ଲିବ୍ୟାରେ ବନ୍ୟା ବିଭୀଷିକା, ମୃତ୍ୟୁସଂଖ୍ୟା ୫,୩୦୦କୁ ବୃଦ୍ଧି

ତ୍ରିପୋଲି: ଉତ୍ତର ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ ମୃତ୍ୟୁର ବିଭୀଷିକା ରଚିଛି । ବାତ୍ୟା ପରେ ପ୍ରଳୟଙ୍କାରୀ ବନ୍ୟାରେ ଲିବ୍ୟାର ପୂର୍ବ ସହର ଡେର୍ନା ନଗରୀ ପୁରାପୁରି ଛାରଖାର୍ ହୋଇଯାଇଛି । ହଜାର ହଜାର ଲୋକେ ମୃତ୍ୟୁର କୋଳରେ ଶୋଇଯାଇ ଥିବାବେଳେ ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି । ମଙ୍ଗଳବାର ଗୋଟିଏ ଦିନରେ ଡେର୍ନା ସହରରେ ୧୫୦୦ରୁ ଅଧିକ ମୃତଦେହ ଉଦ୍ଧାର ହୋଇଛି । ଯାହାଫଳରେ ସହରରେ ମୃତ୍ୟୁସଂଖ୍ୟା ୫ ହଜାର ୩୦୦ ଅତିକ୍ରମ କରିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ । କାରଣ ପ୍ରାୟ ୧୦ ହଜାର ଲୋକେ ବନ୍ୟାଜଳରେ ଭାସି ଯାଇ ଏବେ ବି ନିଖୋଜ ଅଛନ୍ତି । ଏନେଇ ଲିବ୍ୟା ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଆଧାରରେ ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଛି ।

ଡେର୍ନାରେ ପ୍ରଳୟଙ୍କାରୀ ବନ୍ୟା ସୁନାମୀ ଭଳି ସ୍ଥିତି ସୃଷ୍ଟି କରିଛି । ବନ୍ୟା ଯୋଗୁଁ ଦୁଇଟି ଡ୍ୟାମ୍ ଭୁଶୁଡି ପଡିବା କାରଣରୁ ଡେର୍ନା ସହରରେ ଶତାଧିକ ଘରଦ୍ବାର, ରାସ୍ତାଘାଟ ପାଣିରେ ଭାସିଯାଇଛି । ପାଖାପାଖି ୯୦ ହଜାର ଲୋକେ ବାସହରା ହୋଇପଡିଛନ୍ତି । ବନ୍ୟାଜଳରେ ବଡ ବଡ ଅଟ୍ଟାଳିକା ତାସ୍ ଘର ଭଳି ଭାସିଯାଉଛି । ସହରରେ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମୃତାହତ ସଂଖ୍ୟା ଏତେ ଯେ ଏବେ ହସ୍ପିଟାଲଗୁଡିକରେ ମଧ୍ୟ ଆଉ ଜାଗା ନାହିଁ । ମୃତେଦହ ଗୁଡିକୁ ମୋର୍ଚରୀ ବାହାରେ ରଖାଯାଉଛ । ଗୋଟିଏ ହସ୍ପିଟାଲ ପରିସରରେ ଡର୍ଜନରୁ ଅଧିକ ମୃତଦେହ ଘୋଡାହୋଇ ରଖାଯାଇଥିବାର ଏକ ଫୁଟେଜ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ବନ୍ୟା ପ୍ରଭାବିତ ଡେର୍ନାରେ ଯୁଦ୍ଧାକାଳୀନ ଭିତରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

Related Articles

Leave a Reply

Your email address will not be published.

Back to top button