ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ: ଏଜି ରିପୋର୍ଟ ଯୋଗୁଁ ବିଳମ୍ବ ଘଟୁଛି: ନିର୍ମଳା

ନୂଆଦିଲ୍ଲୀ : ଏଜି (ଆକାଉଣ୍ଟାଣ୍ଟ ଜେନେରାଲ) ରିପୋର୍ଟ ମିଳିନଥିବାରୁ କେତେକ ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ କରାଯିବାରେ ବିଳମ୍ବ ଘଟୁଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସୋମବାର ଲୋକସଭାରେ ଏହି ପ୍ରସଙ୍ଗରେ ଆଗତ ଏକ ପ୍ରଶ୍ନର ଉତ୍ତରରେ ନିର୍ମଳା ଆହୁରି କହିଛନ୍ତି ଯେ କେରଳ ସରକାର ୨୦୧୭-୧୮ରୁ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଏଜି ସାର୍ଟିଫିକେଟ ଦାଖଲ କରିନାହାନ୍ତି । ତେବେ ୨୦୨୨ ମେ’ ୩୧ ସୁଦ୍ଧା ଜିଏସ୍‌ଟି କ୍ଷତିପୂରଣ ବାବଦରେ ବିଭିନ୍ନ ରାଜ୍ୟକୁ ୮୬,୯୧୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନିର୍ମଳା କହିଛନ୍ତି । ନିୟମ ମୁତାବକ, କେଉଁ ରାଜ୍ୟକୁ କେତେ ପରିମାଣର କ୍ଷତିପୂରଣ ପ୍ରଦାନ କରାଯିବ, ତାହା ଜିଏସ୍‌ଟି କାଉନ୍‌ସିଲ ନିର୍ଦ୍ଧାରଣ କରିଥାଏ । ପୁନଶ୍ଚ ଏଜି ସାର୍ଟିଫିକେଟ ନ ମିଳିବା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇପାରିବନି ବୋଲି ନିର୍ମଳା ସ୍ପଷ୍ଟ କରିଛନ୍ତି । କେରଳ ସାଂସଦ ଏନ୍‌.କେ.ପ୍ରେମଚନ୍ଦ୍ରନ ସଂସଦରେ ଏ ସମ୍ପର୍କରେ ନିର୍ମଳାଙ୍କୁ ପ୍ରଶ୍ନ କରିଥିଲେ । ତେଣୁ ଏଜି ସାର୍ଟିଫିକେଟ ପ୍ରଦାନ ପ୍ରସଙ୍ଗରେ କେରଳ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାକୁ ନିର୍ମଳା ତାଙ୍କୁ ପରାମର୍ଶ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button