ୍ବାଧୀନତା ପୂର୍ବରୁ ରାଜକୀୟ ଆଇନ ପ୍ରଣୟନ ପରିଷଦ ଥିବାବେଳେ, ସ୍ବାଧୀନତା ପରେ ଏହା ଭାରତର ସଂସଦ ଭାବେ ପରିଚୟ ଲାଭ କରିଥିଲା। ବିଦେଶୀ ଶାସକଙ୍କ ଦ୍ବାରା ଏହି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ ପାଇଁ ଏହାର ବିକାଶ ଘଟିଥିଲା। ୭୫ ବର୍ଷର ଯାତ୍ରାରେ ଏହି ସଦନ ଅତ୍ୟନ୍ତ ଉତ୍ତମ ପ୍ରଥା ଓ ପରମ୍ପରା ସୃଷ୍ଟି କରିଛି ଯାହା ଅନ୍ୟମାନଙ୍କ ଅବଦାନ ଓ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଛି। “ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ହେଲେ ଏହି ଭବନ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅମୃତ କାଳର ପ୍ରଥମ ଆଲୋକରେ ନୂତନ ବିଶ୍ବାସ, ସଫଳତା ଓ ସାମର୍ଥ୍ୟ ପ୍ରତିଭାତ ହେଉଛି ଏବଂ କିପରି ଭାରତର ସଫଳତାକୁ ବିଶ୍ବ ଆଲୋଚନା କରୁଛି ପ୍ରଧାନମନ୍ତ୍ରୀ ତାହାର ଅବତାରଣା କରିଥିଲେ। “ଆମର ୭୫ ବର୍ଷର ସଂସଦୀୟ ଗଣତନ୍ତ୍ରରେ ସମୂହ ଉଦ୍ୟମର ଏହା ଫଳ” ବୋଲି ସେ କହିଥିଲେ।

ଚନ୍ଦ୍ରଯାନ-୩ର ସଫଳତା ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଭାରତୀୟ ସାମର୍ଥ୍ୟର ଏହା ଆଉ ଏକ ଗତି, ଯାହା ଆଧୁନିକତା, ବିଜ୍ଞାନ, ବୈଷୟିକ ଜ୍ଞାନ, ଆମ ବୈଜ୍ଞାନିକମାନଙ୍କ କ୍ଷମତା ଓ ୧୪୦ କୋଟି ଭାରତୀୟଙ୍କ ଶକ୍ତି ଯୋଡ଼ି ହୋଇ ରହିଛି। ବୈଜ୍ଞାନିକମାନଙ୍କ ସଫଳତା ନିମନ୍ତେ ସେ ଗୃହ ଓ ଦେଶ ପକ୍ଷରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ନାମ ଶିଖର ସମ୍ମିଳନୀ ପାଇଁ ଗୃହ କିପରି ଅତୀତରେ ଦେଶର ଉଦ୍ୟମର ପ୍ରଶଂସା କରିଥିଲା ତା’ର ସ୍ମୃତିଚାରଣ କରିବା ସହ ଜି-୨୦ର ସଫଳତା ୧୪୦ କୋଟି ଭାରତୀୟଙ୍କର, ଏହା କୌଣସି ବ୍ୟକ୍ତି ବା ଦଳର ନୁହେଁ ବୋଲି ସେ କହିଥିଲେ। ଦେଶର ୬୦ରୁ ଅଧିକ ସ୍ଥାନରେ ୨୦୦ରୁ ଅଧିକ ବୈଠକ ଭାରତୀୟ ବିବିଧତାର ସଫଳତା ଓ ଏହି ସଫଳତା ହିଁ ଜି-୨୦ର ସଫଳତା। ଜି-୨୦ ଅଧ୍ୟକ୍ଷତା କାଳରେ ଆଫ୍ରିକୀୟ ସଂଘର ସାମିଲ ଘଟଣା ପାଇଁ ଭାରତ ସବୁବେଳେ ନିଜକୁ ଗର୍ବିତ ମନେ କରିବ। ଆଫ୍ରିକୀୟ ଅର୍ନ୍ତଭୁକ୍ତୀକରଣ ଏକ ଭାବଗତ କ୍ଷଣ ବୋଲି ସେ କହିଥିଲେ।

