ନୂଆ ୱାକଫ୍ ନିୟମ ବିରୋଧରେ ଏଆଇଏମ୍‌ପିଏଲ୍‌ବିର ଆନ୍ଦୋଳନ ଆରମ୍ଭ, ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନୂଆ ୱାକଫ୍ ନିୟମ ବିରୋଧରେ ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ୍ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଶୁକ୍ରବାର ଦେଶବ୍ୟାପୀ ‘ୱାକଫ୍ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛି । ଏହାକୁ ନେଇ ସାରା ଦେଶରେ ମୁସଲମାନମାନେ ସଡ଼କକୁ ଓହ୍ଲାଇଛନ୍ତି । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଆନ୍ଦୋଳନ ହିଂସାତ୍ମକ ହୋଇଛି । ଆନ୍ଦୋଳନକାରୀ ବସ୍‌ରେ ନିଆଁ ଲଗାଇବା ସହିତ ଟେକା ପଥର ମାଡ଼ କରିଛନ୍ତି । ରିପୋର୍ଟ ଅନୁସାରେ ଗୁଳି ମାଡ଼ରେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ପରିସ୍ଥିତି କାବୁ କରିବା ନିମନ୍ତେ ସେଠାରେ ବିଏସ୍‌ଏଫ୍ ମୁତୟନ କରାଯାଇଛି । ଅଞ୍ଚଳରେ ସଡ଼କ ଓ ରେଳ ଯାତାୟାତ, ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଶମଶେରଗଞ୍ଜର ସୁତିର ସାଜୁର ଛକରେ ଏନ୍‌ଏଚ୍ ୧୨ ଜାମ୍ କରାଯାଇଛି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୁଲିସ କେତେକ ରାଉଣ୍ଡ୍ ଲୁହବୁହା ଗ୍ୟାସ୍ ମାଡ଼ କରିଛି । ଡାଏମଣ୍ଡ୍ ହାର୍ବରର ଅମତଲା ଛକରେ ଆନ୍ଦୋଳନକାରୀ ଦିନବେଳା ଗୋଟିଏ ପୁଲିସ ଗାଡ଼ିରେ ଭଙ୍ଗାରୁଜା କରିବା ଫଳରେ ୧୦ ଜଣ ପୁଲିସ୍ କର୍ମୀ ଆହତ ହୋଇଛନ୍ତି । ପଶ୍ଚିମ ରେଳବାଇର ବୟାନ ଅନୁସାରେ ଅଜିମଗଞ୍ଜ-ନ୍ୟୁ ଫରକ୍କା ସେକ୍ସନ୍‌ରେ ଅପରାହ୍ଣରେ ପ୍ରାୟ ୫୦୦୦ ଲୋକ ଧୁଲିୟାନ୍‌ଗଙ୍ଗା ଷ୍ଟେସନ୍ ନିକଟରେ ଟ୍ରେନ୍ ଟ୍ରାକ୍ ଜାମ୍ କରିଥିବା ଜଣାପଡ଼ିଛି । ଏଆଇଏମ୍‌ପିଏଲ୍‌ବିର ୱାକଫ୍ ବଞ୍ଚାଅ ଅଭିଯାନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୮୭ ଦିନ ପର୍ଯ୍ୟନ୍ତ ଚାଲିବ । ଏଥିରେ ୱାକଫ୍ ନିୟମ ବିରୋଧରେ ୧ କୋଟି ହସ୍ତାକ୍ଷର କରାଯାଇ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ପଠାଯିବ । ଏହାପରେ ପରବର୍ତ୍ତୀ ପର୍ଯ୍ୟାୟର ରଣନୀତି ସ୍ଥିର କରାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button