ମଣିପୁରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୧

ଇମ୍ଫାଲ: ରବିବାର ଅପରାହ୍ନ ପ୍ରାୟ ୫ଟା ୪୨ ରେ ମଣିପୁରରେ ୩.୧ ତୀବ୍ରତାରର ଏକ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ସୂଚନା ଦିଆଯାଇଛି। ରାଜ୍ୟର ଚୁରାଚାନ୍ଦପୁରରେ ଏହି ଭୂକମ୍ପ ଘଟିଥିଲା ଯାହାର ଗଭୀରତା ୩୦ କିଲୋମିଟର ଥିଲା। ମଣିପୁରରେ ହୋଇଥିବା ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଉତ୍ତରପ୍ରଦେଶର ଅଯୋଧ୍ୟାରେ ସକାଳ ୧ଟାରେ ୩.୬ ତୀବ୍ରତାର ଏକ ଭୂକମ୍ପ ଘଟିଥିଲା, ଯାହାର କେନ୍ଦ୍ରସ୍ଥଳ ଅଯୋଧ୍ୟାଠାରୁ ୨୧୫ କିଲୋମିଟର ଉତ୍ତରରେ ୧୦ କିଲୋମିଟର ଗଭୀରରେ ଥିଲା। ସୂଚନାଯୋଗ୍ୟ, ଏହାପୂର୍ବରୁ ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ରେ ନେପାଳରେ ୬.୪ ତୀବ୍ରତାର ଏକ ଭୂକମ୍ପ ଯୋଗୁଁ ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେସମୋଲୋଜି ଅନୁଯାୟୀ ନେପାଳରେ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଅଯୋଧ୍ୟାଠାରୁ ପ୍ରାୟ ୨୨୭ କିଲୋମିଟର ଏବଂ କାଠମାଣ୍ଡୁର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୧୦ କିଲୋମିଟର ଗଭୀରରେ ଥିଲା। ରାତିରେ ଅଧିକାଂଶ ଲୋକେ ଘରେ ଶୋଇଥିଲେ ଏବଂ କେହି କେହି ଶୋଇବାକୁ ପ୍ରସ୍ତୁତ ହେଉଥିଲେ। କମ୍ପନ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ ଏବଂ ପାଟନା ଭଳି ସହରର ଅନେକ ଲୋକ ଏହି ଭୂକମ୍ପର ଅନୁଭୂତି ଗଣମାଧ୍ୟମ ସହ ବାଣ୍ଟିଥିଲେ।

Related Articles

Leave a Reply

Your email address will not be published.

Back to top button