ମୁନ୍ଦ୍ରା ପେଟ୍ରୋକେମିକାଲ ପ୍ରକଳ୍ପରୁ ଓହରିଲା ଅଦାନି ଗ୍ରୁପ୍‌

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ବିବାଦରେ ଛନ୍ଦି ହୋଇପଡିଥିବା ଅଦାନି ଗ୍ରୁପ୍ ଇତିମଧ୍ୟରେ ଗୁଜରାଟର ମୁନ୍ଦ୍ରା ସହରରେ ନିର୍ମିତ ହେବାକୁ ଥିବା ୩୪,୯୦୦ କୋଟି ଟଙ୍କାର ପେଟ୍ରୋକେମିକାଲ ପ୍ରକଳ୍ପରୁ ଓହରି ଯାଇଛି । ଅଂଶଧନକାରୀ (ସେୟାର ହୋଲଡର) ଓ ପୁଞ୍ଜି ବିନିଯୋଗକାରୀଙ୍କ ଅର୍ଥକୁ ସୁରକ୍ଷିତ କରିବା ସହ ସେମାନଙ୍କର ବିଶ୍ୱାସଭାଜନ ହେବାକୁ କମ୍ପାନୀ ଅଧିକ ଗୁରୁତ୍ୱ ଦେଉଥିବାରୁ ଏହି ପ୍ରକଳ୍ପରୁ ଓହରି ଆସିଥିବା କୁହାଯାଇଛି । ଗୁଜରାଟର କଚ୍ଛ୍ ଜିଲ୍ଲାରେ ପେଟ୍ରୋକେମିକାଲ ପ୍ରକଳ୍ପ ନିର୍ମାଣ କରିବାକୁ ୨୦୨୧ରେ ଅଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ମୁନ୍ଦ୍ରା ପେଟ୍ରୋକେମ୍ ଲିମିଟେଡକୁ ଟେଣ୍ଡର ମିଳିଥିଲା । ତେବେ ଚଳିତବର୍ଷ ଜାନୁଆରୀରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରେ ଅଦାନି ଗ୍ରୁପ୍ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲା । ଷ୍ଟକ୍ ଏକ୍ସଚେଞ୍ଜରେ ଏହାର ସେୟାର ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇଥିବାବେଳେ ଅଦାନି ଗ୍ରୁପ୍ ସମ୍ପତ୍ତି ପରିମାଣ କମିବାରେ ଲାଗିଥିଲା । ଫଳରେ ଏକଦା ବିଶ୍ୱର ୨ୟ ଧନୀ ବ୍ୟକ୍ତିଭାବେ ମାନ୍ୟତାଲାଭ କରିଥିବା କମ୍ପାନୀର ମାଲିକ ଗୌତମ ଅଦାନିଙ୍କ ମାନ୍ୟତା ୨୯ତମ ସ୍ଥାନକୁ ଖସିଆସିଛି । ହିଣ୍ଡେନବର୍ଗ ରିପୋର୍ଟ ଅନୁଯାୟୀ ସେୟାର ମାର୍କେଟରେ ଜାଲିଆତି କରି ଅଦାନି ଗ୍ରୁପ୍ ବିପୁଳ ଅର୍ଥ ରୋଜଗାର କରିଥିଲା । ଏହାକୁ ନେଇ ସଂସଦରେ ବିରୋଧୀ ଦଳ ତୁମୁଳ ହଟ୍ଟଗୋଳ କରିଥିବାବେଳେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଛଅଜଣିଆ କମିଟି ଗଠନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button