ମଧ୍ୟରାତ୍ର ମିଶନ୍‌ରେ ବାୟୁସେନାର ଐତିହାସିକ କୃତୀତ୍ୱ: କାର୍ଗିଲ୍‌ରେ ସି-୧୩୦ ବିମାନର ସଫଳ ନାଇଟ୍ ଲ୍ୟାଣ୍ଡିଂ

କାର୍ଗିଲ: ଭାରତୀୟ ବାୟୁସେନା ପୁଣିଥରେ ଏକ ଅସାଧ୍ୟ କାର୍ଯ୍ୟକୁ ସଫଳତାପୂର୍ବକ କରିଦେଖାଇଛି । ପ୍ରଥମ ଥର ପାଇଁ ବାୟୁସେନା ମଧ୍ୟରାତ୍ରରେ ଲଦାଖର କାର୍ଗିଲ୍ ଅଞ୍ଚଳରେ ଥିବା ଏୟାରଷ୍ଟ୍ରିପ୍‌ରେ ସି-୧୩୦ ଜେ ସୁପର ହୁର୍କ୍ୟୁଲେସ୍ ଭଳି ଓଜନଦାର ତଥା ସାମରିକ ପରିବହନ ବିମାନର ସୁରକ୍ଷିତ ଅବତରଣ କରିଛି । ରାତି ସମୟରେ ଅବତରଣ କରିଥିବା ଏହି ହର୍କ୍ୟୁଲେସ୍ ବିମାନରେ ବାୟୁସେନା କମାଣ୍ଡୋଙ୍କୁ କାର୍ଗିଲ ଅଭିମୁଖେ ନିଆଯାଇଥିଲା ଏବଂ ସେଠାରେ ଏହି କମାଣ୍ଡୋମାନେ ସାମରିକ ଅଭ୍ୟାସ (ଟେରେନ୍ ମାସ୍‌କିଂ ଏକ୍ସରସାଇଜ୍‌) କରିଥିଲେ । ଜରୁରିକାଳୀନ ପରିସ୍ଥିତିରେ କିପରି ତୁରନ୍ତ ସେନା କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ସେନେଇ ଏକ ପ୍ରଶିକ୍ଷଣ ଭିତ୍ତିକ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ଥିଲା ।
ରାତି ସମୟରେ ହର୍କ୍ୟୁଲେସ୍ ଭଳି ବିମାନକୁ କାର୍ଗିଲ ଭଳି ଅତ୍ୟନ୍ତ ବିପଦଜନକ ତଥା ଦୁର୍ଗମ ଅଞ୍ଚଳରେ ଅବତରଣ କରାଇବା ବାୟୁସେନା ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା । କିନ୍ତୁ ଏହାକୁ ସଫଳତାର ସହ କରିଦେଖାଇଛି ବାୟୁସେନା । ଏହାକୁ ବାୟୁସେନାର ଐତିହାସିକ ସଫଳତା ଭାବେ ବିବେଚନା କରାଯାଉଛି । ଭାରତୀୟ ବାୟୁସେନା ଏହି ଐତିହାସିକ ମୁହୂର୍ତ୍ତର (ରାତି ସମୟରେ ବିମାନ ଅବତରଣ କରାଯିବା) ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି, ଯାହାକୁ ଦେଶବାସୀ ବେଶ୍ ପସନ୍ଦ କରିବା ସହ ତାରିଫ୍ ମଧ୍ୟ କରୁଛନ୍ତି । ଭିଡିଓ ଜାରି କରିବା ସହ ବାୟୁସେନା ଉଲ୍ଲେଖ କରିଛି ଯେ, ଏହା ପ୍ରଶିକ୍ଷଣ ମିଶନ୍ ଥିଲା, ଯାହାକୁ ସଫଳତାର ସହ କରାଯାଇଛି । ତେବେ ରାଷ୍ଟ୍ରାୟତ୍ତ ସୁରକ୍ଷା ଦୃଷ୍ଟିକୋଣରୁ ଏପ୍ରକାର ଏକ ମିଶିନ ସମ୍ପର୍କରେ ଅଧିକ କିଛି ସୂଚନା ଦେବା ସମ୍ଭବ ନୁହେଁ । କିନ୍ତୁ ଏହି ସଫଳ ପରୀକ୍ଷଣ ଦ୍ୱାରା ଆଗାମୀ ଦିନରେ କାର୍ଗିଲ୍ ଭଳି ଦୁଃସାଧ୍ୟ ଅଞ୍ଚଳରେ ମଧ୍ୟ ରାତି ସମୟରେ ସୀମାରେ ପାଟ୍ରୋଲିଂ ତଥା ଶତ୍ରୁପକ୍ଷ ଉପରେ ଆକ୍ରମଣ କରିବା ସମ୍ଭବ ହୋଇପାରିବ ବୋଲି ଏୟାରଫୋର୍ସ ପକ୍ଷରୁ କୁହାଯାଇଛି । ଏନେଇ ବାୟୁସେନା କମାଣ୍ଡୋଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଇଛି ।
