ଅକ୍ଟୋବର ୨୧ରେ ‘ଗଗନାୟନ’ ପରୀକ୍ଷଣ ଯାନ ମହାକାଶ ଉଡାଣ

ନୂଆଦିଲ୍ଲୀ: ‘ଗଗନାୟନ’ ପରୀକ୍ଷଣ ଯାନ ମହାକାଶ ଉଡାଣ ଅର୍ଥାତ୍ ‘ଗଗନାୟନ’ ପରୀକ୍ଷଣ ଯାନ ବିକାଶ ଉଡାଣ (ଟିଭି – ଡି୧)ର ଉତ୍‌କ୍ଷେପଣ ଚଳିତ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ।
ମଙ୍ଗଳବାର ଚନ୍ଦ୍ରାୟନ ଅଭିଯାନ ସହ ଜଡିତ ଇସ୍ରୋ ବୈଜ୍ଞାନିକ ମାନଙ୍କର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଉପସ୍ଥିତ ଜନତା ମାନଙ୍କୁ ସମ୍ବୋଧିତ କରିଛନ୍ତି। ଇସ୍ରୋ ‘ଗଗନାୟନ’ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ରୁ ଏସ୍କେପ୍ ସିଷ୍ଟମ (ଜରୁରୀକାଳୀନ ପଳାୟନ ବ୍ୟବସ୍ଥା )ର ଫଳପ୍ରଦତା ପରୀକ୍ଷା କରିବ, ଯାହା ଫଳରେ ୨୦୨୪ ସୁଦ୍ଧା ବାହ୍ୟ ମହାକାଶକୁ ମାନବରହିତ ଏବଂ ମାନବଯୁକ୍ତ ଅଭିଯାନ ଆରମ୍ଭ ହେବ। ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରେ ଏହି ପରୀକ୍ଷଣ କରାଯିବ। ‘ଗଗନାୟନ’ ଅଭିଯାନ ସମୟରେ ମହାକାଶଚାରୀ ମାନଙ୍କୁ କ୍ରୁ ମଡ୍ୟୁଲ୍ ମହାକାଶକୁ ନେଇ ଯିବ। ଏହି ପରୀକ୍ଷଣରେ ବାହ୍ୟ ମହାକାଶକୁ ଏକ କ୍ରୁ ମଡ୍ୟୁଲ୍ ଉତକ୍ଷେପଣ କରିବା ଏବଂ ଏହାକୁ ପୃଥିବୀକୁ ଫେରାଇ ଆଣିବା ଏବଂ ବଙ୍ଗୋପସାଗରରେ ଏହା ସ୍ପର୍ଶ କରିବା ପରେ ଏହାକୁ ପୁନରୁଦ୍ଧାର କରିବା ଅନ୍ତର୍ଭୁକ୍ତ। ଭାରତୀୟ ନୌସେନାର ଯବାନମାନେ ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ମକ୍ ଅପରେସନ ଆରମ୍ଭ କରି ସାରିଛନ୍ତି।

ଏହି ପରୀକ୍ଷଣର ସଫଳତା ପ୍ରଥମ ମାନବବିହୀନ ‘ଗଗନାୟନ’ ଅଭିଯାନ ଏବଂ ଶେଷରେ ପୃଥିବୀର ନିମ୍ନ କକ୍ଷପଥରେ ମହାକାଶକୁ ମାନବଯୁକ୍ତ ଅଭିଯାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ମାନବଯୁକ୍ତ ‘ଗଗନାୟନ’ ଅଭିଯାନ ପୂର୍ବରୁ ଆସନ୍ତା ବର୍ଷ ଏକ ପରୀକ୍ଷାମୂଳକ ଉଡ଼ାଣ ହେବ, ଯେଉଁଥିରେ ମହିଳା ରୋବଟ୍ ମହାକାଶଚାରୀ ‘ବ୍ୟୋମମିତ୍ର’ ରହିବେ।

ଗଗନାୟନ’ ପ୍ରକଳ୍ପରେ ମାନବ ଦଳଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ଉତକ୍ଷେପଣ କରି ଏବଂ ଭାରତୀୟ ସମୁଦ୍ର ଜଳରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣି ମାନବ ମହାକାଶ ଯାତ୍ରା କ୍ଷମତା ପ୍ରଦର୍ଶନ କରାଯିବ ବୋଲି ପରିକଳ୍ପନା କରାଯାଇଛି । ‘ଗଗନାୟନ’ ଅଭିଯାନର ପ୍ରାଥମିକତା ମଧ୍ୟରେ ମାନବ ଦଳ ମାନଙ୍କୁ ସୁରକ୍ଷିତ ଭାବେ ମହାକାଶକୁ ନେବା ପାଇଁ ମାନବ ରେଟେଡ୍ ଲଞ୍ଚ ଯାନ, ମହାକାଶରେ ମାନବ ଦଳଙ୍କୁ ପୃଥିବୀ ପରି ପରିବେଶ ପ୍ରଦାନ କରିବା ପାଇଁ ଜୀବନ ସହାୟତା ବ୍ୟବସ୍ଥା, ମାନବ ଦଳର ଜରୁରୀକାଳୀନ ପଳାୟନ ବ୍ୟବସ୍ଥା ଏବଂ ଚାଳକ ଦଳଙ୍କୁ ପ୍ରଶିକ୍ଷଣ, ପୁନରୁଦ୍ଧାର ଏବଂ ଥଇଥାନ ପାଇଁ ଚାଳକ ଦଳ ପରିଚାଳନା ଦିଗ ବିକଶିତ କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶ ଅନ୍ତର୍ଭୁକ୍ତ । ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ରହିଛି ।

Related Articles

Leave a Reply

Your email address will not be published.

Back to top button