ଯୋଗୀଙ୍କୁ ହତ୍ୟା ଧମକ, ଫିଟିଲା ଗୁମର

ଲକ୍ଷ୍ମୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ମାମଲାରେ କାନପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ବାବୁ ପୁରୱା ଅଞ୍ଚଳରୁ ଅମିନ ନାମକ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ୧୧୨ରେ ମେସେଜ୍ କରି ସିଏମ୍ ଯୋଗୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ, ଯାହା ପରେ ଲକ୍ଷ୍ନୌ ପୋଲିସ ଏ ନେଇ ମାମଲା ରୁଜୁ କରିଥିଲା। ପୋଲିସ ସୂଚନା ମୁତାବକ, ଯୁବକ ଜଣକ କୌଣସି କାରଣରୁ ତାଙ୍କ ପ୍ରେମିକାଙ୍କ ବାପାଙ୍କୁ ଫସାଇବାକୁ ଚାହୁଁଥିଲେ। ଯେଉଁଥିପାଇଁ ସେ ଦୁଇ ଦିନ ପୂର୍ବରୁ ତାଙ୍କ ମୋବାଇଲ ଫୋନ୍‌ ଚୋରି କରିଥିଲେ ଏବଂ ପରେ ସେହି ମୋବାଇଲରୁ ଧମକପୂର୍ଣ୍ଣ ମେସେଜ ପଠାଇଥିଲେ। ତଦନ୍ତ ଆଧାରରେ ଯେତେବେଳେ ପୋଲିସ ଫୋନ ମାଲିକଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଏହା ପରେ ପ୍ରକୃତ କଥା ପଦାକୁୁ ଆସିଥିଲା। ମୋବାଇଲ ମାଲିକ ପୋଲିସକୁ କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ତାଙ୍କ ଫୋନ୍ ଚୋରି ହୋଇଯାଇଥିଲା। ଯେତେବେଳେ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଯୁବକ ଅମିନ ତାଙ୍କ ପ୍ରେମିକାଙ୍କ ବାପାଙ୍କୁ ପସନ୍ଦ କରୁ ନ ଥିଲେ। କାରଣ, ତାଙ୍କ ବାପା ସେମାନଙ୍କ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ। ଏହା ପରେ ଅମିନ ପ୍ରେମିକାର ବାପାଙ୍କୁ ଫସାଇବାକୁ ଷଡଯନ୍ତ୍ର ରଚିଥିଲେ। ପୋଲିସ କହିଛି ଯେ ଯୁବକ ତାଙ୍କ ବୟସ ୧୮ ବୋଲି କହୁଛନ୍ତି, କିନ୍ତୁ ଡକ୍ୟୁମେଣ୍ଟ ଯାଞ୍ଚ ପରେ ତାଙ୍କର ପ୍ରକୃତ ବୟସ ଜଣାପଡିବ। ତାଙ୍କ ନାମରେ ମୋବାଇଲ୍ ଚୋରି ନେଇ ମାମଲା ରୁଜୁ ହୋଇଛି। ପୋଲିସ ଏହା ମଧ୍ୟ କହିଛି ଯେ ପ୍ରକୃତ ଅର୍ଥରେ ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେବା ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ନୁହେଁ। ତେବେ ପୋଲିସ ଯୁବକଙ୍କୁ ଗିରଫ କରି ଆସନ୍ତାକାଲି କୋର୍ଟରେ ହାଜର କରିବ। ସେଠାରୁ ତାଙ୍କୁ ଜେଲ ପଠାଯିବ।

Related Articles

Leave a Reply

Your email address will not be published.

Back to top button