‘ମୋଦି ଗ୍ୟାରେଣ୍ଟି’ ଉପରେ ଆଧାରିତ ହେବ ବିଜେପିର ଲୋକସଭା ନିର୍ବାଚନ ପ୍ରଚାର

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ‘ମୋଦି ଗ୍ୟାରେଣ୍ଟି’କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କରିବାକୁ ଯାଉଛି। ଦିଲ୍ଲୀରେ ବିଜେପି କର୍ମକର୍ତ୍ତାଙ୍କ ଦୁଇଦିନିଆ ବୈଠକ ଶନିବାର ଶେଷ ହୋଇଛି। ବୈଠକ ପରେ ଜଣାପଡ଼ିଛି ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଚାରର ବିଷୟବସ୍ତୁ ହେବ ‘ମୋଦି ଗ୍ୟାରେଣ୍ଟି’। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା ଏହି ବୈଠକକୁ ସମ୍ବୋଧିତ କରିଥିଲେ। ଉଭୟ ନେତା ଲୋକସଭା ନିର୍ବାଚନ ପାଇଁ ସାଂଗଠନିକ ପ୍ରସ୍ତୁତିର ସମୀକ୍ଷା କରିଥିଲ। ସୂତ୍ରରୁ ପ୍ରକାଶ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ସ୍ଲୋଗାନ ବିଜେପି ପ୍ରଚାରର ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ହେବାକୁ ଯାଉଛି। ସୂତ୍ରରୁ ପ୍ରକାଶ ଯେ ବୈଠକରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିଦ୍ୱାରା ଗ୍ରହଣ କରାଯାଇଥିବା ଭଲ ଅଭ୍ୟାସ ବିଷୟରେ କହିଥିଲେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ୨୦୨୪ ନିର୍ବାଚନ ପାଇଁ କାର୍ଯ୍ୟକ୍ରମର କ୍ୟାଲେଣ୍ଡର ମଧ୍ୟ ଦେଇଛନ୍ତି। ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଏବଂ ଭାରତ ପ୍ରତି ଏହାର ଆଭିମୁଖ୍ୟକୁ ‘ମୋଦୀ ଗ୍ୟାରେଣ୍ଟି’ ସ୍ଲୋଗାନରେ ବର୍ଣ୍ଣନା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଏହି ସ୍ଲୋଗାନକୁ ବିଜେପି ଅନେକ ସମୟରେ ବ୍ୟବହାର କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଦଳୀୟ କର୍ମକର୍ତ୍ତାମାନଙ୍କ ବୈଠକକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ ଅନ୍ୟର ନକାରାତ୍ମକ କାହାଣୀରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ଭାରତୀୟଙ୍କ ବିଶ୍ୱାସ ଜିତିବା ଉପରେ ଧ୍ୟାନ ଦିଅନ୍ତୁ। ବିରୋଧୀ ନେତାଙ୍କ ଦ୍ୱାରା କରାଯାଉଥିବା ରାଜନୀତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଲୋକସଭା ନିର୍ବାଚନରେ ୧୦ ପ୍ରତିଶତ ଭୋଟ ବୃଦ୍ଧି ପାଇଁ ବୁଥ୍ ସ୍ତର ପର୍ଯ୍ୟନ୍ତ କାମ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଗରିବ, କୃଷକ, ଯୁବକ ଓ ମହିଳାଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବାକୁ ଦଳୀୟ ନେତାମାନଙ୍କୁ କୁହାଯାଇଛି। ବିକାଶ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ଲୋକଙ୍କୁ ଏହି ଯାତ୍ରା ସହ ଯୋଡ଼ିବା ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେବାକୁ ମୋଦୀ ବୈଠକରେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ। ବିଜେପି ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ଲୋକଙ୍କ ପାଖରେ ପହଞ୍ଚିବ ତାହା ଆମେ ସମସ୍ତେ ସୁନିଶ୍ଚିତ କରିବା ଦରକାର ବୋଲି ସେ କହିଛନ୍ତି। ବିଜେପିର ସାଂଗଠନିକ ଶକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦଳୀୟ ନେତାମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଜନସାଧାରଣଙ୍କ ନିକଟକୁ ଯିବାକୁ ଆହ୍ୱାନ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button