୧୩୦କି.ମି ବେଗରେ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଘଣ୍ଟା ପ୍ରତି ୧୩୦ କି.ମି ବେଗରେ ଓଡ଼ିଶାରେ ଦୌଡ଼ିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ହାଓଡ଼ାରୁ ପୁରୀକୁ ଚାଲିଥିବା ଏହି ଏକ୍ସପ୍ରେସ୍‌ର ପ୍ରଥମ ପରୀକ୍ଷାମୂଳକ ଚଳାଚଳ(ଟ୍ରାଏଲ୍‌-ରନ୍‌) ସଫଳତାର ସହ ଶେଷ ହୋଇଥିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଧାର୍ଯ୍ୟ ସମୟ ସକାଳ ୬ଟା ୧୦ରେ ଏହି ଏକ୍ସପ୍ରେସ୍‌ ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିଥିଲା। ସାଢ଼େ ୬ ଘଣ୍ଟା ମଧ୍ୟରେ ପୁରୀରେ ପହଞ୍ଚିବା ଲକ୍ଷ୍ୟରେ ବାହାରିଥିବା ଏହି ଏକ୍ସପ୍ରେସ୍‌ କେବଳ ଖଡ଼ଗପୁର ଷ୍ଟେସନ୍‌ରେ ଦୁଇ ମିନିଟ୍‌ ପାଇଁ ରହଣି କରିଥିଲା। ବାଟରେ ଆଉ କୌଣସି ଷ୍ଟେସନରେ ଅଟକି ନ ଥିଲା। ସୂଚନା ଅନୁଯାୟୀ,  ସକାଳ ୭ଟା ୩୮ରେ ଖଡ଼ଗପୁରରେ ପହଞ୍ଚି ୭ଟା ୪୦ରେ ଷ୍ଟେସନ୍‌ ଛାଡ଼ିଥିଲା। ପୂର୍ବତଟ ରେଳପଥ ଅଧୀନ ଷ୍ଟେସନ୍‌ ଯଥା ଭଦ୍ରକରେ ପ୍ରାୟ ୯ଟା ୪୫ରେ ଅତିକ୍ରମ କରିଥିବା ବେଳେ ୧୦ଟା ୨୫ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୫ରେ ଭୁବନେଶ୍ବର, ୧୧ଟା ୪୫ରେ ଖୋର୍ଦ୍ଧାରୋଡ୍‌ ଅତିକ୍ରମ କରି ପୁରୀରେ ଧାର୍ଯ୍ୟ ସମୟ ୧୨ଟା ୩୫ ସୁଦ୍ଧା ପହଞ୍ଚି ଯାଇଥିଲା। ହାଓଡ଼ାରୁ ପୁରୀ ମଧ୍ୟରେ ଏକ୍ସପ୍ରେସ୍‌ର ଘଣ୍ଟା ପ୍ରତି ବେଗ ଅଧିକାଂଶ ସ୍ଥାନରେ ୧୩୦ କି.ମି ରହିଥିଲା। ଷ୍ଟେସନଗୁଡ଼ିକରେ ବେଗ ସାମାନ୍ୟ କମ୍‌ ରହିଥିଲା। ବିଶେଷକରି ଜନଗହଳିପୂର୍ଣ୍ଣ ଷ୍ଟେସନ ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ ଷ୍ଟେସନରେ ଘଣ୍ଟା ପ୍ରତି ବେଗ ୮୦ ତଳକୁ ଖସି ଆସିଥିଲା। ପ୍ରଥମ ଦିନର ପରୀକ୍ଷାମୂଳକ ଚଳାଚଳ ସୁରୁଖୁରରେ ଶେଷ ହୋଇଥିବାରୁ ଆଗାମୀ ଦିନରେ ଏକ୍ସପ୍ରେସ୍‌ ଚଳାଚଳ ସ୍ବପ୍ନ ସାକାର ହେବାକୁ ଯାଉଥିବା କୁହାଯାଉଛି। ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଧାର୍ଯ୍ୟ ସମୟ ଅନୁଯାୟୀ ଏକ୍ସପ୍ରେସ୍‌ ଚଳାଚଳ କରିଛି। କୌଣସି ସ୍ଥାନରେ କିଛି ବି ‌ତ୍ରୁଟି ପରିଲକ୍ଷିତ ହୋଇନାହିଁ। ସକାଳୁ ଆସି ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ଷ୍ଟେସନ୍‌ରେ ପହଞ୍ଚିବା ପରେ ସେଠାରେ ଯାଞ୍ଚ କରାଯାଇଥିଲା। ଟ୍ରେନ୍‌ କିମ୍ବା ଟ୍ରାକ୍‌ରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇ ନଥିଲା। ପରୀକ୍ଷାମୂଳକ ଭାବେ ଚଳାଚଳ କରୁଥିବାରୁ କୌଣସି ଷ୍ଟେସନରେ ଏକ୍ସପ୍ରେସ୍‌କୁ ଅଟକା ଯାଇ ନ ଥିଲା। ଅପରାହ୍ଣ ୧ଟା ୫୦ରେ ‌ବନ୍ଦେ ଭାରତ ପୁରୀରୁ ହାଓ୍ବଡ଼ା ଅଭିମୁଖେ ବାହାରିଥିଲା ଏବଂ ରାତି ୮ଟା ୩୦ ସୁଦ୍ଧା ହାଓ୍ଡଡ଼ାରେ ପହଞ୍ଚିଥିବା ନେଇ ଜଣାପଡ଼ିଛି। ପ୍ରଥମ ଟ୍ରାଏଲ୍‌-ରନ୍‌ ଶେଷ ହୋଇଥିବା ବେଳେ ଦ୍ବିତୀୟ ଟ୍ରାଏଲ୍‌ ରନ୍‌ ଆସନ୍ତା ୩୦ ତାରିଖରେ ହାଓ୍ବଡ଼ାରୁ ଭଦ୍ରକ ଷ୍ଟେସନ୍‌ ପର୍ଯ୍ୟନ୍ତ କରାଯିବ। ମେ’ ପହିଲାରେ ତୃତୀୟ ଟ୍ରାଏଲ୍‌ ରନ୍‌ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ନିୟମିତ ଭାବେ କେବେ ଏହି ଏକ୍ସପ୍ରେସ୍‌ ଚାଲିବ, ତାହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ।

Related Articles

Leave a Reply

Your email address will not be published.

Back to top button