ଟିଏମସି ବିରୋଧରେ ବିଜ୍ଞାପନ ମାମଲାରେ ବିଜେପିକୁ ଝଟକା: ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟିଏମସି ବିରୋଧରେ ବିଜ୍ଞାପନ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକାଶ ଯେ, ଟିଏମସି ବିରୋଧରେ କଲିକତା ହାଇକୋର୍ଟ ବିଜେପିର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଟିଏମସି ବିରୋଧରେ ବିଜେପିର ବିଜ୍ଞାପନକୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ନିଷିଦ୍ଧ କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିଜେପି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ତେବେ ସୁପ୍ରିମକୋର୍ଟ ଏହି ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି। ଏବଂ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆପଣଙ୍କର ପ୍ରତିଦ୍ୱନ୍ଦୀ ଆପଣଙ୍କର ଶତ୍ରୁ ନୁହଁନ୍ତି। ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ, ନିର୍ବାଚନ ଚାଲିଛି, ତେବେ ଆମେ କାହିଁକି ହସ୍ତକ୍ଷେପ କରିବା? ଏହା ମଧ୍ୟ ଭୋଟରଙ୍କ ସ୍ୱାର୍ଥରେ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଆପଣ ସର୍ବଦା କହିପାରିବେ ଯେ ଆପଣ ଶ୍ରେଷ୍ଠ ଅଟନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ବିରୋଧୀ ଦଳ ବିଷୟରେ ‘ବଦନାମ ତଥା ଅପମାନଜନକ’ ବିଜ୍ଞାପନ ପ୍ରକାଶ କରିବେ। ବାସ୍ତବରେ, ଭାରତୀୟ ଜନତା ପାର୍ଟିର ପଶ୍ଚିମବଙ୍ଗ ୟୁନିଟ୍ ଲୋକସଭା ନିର୍ବାଚନ ପ୍ରକ୍ରିୟା ସମୟରେ ଟିଏମସି ସହ ଜଡିତ କିଛି ବିଜ୍ଞାପନ ପ୍ରକାଶ କରିଥିଲା। ଏହି ପ୍ରସଙ୍ଗରେ କଲିକତା ହାଇକୋର୍ଟରେ ପହଞ୍ଚିଥିଲେ। ଶୁଣାଣି ସମୟରେ କଲିକତା ହାଇକୋର୍ଟ ତୃଣମୁଲ କଂଗ୍ରେସ ବିରୋଧରେ କୌଣସି ପ୍ରକାରର ଅପମାନଜନକ ବିଜ୍ଞାପନ ପ୍ରକାଶ କରିବାକୁ ବାରଣ କରିଥିଲେ। କଲିକତା ହାଇକୋର୍ଟର ଏହି ଆଦେଶକୁ ସୁପ୍ରିମକୋର୍ଟରେ ବିଜେପି ଚ୍ୟାଲେଞ୍ଜ କରିଥିଲା। ତେବେ ସୁପ୍ରିମକୋର୍ଟ ଏହା ଶୁଣିବାକୁ ମନା କରି ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button