ଦିଲ୍ଲୀର ୯ ଟି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଆଜି ସକାଳେ ସହରର ୯ଟି ସ୍କୁଲକୁ ବୋମା ଧମକ ମିଳିବା ପରେ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଏହି ସମସ୍ତ କଲ୍ ସକାଳ ୮:୩୦ ରୁ ୯:୦୦ ମଧ୍ୟରେ ଆସିଥିଲା। ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ସ୍କୁଲରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ।ଦକ୍ଷିଣ ଦିଲ୍ଲୀର ସ୍କୁଲଗୁଡ଼ିକରେ ଧମକର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହୋଇଥିଲା, ଯେଉଁଠାରେ ତିନୋଟି ସ୍କୁଲକୁ ଫୋନ ମାଧ୍ୟମରେ ସୂଚନା ଦିଆଯାଇଥିଲା। ସତର୍କତା ସ୍ୱରୂପ ସ୍କୁଲ ପରିସରକୁ ତୁରନ୍ତ ଖାଲି କରାଯାଇଥିଲା। କୌଣସି ବିପଦକୁ ଏଡାଇବା ପାଇଁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା। ସ୍କୁଲ ପ୍ରଶାସନ ତୁରନ୍ତ ଶ୍ରେଣୀ ବନ୍ଦ କରି ଅଭିଭାବକମାନଙ୍କୁ ଜଣାଇଥିଲା। ଅନେକ ସ୍କୁଲରେ ପିଲାମାନଙ୍କୁ ବସ୍ ଏବଂ ଘରୋଇ ଯାନବାହାନ ଯୋଗେ ଘରକୁ ପଠାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ, କିନ୍ତୁ ପୋଲିସ ଏବଂ ସ୍କୁଲ କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ଯେ, କୌଣସି ସୁରକ୍ଷା ତ୍ରୁଟିରେ ଅବହେଳା କରାଯିବ ନାହିଁ।