ଲଦାଖ ପଟେ ରହିଥିବା କାର୍ଗିଲ ଅଞ୍ଚଳରେ ଥିବା ଏୟାରଷ୍ଟ୍ରିପ୍ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୮୮୦୦ ଫୁଟ୍‌ରୁ ମଧ୍ୟ ଉଚ୍ଚସ୍ଥାନରେ ରହିଛି । ଏହି ଅଞ୍ଚଳ ବଡ଼ ବଡ଼ ପାହାଡ ଏବଂ ଘଞ୍ଚ ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଛି । ଏପରିସ୍ଥିତିରେ ଏଠାରେ ଦିନ ସମୟରେ ମଧ୍ୟ କୌଣସି ବିମାନକୁ ଲ୍ୟାଣ୍ଡିଂ କରାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ରାତି ସମୟରେ ତ ଏସବୁ ସମ୍ପୂର୍ଣ୍ଣ ଅସମ୍ଭବ ପ୍ରକ୍ର୍ରିୟା ବୋଲି ଚିନ୍ତା କରାଯାଏ । ବିଶେଷଜ୍ଞଙ୍କ ଅନୁସାରେ ରାତି ସମୟରେ ଏଠାରେ ବିମାନ ଅବତରଣ କରାଇବାକୁ ହେଲେ ପାହାଡ ଠାରୁ ବିମାନକୁ ସୁରକ୍ଷିତ ରଖିବା ସହ କେବଳ ନାଭିଗେସନ୍ ଭରସାରେ ହିଁ ବିମାନକୁ ଅବତରଣ କରିବାକୁ ପଡିଥାଏ, ଯାହାକି ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ । ପ୍ରକାଶ, ଗତବର୍ଷ ନଭେମ୍ବର ମାସରେ ଭାରତୀୟ ବାୟୁସେନା ଉତ୍ତରାଖଣ୍ଡର ଏକ ଅଳ୍ପ ବିକଶିତ ଓ ଅବ୍ୟବହୃତ ଏୟାରଷ୍ଟ୍ରିପ୍‌ରେ ନିଜର ଦୁଇଟି ସି ୧୩୦ ଜେ ସୁପର ହର୍କ୍ୟୁଲେସ୍ ସାମରିକ ପରିବହନ ବିମାନକୁ ସଫଳତାର ସହ ଅବରତଣ କରିଥିଲା । ଖରାପ ପାଗରେ ନିକଟସ୍ଥ ନିର୍ମାଣାଧୀନ ପର୍ବତ ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଇଞ୍ଜିନିୟରିଂ ଉପକରଣ ପହଞ୍ଚାଇବା ପାଇଁ ଏହି ଅଭିଯାନ କରାଯାଇଥିଲା ।
ସୂଚନାଯୋଗ୍ୟ ଗତ ୬୯ ବର୍ଷ ଧରି ସି-୧୩୦ ବିମାନ ଭାରତୀୟ ବାୟୁସେନା ପାଇଁ ସେବା ଦେଇ ଆସୁଛି । ୪ ଇଞ୍ଜିନ୍ ବିଶିଷ୍ଟ ଏହି ବିମାନ ୧୯୫୪ରେ ପ୍ରଥମ ଥର ପାଇଁ ଉଡାଣ ଭରିଥିଲା । ସେନାବାହିନୀରେ ଏହା ମୁଖ୍ୟତଃ ଏକ ସାମରିକ ପରିବହନ ବିମାନ ଭାବେ ହିଁ ବ୍ୟବହୃତ ହୋଇଥାଏ । ଆମେରିକୀୟ କମ୍ପାନୀ ଲକ୍‌ହିଡ୍ ମାର୍ଟିନ୍ ଏହି ବିମାନର ନିର୍ମାତା ରହିଥିବା ବେଳେ ଏହାକୁ ପରବର୍ତ୍ତୀ ସମୟରେ ଅପଗ୍ରେଡ୍ କରାଯାଇ ସି-୧୩୦ରୁ ସି-୧୩୦ ଜେ ରୂପରେ ରୂପାନ୍ତରିତ କରାଯାଇଛି । ସମ୍ପ୍ରତି ଭାରତ ସମେତ ପ୍ରାୟ ୨୦ଟି ରାଷ୍ଟ୍ର ଏହି ସାମରିକ ବିମାନକୁ ବ୍ୟବହାର କରୁଛନ୍ତି । ଏକକାଳୀନ ୮୦ରୁ ଅଧିକ ସଶସ୍ତ୍ର ସୈନିକଙ୍କ ସହ ୨୦ଟନ୍ ଓଜନର ସାମଗ୍ରୀ ବହନ କରିବାର ସାମର୍ଥ୍ୟ ରଖୁଥିବା ହର୍କ୍ୟୁଲେସ୍ ବିମାନର ଘଣ୍ଟାପ୍ରତି ବେଗ ୬୪୪ କିମି ରହିଛି । ସେହିପରି ଏହି ବିମାନ କମ୍ ଉଚ୍ଚତାରେ ମଧ୍ୟ ଉଡାଣ କରିବାରେ ସକ୍ଷମ । ଏହି ବିମାନକୁ ଟେକ୍‌ଅପ୍ କରିବା କିମ୍ବା ଲ୍ୟାଣ୍ଡିଂ କରିବା ପାଇଁ ରନ୍‌ୱେର ମଧ୍ୟ ଆବଶ୍ୟକତା ପଡ଼ିନଥାଏ ।

Related Articles

Leave a Reply

Your email address will not be published.

Back to top button