୩୧ରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଚଳିତମାସ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା)ର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ୨୦୨୨ ଜୁଲାଇରେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାପରେ ରାଷ୍ଟ୍ରପତି ପ୍ରଥମ ଥର ସଂସଦର ଉଭୟ ଗୃହକୁ ଏକାଠି ସମ୍ବୋଧିତ କରିବାକୁ ଯାଉଛନ୍ତି । ଏଥିସହିତ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ସଂସଦରେ ଉପସ୍ଥାପନ କରାଯିବ । ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୬ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଏପ୍ରିଲ ୬ରେ ବଜେଟ୍ ଅଧିବେଶନ ଶେଷ ହୋଇପାରେ ବୋଲି ସୂତ୍ରରୁ ଜଣାପଡିଛି । ଦୁଇଟି ପର୍ଯ୍ୟାୟ ମଧ୍ୟରେ ରହିଥିବା ପ୍ରାୟ ୨୪ ଦିନର ଗ୍ୟାପ୍‌ରେ ସଂସଦର ବିଭିନ୍ନ ଷ୍ଟାଣ୍ଡିଂ କମିଟି ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ ଆଗତ ଖର୍ଚ୍ଚ ଦାବି ସମ୍ପର୍କରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପର୍କରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ମନ୍ତବ୍ୟ ରଖୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ସମ୍ପର୍କିତ ବିତର୍କର ଉତ୍ତର ରଖିବେ । ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ମନ୍ତ୍ରଣାଳୟର ଦାବି ସମ୍ପର୍କରେ ଆଲୋଚନା ହେବାସହିତ ସରକାରଙ୍କ ବ୍ୟବସ୍ଥାପିକା ସମ୍ପର୍କିତ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରାଯିବ । ଏହି ଅଧିବେଶନରେ କେନ୍ଦ୍ରୀୟ ବଜେଟ୍‌କୁ ଅନୁମୋଦିତ କରାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button