ନଭେମ୍ବର ୧୫ରେ ନିଲାମ ହେବ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ। ଏଥିରେ ଓଡିଶା ସମେତ ପାଂଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି। ଅନ୍ୟ ଚାରିଟି ରାଜ୍ୟ ହେଲା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏହି ସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ।

ସୂଚନାଯୋଗ୍ୟ ଯେ ଦେଶର କୋଇଲା ଖଣିଗୁଡିକରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ପରିବହନ ପ୍ରକ୍ରିୟା ୨୦୨୦ରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକ୍ରିୟାରେ ୨୦୨୦ ଜୁନ ୧୮ତାରିଖରେ ପ୍ରଥମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ଖଣି ନିଲାମର ଶୁଭାରମ୍ଭ କରିଥିଲେ। ତା’ପରଠାରୁ କୋଇଲା ମନ୍ତ୍ରଣାଳୟ ସାତ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ଥିବା କୋଇଲା ଖଣିଗୁଡିକର ବ୍ୟବସାୟିକ ନିଲାମ କାର୍ଯ୍ୟ ଶେଷ କରିଛନ୍ତି। ସଫଳ ନିଲାମଧାରୀ ଏହିସବୁ ଖଣିରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ପାଦନ କରୁଛନ୍ତି। ଏହି ସାତ ପର୍ଯ୍ୟାୟରେ ଦେଶର ୯୧ଟି କୋଇଲା ଖଣିକୁ ନିଲାମ ଦିଆଯାଇଛି। ଏସବୁ ଖଣିରୁ ବାର୍ଷିକ ସର୍ବୋଚ୍ଚ ୨୨୧ ନିୟୁତ ଟନ୍ କୋଇଲା ଉତ୍ତୋଳିତ ହେଉଛି। ସରକାର ଖଣିଜ ଆଇନର ସଂଶୋଧନ କରିବା ଫଳରେ କୋଇଲା କ୍ଷେତ୍ରରେ ଖଣିର ବ୍ୟାବସାୟିକ ନିଲାମ ପ୍ରକ୍ରିୟା ସହଜ ହୋଇଛି। ଏହା ଫଳରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାମାନେ ନିଲାମରେ ଭାଗ ନେଇ ଖଣିରୁ କୋଇଲା ଉତ୍ତୋଳନ ଅଧିକାର ପାଉଛନ୍ତି। ଏହି ପ୍ରକ୍ରିୟାରେ ଦେଶରେ କୋଇଲା ଉତ୍ପାଦନ ବଢିଛି ଏବଂ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହି ନିଲାମ ଓ ଉତ୍ତୋଳନ /ଖନନ ପ୍ରକ୍ରିୟାରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ସେମାନଙ୍କୁ ସରକାର ଏହି ନିଲାମ ମାଧ୍ୟମରେ କୋଇଲାର ନିଜସ୍ୱ ବ୍ୟବହାର, ବିକ୍ରିବଟା ଓ ଅନ୍ୟାନ୍ୟ ଉପଯୋଗ ନିମନ୍ତେ ଅନୁମତି (ପରମିଟ୍ )ପ୍ରଦାନ କରୁଛନ୍ତି। ବ୍ୟାବସାୟିକ କୋଇଲା ଖନନ ଦ୍ୱାରା ବିଭିନ୍ନ ପ୍ରକାର ଲାଭ ମିଳୁଛି। ଏହା ଫଳରେ ଏ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବା ସହିତ ସରକାରଙ୍କ ରାଜସ୍ୱ ବଢୁଛି। ସର୍ବୋପରି ଘରୋଇ ସହଯୋଗରେ ଦେଶର କୋଇଲା ଯୋଗାଣ ବୃଦ୍ଧି ପାଉଛି।

ଆହୁରି ମଧ୍ୟ ଏଭଳି ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି ପାଉଛି । ସେମାନେ ଉତ୍ତୋଳିତ ହେଉଥିବା କୋଇଲା ଉପରେ ରୟାଲଟି ବା ରାଜଭାଗ ପାଉଛନ୍ତି । ରାଜସ୍ୱ ବୃଦ୍ଧି ଫଳରେ ଆଞ୍ଚଳିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ଏହା ଦ୍ୱାରା ଅଧିକ ଲୋକଙ୍କୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ତଥା ରୋଜଗାର ସୁବିଧା ମିଳୁଛି ।

ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣିରେ ବ୍ୟାବସାୟିକ ନିଲାମ ପ୍ରକ୍ରିୟା କୋଇଲା ମନ୍ତ୍ରଣାଳୟର ପୂର୍ବ ବର୍ତ୍ତୀ ସଫଳ ନିଲାମର ଏକ ପରିବର୍ଦ୍ଧିତ ପଦକ୍ଷେପ । ଏହି କ୍ଷେତ୍ରକୁ ଆଗକୁ ବଢାଇ ଏହାର ଆୟ ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ଅଙ୍ଗୀକାରବଦ୍ଧ ହୋଇ କାମ କରୁଛି । ଅଷ୍ଟମ ପର୍ଯ୍ୟାୟରେ ଓଡିଶା ସମେତ ପାଞ୍ଚୋଟି ରାଜ୍ୟର ମୋର ୩୯ଟି ଖଣି ନିଲାମ ହେବାକୁ ଥିବା ବେଳେ ବାସ୍ତବରେ ନୂଆ କରି ୩୫ଟି ଖଣିକୁ ନିଲାମ ଦିଆଯିବ । ଅବଶିଷ୍ଟ ୪ଟି ଖଣି ଯାହା ସପ୍ତମ ପର୍ଯ୍ୟାୟରେ ନିଲାମ ହୋଇପାରି ନ ଥିଲା ତାହାକୁ ଦ୍ୱିତୀୟ ଥର ନିଲାମ ପାଇଁ ବୋଲିରେ ଲଗାଯିବ । ଏହି ନୂଆ ୩୫ଖଣି ମଧ୍ୟରୁ ୧୧ଟି ଖଣି ସିଏମ୍ ଏସ୍‌ପି) ଆଇନ ୨୦୧୫, ୨୪ଟି ଏମ୍‌ଏମ୍‌ଡିଆର୍ ଆଇନ ୧୯୫୭ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୪ଟି ଖଣି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଅଛି । ଏହା ଛଡା ଅନ୍ୟ ୨୧ଟି ଖଣି ଆଂଶିକଭାବେ ବିକଶିତ ହୋଇଛି। ଗତଥର ନିଲାମରେ ରହିଯାଇଥିବା ଚାରିଟି ଖଣିକୁ ମଧ୍ୟ ଏହି ନିଲାମରେ ସାମିଲ କରାଯାଇଛି। ସେଗୁଡିକ ସିଏମ୍‌ଏସ୍‌ପି ଓ ଏମ୍‌ଏମ୍‌ଡି ଖଣିର ଅନ୍ତର୍ଭୁକ୍ତ। ସେଥିରୁ ଗୋଟିଏ ସମ୍ପୂର୍ଣ୍ଣ ଖନନ ଯୋଗ୍ୟ ଅବସ୍ଥାରେ ଥିବାବେଳେ ଅନ୍ୟ ତିନିଟି ଆଂଶିକ ବିକଶିତ ଓ ଖନନ ଯୋଗ୍ୟ।

ଓଡିଶାରେ ନିଲାମ ହେବାକୁ ଥିବା ସର୍ବାଧିକ ୧୯ଖଣି ମଧ୍ୟରୁ ସିଏମ୍‌ଏସ୍‌ପି ୨୦୧୫ ଓ ଏମ୍‌ଏମ୍‌ଡିଆର ୧୯୫୭ ଆଇନ ଅନୁସାରେ ଯଥାକ୍ରମେ ଆଠ ଓ ୧୧ଟି କୋଇଲା ଖଣି ରହିଛି । ଏହିସବୁ ଖଣି ମଧ୍ୟରୁ ଆଠଟି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି । ତେଣୁ ନିଲାମଧାରୀ ଅଳ୍ପ ଖର୍ଚ୍ଚରେ ଅବଶିଷ୍ଟ୧୧ଟି ଆଂଶିକ ଖନନ ଯୋଗ୍ୟ ଖଣିର ବିକାଶ କରି ସେଥିରୁ କୋଇଲା ଉତ୍ତୋଳନ କରିପାରିବେ । ନିଲାମ ହେବାକୁ ଥିବା ଖଣିଗୁଡିକର ସୀମାରେଖା ନିର୍ଣ୍ଣିତ ହୋଇଛି । ଡ୍ରୋନ ସହାୟତାରେ ଉତ୍ତୋଳନ କରାଯାଇଥିବା ଖଣିର ସୀମା ସରହଦର ଫଟୋଚିତ୍ର ନିଲାମ ଦେବା ବାଲାକୁ ଯୋଗାଇ ଦିଆଯିବ । ସବୁ ଖଣି ବିବାଦମୁକ୍ତ ଏବଂ ଏହାର ବିକାଶ ତଥା କୋଇଲା ଉତ୍ତୋଳନ ପାଇଁ କୌଣସି ଅସୁବିଧା ନାହିଁ । କୋଇଲା ଖଣିର ବ୍ୟାବସାୟିକ ନିଲାମରେ ନିଲାମଧାରୀଙ୍କ କୋଇଲା ବ୍ୟବହର ଓ ବିକ୍ରିବଟା ଉପରେ କୌଣସି କଟକଣା ନାହିଁ । ଆହୁରି ମଧ୍ୟ ନିଲାମ ପ୍ରକ୍ରିୟାରେ କୌଣସି ଟେକ୍‌ନିକାଲ (ବୈଷୟିକ) ଓ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀ ନ ଥିବାରୁ ଯେ କେହି ଏଥିରେ ସାମିଲ ହୋଇପାରିବେ । କୋଇଲା ମନ୍ତ୍ରଣାଳୟ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ବ୍ୟାପକ ବିଚାର ଆଲୋଚନା ପରେ ସେମାନଙ୍କ ପରାମର୍ଶରେ ଭାରତରେ ବ୍ୟବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ଅବସ୍ଥାକୁ ପ୍ରୋତ୍ସାହନ ଦେବାକୁ ରାଜି ହୋଇଛି । ଏଥି ପାଇଁ କେଉଁ କେଉଁ ସମ୍ଭାବ୍ୟ ସୂତ୍ରରୁ ଋଣ ମିଳିପାରିବ ସେଥି ପାଇଁ ମଧ୍ୟ ବିଚାର ଆଲୋଚନା ହୋଇଛି । ବିଭିନ୍ନ ବଡ ବଡ ଉଦ୍ୟୋଗକୁ ଏହି ଅର୍ଥ ଲଗାଣ ବ୍ୟବସ୍ଥାକୁ ସାମିଲ କରିବାକୁ ଉଦ୍ୟମ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଗୋଟିଏ ବ୍ୟାବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ବ୍ୟବସ୍ଥା ଇତିମଧ୍ୟରେ ଶେଷ ହୋଇଥିବାବେଳେ ଅନ୍ୟ ଦୁଇଟିର ପ୍ରକ୍ରିୟା ଚାଲିଛି ।

Related Articles

Leave a Reply

Your email address will not be published.

Back to top button