ଦେଶବ୍ୟାପୀ ଖୋଲିବ ୮୫ କେଭି, ୨୮ ଏନ୍‌ଭି, ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶରେ ଆଉ ୮୫ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ସହ ୨୮ ନୂଆ ନବୋଦୟ ବିଦ୍ୟାଳୟ (ଏନ୍‌ଭି) ଖୋଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଏସମ୍ପର୍କୀତ ପ୍ରସ୍ତାବକୁ ଅନୁମୋଦନ କରିଛି। ସିସିଇଏ ମଞ୍ଜୁରି ଦେଇଥିବା ୮୫ ନୂଆ କେଭି ମଧ୍ୟରୁ ଓଡ଼ିଶାକୁ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଆବଣ୍ଟିତ କରାଯାଇଛି। ଓଡ଼ିଶାର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୁଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗୀର ଜିଲ୍ଲାର ରେଲୱେ ଟିଟିଲାଗଡ଼ ଓ ପାଟଣାଗଡ଼ରେ ଏହି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା କରାଯିବ। ବର୍ତ୍ତମାନ ସମୟରେ ଦେଶବିଦେଶରେ ମୋଟ୍ ୧ ହଜାର ୨୫୬ଟି କେନ୍ଦ୍ରୀୟ ବିଦ୍ୟାଳୟ (କେଭି) କାର୍ଯ୍ୟକ୍ଷମ ଅଛି, ଯେଉଁଥିରେ ୩ କେନ୍ଦ୍ରୀୟ ବିଦ୍ୟାଳୟ ବାହାର ଦେଶ ଅର୍ଥାତ୍ ରୁଷ୍‌ର ରାଜଧାନୀ ମସ୍କୋ, ନେପାଳର ରାଜଧାନୀ କାଠମାଣ୍ଡୁ ଏବଂ ଇରାନ୍‌ର ରାଜଧାନୀ ତେହେରାନ୍ ଠାରେ ରହିଛି। ମୋଟ୍ ୧୩.୫୬ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏବେ ଏହି ୮୫ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଦ୍ୱାରା ୮୨ ହଜାର ୫୬୦ ଛାତ୍ରଛାତ୍ରୀ ଉପକୃତ ହେବେ ଓ ସମୁଦାୟ ୫ ହଜାର ୩୮୮ ପ୍ରତ୍ୟକ୍ଷ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ସେହିପରି ନୂଆ ୨୮ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଏବେ ଅତିରିକ୍ତ ୧୫୬୮୦ ଆସନ ସୃଷ୍ଟି ହେବ, ଯାହାଦ୍ୱାରା ପ୍ରତିବର୍ଷ ୧୫୬୮୦ ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ କେନ୍ଦ୍ର ସରକାରଙ୍କ ଏହି ୨୮ ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାଜନିତ ପ୍ରକଳ୍ପରେ ଓଡ଼ିଶା ପାଇଁ କୌଣସି ପ୍ରାବଧାନ ନଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୬୬୧ଟି ମଞ୍ଜୁରୀପ୍ରାପ୍ତ ନବୋଦୟ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୬୫୩ ଏନ୍‌ଭି କାର୍ଯ୍ୟକ୍ଷମ ରହିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପ୍ରାୟ ସମସ୍ତ ନବୋଦୟ ବିଦ୍ୟାଳୟକୁ ପିଏମ୍ ଶ୍ରୀ ବିଦ୍ୟାଳୟ ଭାବରେ ମନୋନୀତ କରାଯାଇଛି, ଯେଉଁଥିରେ ଏନ୍‌ଇପି ୨୦୨୦ର କାର୍ଯ୍ୟକାରିତା ପ୍ରଦର୍ଶନ କରାଯାଇଛି ଏବଂ ଅନ୍ୟମାନଙ୍କ ପାଇଁ ଉଦାହରଣ ବିଦ୍ୟାଳୟ ଭାବରେ କାର୍ଯ୍ୟ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button