ଗମାଙ୍ଗଙ୍କ ପରେ ବିଆର୍‌ଏସ୍ ମୁହାଁ ପାଙ୍ଗି

ଭୁବନେଶ୍ୱର : ଗିରିଧାରୀ ଗମାଙ୍ଗଙ୍କ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ରସମିତି(ବିଆର୍‌ଏସ୍‌) ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗି । ୩ ଦିନ ହେଲା ସେ ହାଇଦ୍ରାବାଦରେ ରହିଛନ୍ତି । କେସିଆର୍‌ଙ୍କ ସହ ବୈଠକ କରିଥିବା ତାଙ୍କ ନିକଟତମ ମହଲ ସୂତ୍ରରୁ ପ୍ରକାଶ । କେସିଆର୍‌ଙ୍କ ନିମନ୍ତ୍ରଣ ପାଇ ହାଇଦ୍ରାବାଦ ଆସିଥିବା କହିଛନ୍ତି ପାଙ୍ଗି । ବିଆରଏସ୍‌ରେ ସାମିଲ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି- ସମୟ କହିବ । କେସିଆର୍‌ଙ୍କ ସହ ସାକ୍ଷାତ ଓ ଆଲୋଚନା ନେଇ ସେ ନିଜେ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି । ପାଙ୍ଗିଙ୍କ ଏପରି ପୋଷ୍ଟକୁ ନେଇ ଏବେ କୋରାପୁଟ ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ୭ ଦିନ ଭିତରେ ୨ ଜଣ କୋରାପୁଟିଆ ନେତାଙ୍କ କେସିଆର ପ୍ରୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗତ ଦୁଇ ଦିନ ପୂର୍ବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ୨୦୨୪ ନିର୍ବାଚନ ପୂର୍ବରୁ ଅଚାନକ ଏହି ଭେଟ୍‌ଘାଟ ହୋଇଥିବାରୁ ଏହା ସାଧାରଣ ଭେଟ ନୁହେଁ ବୋଲି କୁହାଯାଉଛି । ଏନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ଛାଡ଼ି ଉଭୟ ବିଆର୍‌ଏସ୍‌ରେ ଯୋଗଦେବା ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି । ଏ ନେଇ ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ କହିଥିଲେ, କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ର ସମିତିରେ ଯୋଗ ଦେବାକୁ ତାଙ୍କୁ ଅଫର ଦିଆଯାଇଥିଲା । ଓଡ଼ିଶାରେ ବିଆର୍‌ଏସ୍‌କୁ ଲିଡ୍ କରିବାକୁ କୁହାଯାଇଛି । ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଅଧିକ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଥିବା କୁହାଯାଉଛି । ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍ ପୂର୍ବରୁ ଟିଆର୍‌ଏସ୍ ବା ତେଲେଙ୍ଗାନା ରାଷ୍ଟ୍ର ସମିତି ନାମରେ ଖ୍ୟାତ ଥିଲା । ଏହି ଦଳ ଏବେ ତେଲେଙ୍ଗାନାରେ ସରକାର ଗଠନ କରିଛି । ମାତ୍ର ଓଡ଼ିଶାକୁ ଫୋକସ୍ କରିବାର ଅନେକ କାରଣ ରହିଛି । ଉକ୍ତ ଦଳ ଏବେ ଜାତୀୟ ଦଳ ମାନ୍ୟତା ପାଇବାକୁ ଚାହିଁଛି । ସେଥିପାଇଁ ଦକ୍ଷିଣ ଭାରତର କିଛି ରାଜ୍ୟ ସହ ଦକ୍ଷିଣ ଓଡ଼ିଶାରେ ଦଳ ତା’ର ଦବ୍‌ଦବା ରଖିବା ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରାୟ ୫୦ ଲକ୍ଷରୁ ଅଧିକ ତେଲଗୁ ଭାଷାଭାଷୀ ଲୋକ ଥିବାରୁ ସେମାନଙ୍କୁ ନିଜ ସପକ୍ଷରେ ନେବାକୁ ଯୋଜନା କରୁଛି ଟିଆରଏସ୍ । ଯଦି ଏଥିରେ ସଫଳତା ମିଳେ ତାହାଲେ ସାରା ରାଜ୍ୟରେ ଦଳ ତା’ର କାୟା ବିସ୍ତାର କରିବାର କିଛି ସମସ୍ୟା ହେବନାହିଁ । ହୁଏତ ଏସବୁ କାରଣ ପାଇଁ ବିିଆର୍‌ଏସ୍ ସୁପ୍ରିମୋ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ ଓ ପ୍ରାକ୍ତନ ସାଂସଦ ପାଙ୍ଗିଙ୍କୁ ଦଳର ଓଡ଼ିଶା ମୁହଁ ଭାବେ ଦେଖାଇବାକୁ ଚାହୁଛନ୍ତି ।
ତେବେ ୨୦୨୪ ନିର୍ବାଚନ ପାଇଁ ଦଳ ପ୍ରାୟ ଏକବର୍ଷ ଅବଧି ଭିତରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯଦି ନିର୍ବାଚନ ଆଗୁଆ ହୁଏ ତାହାପାଇଁ ଦଳ ପ୍ରସ୍ତୁତ ରହିଛି । ବିଭିନ୍ନ ଦଳର ବହୁ ବରିଷ୍ଠ ନେତା ବିଆର୍‌ଏସ୍‌ରେ ସାମିଲ ହେବା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନିଜେ ମୁଖ୍ୟମନ୍ତ୍ରୀ କେସିଆର୍ ଏହାର ତଦାରଖ କରୁଛନ୍ତି । ସ୍ମରଣଯୋଗ୍ୟ ଯେ ୨୦୨୧ ଅକ୍ଟୋବର ମାସରେ ଆୟୋଜିତ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ବୈଠକରେ ଯୋଗଦେଇ ପାଙ୍ଗି କହିଥିଲେ, ଦଣ୍ଡକାରଣ୍ୟ ଅଞ୍ଚଳର ବିକାଶ ପାଇଁ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯାଉ ।

Related Articles

Leave a Reply

Your email address will not be published.

Back to top button