ଲୋକସଭାରେ ଅର୍ଥ ବିଧେୟକ ୨୦୨୩ ଗୃହୀତ

ନୂଆଦିଲ୍ଲୀ : ଲୋକସଭାରେ ଅର୍ଥ ବିଧେୟକ ୨୦୨୩ ବିନା ଆଲୋଚନାରେ ଗୃହୀତ ହୋଇଛି । ଆଦାନି-ହିଣ୍ଡେନବର୍ଗ ବିବାଦର ଜେପିସି ତଦନ୍ତ ଦାବି କରି ବିରୋଧୀ ସଦସ୍ୟମାନେ ଗୃହରେ ହୋହଲ୍ଲା ଚଳାଇଥିବାବେଳେ ସରକାର ବାଚନିକ ଭୋଟରେ ଏହି ବିଧେୟକକୁ ଗୃହୀତ କରାଇଥିଲେ। ଅର୍ଥ ବିଧେୟକ ଗୃହୀତ ହେବା ଦ୍ବାରା ସରକାର ବଜେଟ୍‌ରେ ଆଣିଥିବା ନୂଆ ଟିକସ ବ୍ୟବସ୍ଥା କାର୍ୟ୍ୟକାରୀତାକୁ ଅନୁମୋଦନ ମିଳିଛି। ବିଧେୟକକୁ ଗୃହୀତ ପୂର୍ବରୁ ସରକାର ଏଥିରେ ଅନେକ ସଂଶୋଧନ ଆଣିଥିଲେ। ଏପରିକି ବିଧେୟକରେ ଆଉ ୨୦ଟି ଧାରା ଯୋଡାଯାଇଥିଲା। ଗୃହୀତ ଅର୍ଥ ବିଧେୟକ ଅନୁଯାୟୀ ସରକାର ଜିଏସଟି ସମ୍ପର୍କିତ ବିବାଦର ସମାଧାନ ନିମନ୍ତେ ଏକ ଆପିଲେଟ୍ ଟ୍ରିବ୍ୟୁନାଲ ଗଠନ କରିବେ। ଏବେ ଜିଏସଟି ସମ୍ପର୍କିତ ବିବାଦର ସମାଧାନ ପାଇଁ ଟିକସଦାତାମାନେ ହାଇକୋର୍ଟର ଦ୍ବାରସ୍ଥ ହେଉଛନ୍ତି । ଗୁରୁବାର ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୪୫ଲକ୍ଷ କୋଟି ଟଙ୍କାର ବଜେଟ୍ ଅନୁମୋଦିତ ହୋଇଥିଲା। ଶୁକ୍ରବାର ମଧ୍ୟ ସଂସଦର ଉଭୟ ଗୃହରେ ଶାସକ ଓ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା। ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦକୁ ବିରୋଧ କରି କଂଗ୍ରେସ ଓ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଏଥିଯୋଗୁଁ ଉଭୟ ଗୃହର ପୂର୍ବାହ୍ଣ ଅଧିବେଶନ ମୁଲତବୀ ରହିଥିଲା। ରାଜ୍ୟସଭାରେ ଅପରାହ୍ଣ ଅଧିବେଶନ ମାତ୍ର ଘଣ୍ଟାଏ ଚାଲିବା ପରେ ଗୃହକୁ ସୋମବାର ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଲୋକସଭାରେ ଅନୁରୂପ ପରିସ୍ଥିତି ଦେଖାଯାଇଥିଲା। ତେବେ ଅପରାହ୍ଣ ଅଧିବେଶନରେ ଗୃହରେ ଅର୍ଥ ବିଧେୟକ ଗୃହୀତ ହୋଇଥିଲା। ପରେ ଗୃହକୁ ସୋମବାର ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button