ବିଏସଏଫ୍ ଯବାନଙ୍କୁ ହତ୍ୟା, ୭ ଗିରଫ

ଅହମ୍ମଦାବାଦ: ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଅପ୍‌ଲୋଡ୍ ହୋଇଥିବା ଘଟଣାକୁ କେନ୍ଦ୍ରକରି ଗୁଜରାଟରେ ଜଣେ ବିଏସଏଫ୍ ଯବାନଙ୍କୁ ହତ୍ୟା କରାଯାଇଛି । ପୁଲିସ ଏହି ଘଟଣାରେ ଆକ୍ରମଣକାରୀ ୭ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ମେଲଜୀଭାଇ ବାଘେଲା ନାମକ ଏହି ବ୍ୟକ୍ତି ବିଏସଏଫ୍‌ରେ ହେଡ୍ କନ୍‌ଷ୍ଟେବଳଭାବେ କାର୍ଯ୍ୟ କରୁଥିଲେ । ତାଙ୍କ କନ୍ୟାଙ୍କ ସହ ଜଣେ ୧୫ ବର୍ଷ ବୟସ୍କ ନାବାଳକଙ୍କ ପ୍ରେମ ସମ୍ପର୍କ ରହିଥିଲା । ତେବେ ନାବାଳକ ଜଣକ ପ୍ରେମିକାଙ୍କ ଅଶ୍ଲୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏହା ଜାଣିବାପରେ ବାଘେଲା ନିଜର ପତ୍ନୀ, ଦୁଇ ପୁଅ ଓ ପୁତୁରାଙ୍କୁ ସାଙ୍ଗରେ ନେଇ ଚକ୍‌ଲାସି ଗ୍ରାମରେ ରହୁଥିବା ସେହି ନାବାଳକଙ୍କ ଘରକୁ ଯାଇଥିଲେ । ସେଠାରେ ଉଭୟପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବାପରେ ନାବାଳକଙ୍କ ପରିବାର ଲୋକେ ଏମାନଙ୍କ ଉପରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ବାଘେଲାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଚିକିତ୍ସାଧୀନ ରହିଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button