ଚାଷୀଙ୍କ ସହିତ ମିଶି ଧାନ ରୋଇଲେ କଂଗ୍ରେସ ନେତା ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ରାହୁଳ ଗାନ୍ଧୀ ଅନ୍ନଦାତାଙ୍କ ସହିତ ମିଶି ଧାନ ରୋଇଛନ୍ତି। ସେ ଆଜି ହରିଆନାର ସୋନପଥ ନିକଟସ୍ଥ ମାଡିନା ଗ୍ରାମର ଚାଷୀମାନଙ୍କ ସହିତ ଧାନ ଚାଷରେ ଚାଷୀଙ୍କୁ ସାହାଯ୍ୟ କରିଛନ୍ତି। ଦିଲ୍ଲୀରୁ ସିମିଳା ଯାଉଥିବା ବେଳେ ବାଟରେ ରାହୁଳ ଚାଷୀଙ୍କ ଏହି କାମ ଦେଖି ଗାଡିରୁ ଓହ୍ଲାଇ ଚାପଲ କାଢି ବିଲ ଭିତରକୁ ପ୍ରବେଶ କରିଥିଲେ। ଏହା ଦେଖିବା ପରେ ସେଠାକାର ଚାଷୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏକ ଟ୍ରାକ୍ଟର ଚଲାଇ କୃଷକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସେତେବେଳେ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ରାହୁଳ ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଗାଁର ଜଣେ କୃଷକ ସଂଜୟ କୁମାର କହିଛନ୍ତି ଯେ ହଠାତ୍ ତାଙ୍କ କ୍ଷେତ ନିକଟରେ କାରଗୁଡିକ ଅଟକି ଯାଇଥିଲା।ସେଥିମଧ୍ୟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଟିଏ ଗାଡିରୁ ବାହାରି ଆସିଲେ। “ପ୍ରାରମ୍ଭରେ ଧାନ ରୋଉଥିବା ଚାଷୀମାନଙ୍କ ପାଖକୁ ରାହୁଲ ଗାନ୍ଧୀ ଯାଇଥିଲେ ହେଲେ ସେମାନେ ତାଙ୍କୁ ଚିହ୍ନି ପାରିନଥିଲେ। ହେଲେ ଆମେ ତାଙ୍କୁ ଚିହ୍ନି ପାରିଥିଲୁ। ଆମେ ତାଙ୍କୁ ଜଳଖିଆ ପରିବେଷଣ କରି ଆମର ସମସ୍ୟା ବିଷୟରେ କହିଥିଲୁ। ସେ ଏକ ଟ୍ରାକ୍ଟର ମଧ୍ୟ ଚଳାଇଥିଲେ ବୋଲି ସଞ୍ଜୟ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ ଶୁଣିବା ପରେ କଂଗ୍ରେସର ବରୋଦା ବିଧାୟକ ଇନ୍ଦୁରାଜ ନରୱାଲ ଏବଂ ଗୋହାନା ବିଧାୟକ ଜଗବୀର ମଲିକ ମଧ୍ୟ କ୍ଷେତରେ ପହଞ୍ଚିଥିଲେ।

Related Articles

Leave a Reply

Your email address will not be published.

Back to top button