କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ରାଜୌରୀରେ ମୁତୟନ ହେବେ ଆଉ ୧୮୦୦ ଯବାନ

ଶ୍ରୀନଗର: କଶ୍ମୀର ଘାଟିରେ ସଦ୍ୟ ଘଟିଥିବା ଆତଙ୍କବାଦୀ ଘଟଣା ପରିପ୍ରେକ୍ଷୀରେ ରାଜୌରୀ ଜିଲ୍ଲାରେ ସିଆରପିଏଫ୍‌ର ଆଉ ୧୮ କମ୍ପାନୀ (ପ୍ରାୟ ୧୮୦୦) ଯବାନଙ୍କୁ ମୁତୟନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବିଗତ ଦୁଇ ସପ୍ତାହ ମଧ୍ୟରେ ରାଜୌରୀରେ ଆତଙ୍କବାଦୀମାନେ ହିନ୍ଦୁ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବାରୁ ଏଭଳି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହତ୍ୟା ଘଟଣାପରେ ରାଜୌରୀରେ ବାସ କରୁଥିବା ହିନ୍ଦୁ ସଂପ୍ରଦାୟଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ଏହି ଘଟଣା ପାଇଁ ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି । ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବାକୁ ସେନା, ସିଆରପିଏଫ୍ ଓ ଜମ୍ମୁ-କଶ୍ମୀର ପୁଲିସର ମିଳିତ ବାହିନୀ ଗତ ତିନିଦିନ ହେଲା ରାଜୌରୀ ଜିଲ୍ଲାକୁ ଘାଣ୍ଟିବାରେ ଲାଗିଛନ୍ତି । ରବିବାର ଓ ସୋମବାର କ୍ରମାଗତ ଦୁଇଦିନରେ ରାଜୌରୀ ଜିଲ୍ଲାର ଅପର ଡାଙ୍ଗ୍ରୀ ଗ୍ରାମରେ ଘଟିଥିବା ପୃଥକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ ଶିଶୁଙ୍କ ସମେତ ମୋଟ ୬ ଜଣ ହିନ୍ଦୁ ପ୍ରାଣ ହରାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । କଶ୍ମୀର ଘାଟିରେ ଆତଙ୍କବାଦର ମୁକାବିଲା କରିବାକୁ ପୂର୍ବରୁ ସିଆରପିଏଫ୍‌ର ୭୦ ବାଟାଲିୟନ ମୁତୟନ ହୋଇସାରିଛନ୍ତି । ଏହା ସିଆରପିଏଫ୍ ସୈନ୍ୟବଳର ଏକ ତୃତୀୟାଂଶ ।

Related Articles

Leave a Reply

Your email address will not be published.

Back to top button