ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା, ୪ ଓଡ଼ିଆ ମୃତ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଏକ ମାଲ୍ ବୋଝେଇ ଟ୍ରକ୍ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ସମସ୍ତେ ଓଡ଼ିଶାର ବୋଲି ଜଣାଯାଇଛି। ମୃତକଙ୍କ ନାମ ହେଲା ଉମେଶ ଚନ୍ଦ୍ର ସାହୁ, (୪୬), ତ୍ରିଲୋଚନ ନାୟକ (୬୩), ରଶ୍ମିତା ସାହୁ (୪୫) ଏବଂ ବିଜୟ ନାୟକ (୫୬) । ସୂଚନା ଅନୁଯାୟୀ, ଉମେଶ ଚନ୍ଦ୍ର ସାହୁ କୌଣସି ଏକ ରୋଗରେ ପୀଡିତ ଥିଲେ । ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ମେଡିକାଲକୁ ନେଇଥିଲେ। ସେଠାରୁ ସୁସ୍ଥ ହେବା ପରେ ଆଜି ସକାଳେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ସେ ଭୁବନେଶ୍ୱର ଫେରୁଥିଲେ । ମାତ୍ର ଚିତ୍ତୁର ଜିଲ୍ଲା ଗୁଣ୍ଡାଲାପଲ୍ଲୀ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଟ୍ରକ୍କୁ ଆମ୍ବୁଲାନ୍ସଟି ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରୋଗୀ ଉମେଶ ସାହୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ ଓଡ଼ିଆ ଓ ୨ ଜଣ ଅଣଓଡ଼ିଆ ଥିବା ଜଣାଯାଇଛି।