ଏକକ ନାଗରିକ ସଂହିତାର କାର୍ଯ୍ୟକାରିତାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧ କ୍ଷତିଗ୍ରସ୍ତ ହେବ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି) ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ। ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆଜି ଆସାମର ଗୁଆହାଟୀ ଆଇଆଇଟିର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଛନ୍ତି ଯେ ଦେଶ ଶାସନରେ ରାଷ୍ଟ୍ରଶାସନ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ( ଡିପିଏସ୍‌ପି)ର ମୌଳିକ ଭୂମିକା ରହିଛି। ତଦନୁସାରେ ଆଇନ/ନିୟମ ପ୍ରଣୟନ କରିବା ରାଷ୍ଟ୍ରର କର୍ତ୍ତବ୍ୟ। ଏହି ଡିପିଏସ୍‌ପି ଅଧୀନରେ ପଞ୍ଚାୟତ, ସମବାୟ, ଶିକ୍ଷାଧିକାର ଭଳି କେତେକ ନୀତି  ଆଇନର ରୂପ ନେଇଛି। ତେଣୁ ଏବେ ସମ୍ବିଧାନର ଧାରା-୪୪ର କାର୍ଯ୍ୟକାରିତା ପାଇଁ ବର୍ତ୍ତମାନ  ସମୟ ଆସିଯାଇଛି। ଭାରତର ଭାବମୂର୍ତ୍ତିକୁ କ୍ଷୂଣ୍ଣ କରିବା ଭଳି ଅପଚେଷ୍ଟା ଓ ବାରମ୍ବାର ଦେଶ ବିରୋଧୀ କାହାଣୀର ଅବତାରଣାକୁ ସେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରେ ଲିପ୍ତ ତତଙ୍କୁ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଏବେ ଭାରତ  ବିରୋଧୀ କାହାଣୀ କହୁଥିବା ତତ୍ୱମାନଙ୍କୁ ଠିକଣା ଜବାବ ଦେବାର ସମୟ ଆସିଛି। ଉପରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ,’ ଆମ ଦେଶର ସାର୍ବଭୌମତ୍ୱ ଓ ପ୍ରତିଷ୍ଠାକୁ ଦୁର୍ବଳ କରିବା ପାଇଁ କୌଣସି ବିଦେଶୀ ଶକ୍ତିକୁ ସୁଯୋଗ ଦିଆଯିବ ନାହିଁ। ସେ ଭାରତର ଗଣତନ୍ତ୍ରକୁ ପ୍ରାଚୀନତମ, ବୃହତ୍ତମ, ସବୁଠୁ ସଫଳ ଓ ଜୀବନ୍ତ ଗଣତନ୍ତ୍ର ଭାବେ ବର୍ଣ୍ଣନା କରି ଏହା ବୈଶ୍ୱିକ ଶାନ୍ତି ଓ ସଦ୍‌ଭାବନାକୁ ସୁଦୃଢ କରୁଛି ବୋଲି କହିଛନ୍ତି। ଆମର ସାମ୍ବିଧାନିକ ପ୍ରତିଷ୍ଠାନ ସମୂହ ଉତ୍କୃଷ୍ଟ ତଥା ତଥା ପ୍ରସ୍ଫୁଟିତ ଗଣତନ୍ତ୍ରକୁ ଆଘାତ କରିବା ଭଳି କୌଣସି କାମକୁ ଆମେ ବରଦାସ୍ତ କରିିବୁ ନାହିଁ।”  ସମାବର୍ତ୍ତନ ଭାଷଣରେ ଉପରାଷ୍ଟ୍ରପତି ଶ୍ରୀ ଧନକର ଆହୁରି କହିଛନ୍ତି ଯେ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସହନଶୀଳ ହେବା ଆବଶ୍ୟକ। ସେମାନେ ଅନ୍ୟମାନଙ୍କର ଦୃଷ୍ଟିକୋଣକୁ ଅଧିକ ବିଚାର କରି ଦେଖିବା ଉଚିିତ। ଅନେକ ସମୟରେ ଅନ୍ୟମାନଙ୍କ ଦୃଷ୍ଟିକୋଣ ହିଁ ନିର୍ଭୁଲ ହୋଇଥାଏ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ଉପରାଷ୍ଟ୍ରପତି ଶ୍ରୀ ଧନକର ଡକ୍ଟର ସୁଦେଶ ଧନକରଙ୍କୁ ସହିତ ଗୁଆହାଟୀର ପ୍ରଖ୍ୟାତ କାମାଖ୍ୟା ମନ୍ଦିରକୁ ଯାଇ ମା’ କାମାଖ୍ୟା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ସେ ଆଇଆଇଟି ଗୁଆହାଟିର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଆସାମର ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ, ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା, ଗୁଆହାଟି ଆଇଆଇଟିର ପରିଚାଳନା ମଣ୍ଡଳର ସଦସ୍ୟଗଣ, ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ରାଜୀବ ମୋଦୀ, ବରିଷ୍ଠ ପ୍ରଫେସର ପରମେଶ୍ୱର ଆୟାର ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button