ପୁଣି ବନ୍ଦ ହେଲା ଚାରିଧାମ ଯାତ୍ରା

ଶ୍ରୀନଗର : ପୁଣି ଚାରିଧାମ ଯାତ୍ରା ବନ୍ଦ ରଖାଯାଇଛି। ଖରାପ ପାଣିପାଗ ଯୋଗୁଁ ଚାରିଧାମ ଯାତ୍ରା ବନ୍ଦ ହୋଇଛି। କେଦାରନାଥରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ବଦ୍ରିନାଥ ହାଇୱେ ପଥର ଧସିବା ଯୋଗୁଁ ବନ୍ଦ ରହିଛି। ଯାତ୍ରୀଙ୍କ ସୁରକ୍ଷା ନେଇ ଶ୍ରୀନଗର ପୋଲିସ ସତର୍କତାମୂଳକ ପଦକ୍ଷେପ ନେଇଛି। ଚାରିଧାମ ଯାତ୍ରା ପାଇଁ ଯୋଜନା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏହା ବଡ଼ ଖବର । ଭୂସ୍ଖଳନ ଆଶଙ୍କା ଥିବାରୁ ଭକ୍ତମାନଙ୍କ ସୁରକ୍ଷା ପାଇଁ ଏହି ଯାତ୍ରା ବନ୍ଦ କରାଯାଇଛି । ତେବେ ପାଗ ଠିକ୍ ହେଲା ପରେ ଶ୍ରଦ୍ଧାଳୁ ଯାତ୍ରା ଜାରି ରଖିବାକୁ ନିବେଦନ କରାଯାଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ପାହାଡ ଧସି ରାସ୍ତା ଜାମ୍‌ ହୋଇଛି । ତେଣୁ ବଦ୍ରିନାଥ ହାଇୱେ ବନ୍ଦ ହୋଇଯାଇଛି । ଦିଲ୍ଲୀ-ଏନସିଆର, ୟୁପି, ରାଜସ୍ଥାନ ସହିତ ଦେଶର ଅନ୍ୟ ରାଜ୍ୟରୁ ଆସିବାକୁ ଥିବା ଯାତ୍ରୀଙ୍କ ମୁସ୍କିଲ ବଢିଯାଇଛି। ଏନେଇ ଉତ୍ତରାଖଣ୍ଡ ସରକାର ୯ଟି ଭାଷା ତାମିଲ, ମାଲାୟାଲମ୍, ତେଲୁଗୁ, କନ୍ନଡ, ବଙ୍ଗାଳୀ, ଗୁଜୁରାଟୀ, ପଞ୍ଜାବୀ, ମରାଠୀ ଏବଂ ଓଡିଆରେ ଏସଓପି ଜାରି କରିଛନ୍ତି। କେଦାରନାଥ ଧାମରେ ଗତ ୧୨ ଦିନ ଧରି ତୁଷାରପାତ ଜାରି ରହିଛି । ଏପ୍ରିଲ ୩୦ରୁ ଚାରି ଦିନ ଉତ୍ତରପ୍ରଦେଶରେ ପାଗ ଖରାପ ହେବ, ଖରାପ ପାଗ ଉପରେ ମଧ୍ୟ ଏକ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡର ଖରାପ ପାଗ ଯୋଗୁଁ ତୀର୍ଥଯାତ୍ରୀମାନେ ବର୍ଷା ଓ ତୁଷାରପାତ ପରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ୨୫ ଏପ୍ରିଲରେ କେଦାରନାଥ ଧାମର କବାଟ ଖୋଲିଥିବା ବେଳେ ୨୭ ଏପ୍ରିଲରେ ବଦ୍ରିନାଥ ଏବଂ ଏପ୍ରିଲ୍ ୨୨ ରେ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମର ଦ୍ୱାର ଦର୍ଶନ ପାଇଁ ଖୋଲା ଯାଇଥିଲା । ବଦ୍ରିନାଥ ଏବଂ କେଦାରନାଥ ଧାମରେ ବରଫ ବର୍ଷା ହେଉଛି । ଗୋଟେ ଫୁଟରୁ ଅଧିକ ବରଫ ଜମି ରହିଛି । ମନ୍ଦିରକୁ ଯିବା ବାଟରୁ ବରଫ ହଟାଇ ଦିଆଯାଇଛି । ଗତ କିଛିଦିନରେ ଲଗାତାର ବରଫ ବର୍ଷା ହେବା ଯୋଗୁଁ କେଦାରନାଥ ଧାମରେ ରେଜିଷ୍ଟ୍ରେସନ ୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ କେଦାରନାଥ ଧାମ ସ୍ଥଳର ପାଣିପାଗ ଖରାପ ରହିବ । ବରଫପାତ କିମ୍ବା ବର୍ଷା ହେବା ଯୋଗୁଁ ଭୟରେ ଯାତ୍ରୀଙ୍କୁ ଭଦ୍ରକାଳୀ ଏବଂ ବ୍ୟାସୀ ପାଖରେ ଅଟକାଯାଉଛି । ତେବେ ପାଣିପାଗ ସ୍ଥିତି ଦେଖି ଆଗକୁ ଯାତ୍ରା ବିଷୟରେ ନିଷ୍ପତ୍ତି ନିଆଯିବ । ଯଦି ପାଗ ଅନୁକୂଳ ରହିଲା ତେବେ ମଙ୍ଗଳବାରରୁ ଯାତ୍ରୀଙ୍କୁ ଅନୁମତି ମିଳିବ । ଏହି ବର୍ଷ କେଦାରନାଥ ଯାତ୍ରା ପାଇଁ ପାଖାପାଖି ୬ ଲକ୍ଷ ରେଜିଷ୍ଟ୍ରେସନ ହୋଇଛି । ୨୫ ଏପ୍ରିଲରୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଭକ୍ତ ମନ୍ଦିର ଯିବାକୁ ରେଜିଷ୍ଟ୍ରେସନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button