ସାଇବର୍‌ ଠକାମୀରୁ ବର୍ତ୍ତିବା ପାଇଁ ତରିକା କହିଲେ ଆଇଜି କ୍ରାଇମ୍‌ବ୍ରାଞ୍ଚ ସଫିନ୍‌ ଅହମଦ୍‌

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ସେଲ୍‌ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ଆଜି ସାଇବର ସୁରକ୍ଷା ସଚେତନତା ୱେବିନାର୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ରାଇମ୍‌ ବ୍ରାଞ୍ଚ ଆଇ.ଜି. ସଫିନ୍‌ ଅହମଦ୍‌ କହିଲେ ଯେ ଆଜିର ଇଣ୍ଟରନେଟ୍‌ ଦୁନିଆରେ ସ୍ମାର୍ଟଫୋନ୍‌ ସହ ଜଡ଼ିତ ସାଇବର ଅପରାଧ ବଢ଼ିବାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ ଏବଂ ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କରିବାର ଇଚ୍ଛା। ଆମେ ନିଜେ ଏପରି ଠକାମି ବାବଦରେ ବୁଝିପାରିଲେ ଅନ୍ୟମାନଙ୍କୁ ସଚେତନ କରାଇ ଏହାକୁ ପ୍ରତିହତ କରିପାରିବା। ଗାଁଗହଳିର ଲୋକଙ୍କୁ ଏ ବିଷୟରେ ଅଧିକ ଜାଗରୂକ କରିବାର ସମୟ ଆସିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ସହକାରୀ ପୋଲିସ୍‌ କମିଶନର ଅଞ୍ଜନା ଟୁଡ଼ୁ ବିଭିନ୍ନ କଲେଜର ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସଚେତନତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଲେ ଯେ ଇଣ୍ଟରନେଟ୍‌ ହେଉଛି ଦୁଇଧାରିଆ ଅସ୍ତ୍ର। ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୭ ପ୍ରତିଶତ। ଏଥିରୁ ଉପୁଜୁଥିବା ଅପରାଧର ସଂଖ୍ୟା ୪୦ ପ୍ରତିଶତ। ଲୋଭ, ମୋହ, ପ୍ରତିଶୋଧ ପରାୟଣ ମନୋଭାବ ଯୋଗୁଁ ସାଇବର ଅପରାଧ ସଂଖ୍ୟା ଅଧିକ ମାତ୍ରାରେ ବଢ଼ୁଛି। ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମକୁ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ହେବ। ଆବଶ୍ୟକ ସ୍ଥଳେ ସାଇବର ଥାନାର ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ। ଆଇଟି ଆକଫ, ପୋକ୍‌ସୋ ଆକଫ, ଆଇପିସି ଆକଫ ତଥା ସାଇବର ସିକୁ୍ୟରିଟି ପୋଲିସ ଜରିଆରେ ଥାନାରେ ମାମଲା ରୁଜୁ କରାଯାଇପାରିବ। ଅନ୍‌ଲାଇନ୍‌ରେ cybercrime.gov.in କିମ୍ବା ୧୯୩୦କୁ ଡାଏଲ୍‌ କରି ଜଣେ ଏତାଲା ଦାୟର କରିପାରିବ। ସତର୍କ ରହିବା ଏବଂ ଭାବିଚିନ୍ତି କାର୍ଯ୍ୟ କରିବା ଦ୍ୱାରା ସାଇବର ଅପରାଧକୁ ପ୍ରତିହତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ ଆଜିର ଡିଜିଟାଲ୍‌ ଦୁନିଆରେ ଜୀବନ ଜିଇଁବା ବହୁତ ଆରାମଦାୟକ ହୋଇପାରିଛି। କିନ୍ତୁ ତା’ସହ ସାଇବର ଅପରାଧ ମଧ୍ୟ ଯୋଡି ହୋଇ ରହିଛି, ଯାହାକି ଡିଜିଟାଲ୍‌ ଦୁନିଆର ମେରୁଦଣ୍ଡ ଦୁର୍ବଳ କରିଦେଉଛି। ତେଣୁ ଓଡ଼ିଶା ସରକାରଙ୍କ ଦ୍ୱାରା ୩୪ଟି ସାଇବର ରଥର ଶୁଭାରମ୍ଭ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ସାଇବର ସଚେତନତାକୁ ବ୍ୟାପକ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ରାଜ୍ୟ ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଫିସର ଶ୍ରୀ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published.

Back to top button