ଭାରତୀୟ ସାମର୍ଥ୍ୟ ନେଇ କେତେକ ବ୍ୟକ୍ତିଙ୍କ ନକାରାତ୍ମକ ମନୋଭାବ ସନ୍ଦେହ ସୃଷ୍ଟି କରୁଥିବା ନେଇ ସେ କହିଥିଲେ ଯେ ଜି-୨୦ର ଘୋଷଣାପତ୍ରରେ ସହମତି ପ୍ରକାଶ ପାଇବା ସହ ଏହାର ଭବିଷ୍ୟତ ରୋଡ୍ ମ୍ୟାପ୍ ମଧ୍ୟ ଅଙ୍କାଯାଇଛି। ଭାରତୀୟ ଜି-୨୦ ଅଧ୍ୟକ୍ଷତା ନଭେମ୍ବର ଶେଷ ପର୍ଯ୍ୟନ୍ତ ଥିବାବେଳେ, ଦେଶ ଏହାର ସମ୍ପୂର୍ଣ୍ଣ ଉପଯୋଗ କରିବା, ଏଥିସହ ସେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ପି-୨୦ ସମ୍ମିଳନୀ (ସଂସଦୀୟ-୨୦) ଆୟୋଜନ କରିବାକୁ ମଧ୍ୟ ସେ ସମର୍ଥନ ଜଣାଇଥିଲେ।

“ଭାରତ ନିଜକୁ ‘ବିଶ୍ବମିତ୍ର ଭାବେ’ ଆସୀନ କରିପାରି ଥିବାରୁ ଏହା ଏକ ଗର୍ବର ବିଷୟ ଓ ସମଗ୍ର ବିଶ୍ବ ଭାରତକୁ ବନ୍ଧୁ ଭାବେ ପାଇବାକୁ ବ୍ୟଗ୍ର। ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମେ ପାଇଥିବା ଆମର ସଂସ୍କାର ଏହାର କାରଣ। ସବକା ସାଥ, ସବକା ବିକାଶ ମନ୍ତ୍ର ବିଶ୍ବକୁ ଆମ ସହ ଚାଲିବାକୁ ଆମକୁ ଏକାଠି କରିଛି” ବୋଲି ସେ କହିଥିଲେ।

ଗୋଟିଏ ପରିବାର ନୂଆ ଘରକୁ ଯିବା ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସଦ ଭବନରୁ ବିଦାୟ ନେବା ନିଶ୍ଚିତ ଭାବେ ଏକ ଭାବପ୍ରବଣ ମୁହୂର୍ତ୍ତ। ଗୃହର ବିଭିନ୍ନ ଘଟଣା ପ୍ରବାହକୁ ନେଇ ସେ କହିଥିଲେ ଯେ ଏହି ସଦନ ମୂକ ସାକ୍ଷୀ ଥିବା ଅନେକ ଘଟଣାବଳୀ ଗୃହର ରହିଛି। “ଏହାର ଗୌରବ ମଧ୍ୟ ଆମର’” ବୋଲି ସେ କହିଥିଲେ। ନବ ଭାରତ ଗଠନ ନିମନ୍ତେ ଦେଶ ଅସଂଖ୍ୟ ଘଟଣାର ସାକ୍ଷୀ ରହିଛି। ସଂସଦ ଭବନର ଏହି ୭୫ ବର୍ଷର ଇତିହାସ ଆଜି ସାଧାରଣ ନାଗରିକଙ୍କ ପାଇଁ ସମ୍ମାନ ଜଣାଇବାର ଏକ ସୁଯୋଗ।

ପ୍ରଧାନମନ୍ତ୍ରୀ ଯେତେବେଳେ ପ୍ରଥମ ଥର ସଂସଦ ସଦସ୍ୟ ବନିଲେ, ସେ କିପରି ଭବନକୁ ନତମସ୍ତକ ହୋଇ ତାଙ୍କର ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ ତା’ର ସ୍ମୃତିଚାରଣ କରିଥିଲେ। ଏହା କିପରି ଏକ ଭାବପ୍ରବଣତାର ମୁହୂର୍ତ୍ତ ଥଲା ସେ ତାହା କଳ୍ପନା କରିପାରୁ ନ ଥିଲେ ମଧ୍ୟ କହିଥିଲେ ଯେ “ଭାରତୀୟ ଗଣତନ୍ତ୍ରର ଏହା ହେଉଛି ଶକ୍ତି, ଯେତେବେଳେ ଗୋଟେ ଗରିବ ପିଲା ରେଳ ଷ୍ଟେସନରେ ଜୀବନ ଜୀବିକା ନିମନ୍ତେ ଚାହା ବିକ୍ରି କରୁଥିଲା ସେ ସଂସଦରେ ପହଂଚିପାରିଛି। ଦେଶ ମତେ ଏତେ ସ୍ନେହ, ସମ୍ମାନ ଓ ଆଶୀର୍ବାଦ ଦେବ ତାହା ମୁଁ କେବେ ମଧ୍ୟ ଭାବି ନ ଥିଲି” ବୋଲି ସେ କହିଥିଲେ।

Related Articles

Leave a Reply

Your email address will not be published.

Back to top button