ବିହାର ମଦମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟା ୩୯କୁ ବଢିଲା

ପାଟନା: ବିହାରର ଶରଣ ଜିଲ୍ଲାରେ ଘଟିଥିବା ମଦମୃତ୍ୟୁ ଘଟଣାରେ ଆଉ ୫ ଜଣଙ୍କ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧିପାଇଛି । ମସରଖ ବ୍ଲକରେ ସର୍ବାଧିକ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅବଶିଷ୍ଟ ୧୬ ଜଣ ଇସୁପୁର, ଅମ୍ନାଉର ଏବଂ ମାରହଉରା ଅଂଚଳର ବୋଲି ଜଣାପଡିଛି। ସଦ୍ୟତମ ସମ୍ବାଦ ଅନୁଯାୟୀ, ୧୯ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ କିଛି ଲୋକ ମଧ୍ୟ ଦୃଷ୍ଟି ଶକ୍ତି ହରାଇଛନ୍ତି । ଶରଣ ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନା କହିଛନ୍ତି ଯେ ଚୋରା ମଦ କାରବାରରେ ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଶ୍ରୀ ମୀନା କହିଛନ୍ତି ଯେ ୩୦ ଜଣଙ୍କୁ ପଚରାଉଚରା ପାଇଁ ପୁଲିସ ହେପାଜତକୁ ନିଆଯାଇଛି । ଇତି ମଧ୍ୟରେ ପଦକ୍ଷେପ ସ୍ୱରୂପ ମସରଖ ପୁଲିସ ଷ୍ଟେସନର ଏସଏଚଓ ଏବଂ ଚୌକିଦାରକୁ ନିଲମ୍ବନ କରାଯାଇଛି । ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁଶୀଲ କୁମାର ମୋଦୀ ଅଭିଯୋଗ କରିଛନ୍ତି ଯେ ନିଷେଧାଦେଶ ପରେ ମଦ୍ୟପାନ ଯୋଗୁଁ ରାଜ୍ୟରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ଘଟଣା ନେଇ ବିହାର ବିଧାନସଭା ଆଜି ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ଆଜି ଗୃହ ଆରମ୍ଭ ହେବା ମାତ୍ରେ ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ । ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ଅଭିଯୋଗ କରିଛନ୍ତି ଯେ ଗୃହରେ ବିରୋଧୀଦଳର ନେତାଙ୍କ ସ୍ୱରକୁ ଚାପି ଦିଆଯାଉଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ମଦ ନିଷେଧାଦେଶରେ ବିରୋଧୀ ଦଳ ସହଯୋଗ କରୁନାହାଁନ୍ତି । ଶ୍ରୀ କୁମାର କହିଛନ୍ତି ଯେ ଚୋରା ମଦ ତିଆରି ପାଇଁ ଦାୟୀ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ ।

Related Articles

Leave a Reply

Your email address will not be published.

Back to top button