ଫିଫା ରାଙ୍କିଙ୍ଗ୍‌: ବ୍ରାଜିଲ୍‌କୁ ହଟାଇ ଆର୍ଜେଣ୍ଟିନା ନଂ.୧

ଜୁରିକ୍ : ଗୁରୁବାର ଫିଫା ପକ୍ଷରୁ ସଦ୍ୟ ର‌୍ୟାଙ୍କିଙ୍ଗ୍ ଘୋଷଣା କରାଯାଇଥିବା ବେଳେ ଏଥିରେ ଆର୍ଜେଣ୍ଟିନା ଏକ ନମ୍ବର ସ୍ଥାନ ହାସଲ କରିଛି । ବ୍ରାଜିଲ୍‌କୁ ହଟାଇ ଦୀର୍ଘ ୬ ବର୍ଷ ପରେ ଦଳ ଏହି ସ୍ଥାନରେ ପହଞ୍ଚିପାରିଛି । ଅନ୍ୟପକ୍ଷରେ ବ୍ରାଜିଲ୍ ତୃତୀୟ ସ୍ଥାନ ଖସିଯାଇଛି । ଗତ ବର୍ଷ କତାରରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନାକୁ ତୃତୀୟ ବିଶ୍ୱକପ୍ ଟାଇଟଲ୍ ଦେଇଥିବା ଲିଓନେଲ୍ ମେସିଙ୍କ ନେତୃତ୍ୱାଧୀନ ଦଳ ନିକଟରେ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପାନାମାକୁ ୨-୦ରେ ଓ କୁରାକାଓକୁ ୭-୦ରେ ପରାସ୍ତ କରି ଶୀର୍ଷ ସ୍ଥାନ ଦଖଲ କରିଛି । ସେହିପରି ୟୁରୋ ୨୦୨୪ କ୍ୱାଲିଫାୟର୍ସରେ ନେଦରଲାଣ୍ଡ୍‌ସକୁ ୪-୦ରେ ଓ ଆୟର୍ଲାଣ୍ଡ୍‌କୁ ୧-୦ରେ ପରାସ୍ତ କରିଥିବା ଫ୍ରାନ୍ସ ଗୋଟିଏ ସ୍ଥାନରେ ଉନ୍ନତି ଘଟାଇ ଦ୍ୱିତୀୟକୁ ଉନ୍ନୀତ ହୋଇଛି । ତେବେ ମରକ୍କୋ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୧-୨ରେ ପରାସ୍ତ ହେବା ଫଳରେ ବ୍ରାଜିଲ୍‌କୁ ତୃତୀୟ ସ୍ଥାନକୁ ଖସିଯିବାକୁ ପଡ଼ିଛି । ବେଲଜିୟମ୍ ଚତୁର୍ଥ ସ୍ଥାନରେ ରହିଥିବା ବେଳ ଇଂଲଣ୍ଡ ପଞ୍ଚମ, ନେଦରଲାଣ୍ଡ୍‌ସ ଷଷ୍ଠ, କ୍ରୋଏସିଆ ସପ୍ତମ ଓ ଇଟାଲୀ ଅଷ୍ଟମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ଆହୁରି ପର୍ତ୍ତୁଗାଲ୍ ଓ ସ୍ପେନ୍ ଯଥାକ୍ରମେ ନବମ ଓ ଦଶକ ସ୍ଥାନରେ ରହିଛନ୍ତି । ଆଫ୍ରିକୀୟ ଦଳ ମଧ୍ୟରେ ଆଗାମୀ ୨୦୩୦ ଫିଫା ବିଶ୍ୱକପ୍ ଆୟୋଜନ ପାଇଁ ସ୍ପେନ୍ ଓ ପର୍ତ୍ତୁଗାଲ୍ ସହ ଆଗ୍ରହୀ ଥିବା ମରକ୍କୋ ଏକାଦଶ ସ୍ଥାନରେ ରହିଛି । ଆମେରିକା ତ୍ରୟୋଦଶ ସ୍ଥାନରେ ରହିଥିବା ବେଳେ ଏହାର ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ ମେକ୍ସିକୋ ପଞ୍ଚଦଶ ସ୍ଥାନରେ ରହିଥିବା ବେଳେ ଆଗାମୀ ୨୦୨୬ ଫିଫା ବିଶ୍ୱକପ୍‌ର ଅନ୍ୟତମ ଆୟୋଜକ ନର୍ଥ ଆମେରିକା ୬ଟି ସ୍ଥାନରେ ଉନ୍ନତି ଘଟାଇ ୪୭ତମ ସ୍ଥାନରେ ରହିଛି । ଏହାଛଡ଼ା ଏସୀୟ ଦଳ ମଧ୍ୟରେ ଜାପାନ ସର୍ବଶ୍ରେଷ୍ଠ ବିଂଶତମ ସ୍ଥାନରେ ରହିଥିବା ବେଳେ ଗତ ବିଶ୍ୱକପ୍‌ର ଆୟୋଜକ କତାର ୬୧ତମ ସ୍ଥାନକୁ ଖସିଆସିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button